ଡରାଇଲାଣି କରୋନା: ଭୁବନେଶ୍ୱରରେ ୯ କଣ୍ଟେନ୍‌ମେଣ୍ଟ ଜୋନ୍‌

ସୁସ୍ଥ କମ୍‌, ଆକ୍ରାନ୍ତ ବେଶି

ଭୁବନେଶ୍ବର : କରୋନା ପୁଣିଥରେ ଡରାଇବାକୁ ଆରମ୍ଭ କରିଛି। ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଗତକାଲି ୧୦ଟି ଜାଗାରେ ବିଏମ୍‌ସି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିଥିବା ବେଳେ ଗୁରୁବାର ଦିନ ୯ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ବିଏମ୍‌ସି ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିଛି।

ନୂଆପଲ୍ଲୀ ବ୍ରିଟ୍‌ କଲୋନି ଏଲ୍‌ଆଇଜି-୧୧୮, ୟୁନିଟ୍‌-୬ ଅଞ୍ଚଳ ଭୀମପୁର ପ୍ଲଟ୍‌ ନମ୍ବର ୨୫୨/ ୨୬୯୯, ଆଇଗିଣିଆ ଶ୍ରୀକ୍ଷେତ୍ର ରେସିଡେନ୍‌ସି ଫ୍ଲାଟ୍‌ ନଂ ଏ/୨-୩୦୩ ଓ ବି/୧-୨୦୪, ୟୁନିଟ୍‌-୯ରେ ଥିବା କ୍ବାର୍ଟର୍‌ ନଂ ୪ଆର୍‌ଏଫ୍‌-୨୦, ୟୁନିଟ୍‌-୩ ଗୁରୁଦ୍ବାରା ପଛରେ ଥିବା ପ୍ଲଟ୍‌ ନଂ-୭, ଟଙ୍କପାଣି ରୋଡ୍‌ ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟର ଫ୍ଲାଟ୍‌ ନଂ ୨୦୯, ଟଙ୍କପାଣି ରୋଡ୍‌ ଆପୋଲୋ ଫାର୍ମାସି ନିକଟ ପ୍ଲଟ୍‌ ନଂ ୧୧୪୭, ଗୌତମନଗର ଉତ୍କଳ ରୟାଲ ରେସିଡେନ୍‌ସିର ଫ୍ଲାଟ୍‌ ନଂ ଏ/୯୪କୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ପ୍ରବେଶ କରିପାରିବେ ନାହିଁ ବୋଲି ବିଏମ୍‌ସି କଟକଣା ଜାରି କରିଛି।

eSakal

ସୂଚନାଯୋଗ୍ୟ, ଗତ ୩ ତାରିଖରୁ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ୨ତାରିଖ ଦିନ ୭୯ଜଣ ଚିହ୍ନଟ ହୋଇଥିବା ବେଳେ ୩ ତାରିଖରେ ୯୧, ୪ ତାରିଖରେ ୧୪୨, ୫ ତାରିଖରେ ୩୪୧ ଓ ଗତ ୨୪ଘଣ୍ଟା ମଧ୍ୟରେ ୪ଶହ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍‌ ୫ ଦିନରେ ୧୦୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା କମୁଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଗତ ୫ ଦିନରେ ମାତ୍ର ୪୭୫ଜଣ ସୁସ୍ଥ ହୋଇଛନ୍ତି। ଗତ ୨ ତାରିଖରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୫ ଥିବା ବେଳେ ଆଜି ଏହି ସଂଖ୍ୟା ୧୩୪୩ ରହିଛି। ତେବେ ସାଧାରଣ କରୋନା ଆକ୍ରାନ୍ତଙ୍କଠାରୁ ବିଦେଶ ଫେରନ୍ତା ଚିନ୍ତା ବଢ଼ାଇଛନ୍ତି। ସେମାନଙ୍କୁ ଟ୍ରାକ୍‌ କରାଯିବା ସହ ସେମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଥିବା ବିଏମ୍‌ସି କହିଛି।

ଅନ୍ୟପଟେ ଆଜିଠାରୁ ବିଏମ୍‌ସି କରୋନା କଟକଣାକୁ କଡ଼ାକଡ଼ି କରିଛି। ମାସ୍କ ଉଚିତ ଢଙ୍ଗରେ ନ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ନ କରିବାକୁ ନେଇ ବିଏମ୍‌ସି ଚଢ଼ଉ କରୁଛି। ଅମାନିଆଙ୍କଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯାଉଛି। ୪ଟି ସ୍ବତନ୍ତ୍ର ଟିମ୍‌ ବୁଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବିଶେଷକରି ମାର୍କେଟ୍‌, ମଲ୍‌, ପାନ ଦୋକାନ, ଚା’ ଦୋକାନ, ରାସ୍ତାକଡ଼ରେ ଫାଷ୍ଟଫୁଡ୍‌ ଓ ଅନ୍ୟାନ୍ୟ ଖାଇବା ଦୋକାନ ଉପରେ କଡ଼ା ନଜର ରଖାଯାଇଛି।

ସମ୍ବନ୍ଧିତ ଖବର