ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ନବମ ସନ୍ଧ୍ୟାରେ ବିଭିନ୍ନ ବିଭାଗରେ ୧୨ଜଣ ଲେଖକଙ୍କୁ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ପ୍ରଦାନ କରା ଯାଇଛି। ରାଜଧାନୀ ପୁସ୍ତକ ମେଳା କମିଟିର ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ପାଠକ ହେଉଛି ଲେଖକର ସବୁଠୁ ବଡ଼ ସମ୍ପଦ ବୋଲି କହିଥିଲେ। ପାଠକମାନଙ୍କୁ ବହି ପ୍ରତି ଆଗ୍ରହ ସୃଷ୍ଟି କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ।
ଚିତ୍ତରଞ୍ଜନଙ୍କ ‘ଦ୍ରୋହୀ ବିଦ୍ରୋହୀ’ ଉନ୍ମୋଚିତ
‘ଅକ୍ଷର’ର ତୀରତରଙ୍ଗ ଷ୍ଟଲ୍ରେ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ଷଷ୍ଠ ଉପନ୍ୟାସ ପୁସ୍ତକ ’ଦ୍ରୋହୀ ବିଦ୍ରୋହୀ’ ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ ବୈଜ୍ଞାନିକ ତଥା ତାତ୍ତ୍ବିକ ପଦାର୍ଥ ବିଜ୍ଞାନୀ ଡ. ଜ୍ଞାନଦେବ ମହାରଣା, ଗବେଷକ ଓ ପ୍ରାବନ୍ଧିକ ପ୍ରଫେସର ବୀରେନ୍ଦ୍ର ନାୟକ, ‘ନିତିଦିନ’ର ସମ୍ପାଦକ ମନୋଜ ମହାପାତ୍ର, ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି, ‘ସମଦୃଷ୍ଟି’ର ସମ୍ପାଦକ ସୁଧୀର ପଟ୍ଟନାୟକ, ସମ୍ପାଦିକା ଓ ପ୍ରକାଶିକା ବନ୍ଦନା ମିଶ୍ର ଉପସ୍ଥିତ ରହି ଉପନ୍ୟାସକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ‘ତୀରତରଙ୍ଗ’ର ସମ୍ପାଦିକା ବନ୍ଦନା ମିଶ୍ର ଓ ଉପନ୍ୟାସର ଲେଖକ ତଥା ସାମ୍ବାଦିକ ଚିତ୍ତରଞ୍ଜନ ଚିରଞ୍ଜିତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବିଘ୍ନେଶ୍ବର ସାହୁ ସଂଯୋଜନା କରିଥିଲେ।
ଏହି ଅବସରରେ ପ୍ରବନ୍ଧ ସଂକଳନ ‘ଓଡ଼ିଆ ସାହିତ୍ୟ:ପୁରୁଣା ଓ ନୂଆ’, ଉପନ୍ୟାସ ‘ଘାଟ ମୁହାଁ ଡଙ୍ଗା’, କ୍ଷୁଦ୍ରଗଳ୍ପ ସଂକଳନ ‘ଅହ୍ୟରାଣୀ’, ‘ଫଟୋ ଏବଂ ଅନ୍ୟାନ୍ୟ ଗଳ୍ପ’, କବିତା ସଂକଳନ ‘ପୁରୁଣା ଗୀତର ଧୂନ’, ଧର୍ମ ସାହିତ୍ୟ ପୁସ୍ତକ ‘ଦେବୀ ଦର୍ଶନ’, ଅନୁବାଦ ପୁସ୍ତକ ‘ଗୋଟିଏ ରାତିର କାହାଣୀ’, ଶିଶୁଗଳ୍ପ ପୁସ୍ତକ ‘ସାବାସ ସୁମନ’, ଶିଶୁ କବିତା ପୁସ୍ତକ ‘ସରଗ ଅଟଇ ମୋ ଗାଁ ଭୂଇଁ ’, ‘ଗୀତରେ ଗୀତରେ ଗଜରା’ ଓ ପାଇଁ ଯୁବ ସାହିତ୍ୟ ବିଭାଗରେ କବିତା ପୁସ୍ତକ ‘କଳ୍ପିତା’ ପାଇଁ ଯଥାକ୍ରମେ ସଂଘମିତ୍ରା ଭଞ୍ଜ, ଲଲାଟେନ୍ଦୁ ସାହୁ, ରଶ୍ମି ମିଶ୍ର, ପ୍ରଦ୍ୟୁମ୍ନ ପଟ୍ଟନାୟକ, ଇନ୍ଦିରା ଦାଶ, ବିଶ୍ୱନାଥ ମଲ୍ଲିକ, ବିଦ୍ୟୁତ୍ଲତା ଦାସ, ପ୍ରଭାସିନୀ ବରାଡ଼, ନିରାକାର ଚଇନି, ଅରୁଣ ଚନ୍ଦ୍ର ମହାନ୍ତି ଓ ଦିନେଶ ଅଗ୍ରଵାଲାଙ୍କୁ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ପ୍ରଦାନ କରାଯାଇଥିଲା। ନୃସିଂହ ଷଡ଼ଙ୍ଗୀ ତାଙ୍କ ଗୀତି କବିତା ପୁସ୍ତକ ‘ଦେହ ଦ୍ରୋହ’ ପାଇଁ ପାଇଥିଲେ ସୁଧାଂଶୁମୋହନ ରାଉତରାୟ ସ୍ମୃତି ସମ୍ମାନ। ଉତ୍ସବରେ ଅତିଥିମାନଙ୍କ ଦ୍ବାରା ବହୁ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ବିଧୁଭୂଷଣ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆବାହକ ରମେଶ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ।