ନିରାକାର ଦାସଙ୍କୁ ‘କାଦମ୍ବିନୀ କବିତା ସମ୍ମାନ’, ପବିତ୍ର ପାଣିଗ୍ରାହୀଙ୍କୁ ‘କାଦମ୍ବିନୀ ଗଳ୍ପ ସମ୍ମାନ’

ଭୁବନେଶ୍ବର: ସାହିତ୍ୟ ପତ୍ରିକା କାଦମ୍ବିନୀ ପକ୍ଷରୁ ଆସନ୍ତା ୨ ତାରିଖରେ ରବୀନ୍ଦ୍ର ମଣ୍ଡପ ଠାରେ କାଦମ୍ବିନୀ ଗଳ୍ପ, କବିତା ସମ୍ମାନ ସମାରୋହ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସମ୍ମାନିତ ଅତିଥି ଭାବେ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ନିରଞ୍ଜନ ରଥ ଯୋଗ ଦେବେ। ୨୦୨୧ ବର୍ଷ ପାଇଁ କବି ନିରାକର ଦାସଙ୍କୁ ‘କାଦମ୍ବିନୀ କବିତା ସମ୍ମାନ’ରେ ସମ୍ମାନିତ କରାଯିବା ସହ କଥାକାର ପବିତ୍ର ପାଣିଗ୍ରାହୀଙ୍କୁ ୨୦୨୦ ବର୍ଷ ପାଇଁ ‘କାଦମ୍ବିନୀ ଗଳ୍ପ ସମ୍ମାନ’ ପ୍ରଦାନ କରାଯିବ ବୋଲି କାଦମ୍ବିନୀର ସଂପାଦିକା ଇତି ସାମନ୍ତ ସୂଚନା ଦେଇଛନ୍ତି।

କବି ନିରାକର ଦାସ ୩ ଦଶନ୍ଧି ଧରି କବିତା ଲେଖୁଥିବା ବେଳେ ଜଣେ ଦରଦୀ ଓ ବିଦ୍ରୋହୀ କବି ଭାବେ ପାଠକ ପାଠିକାଙ୍କ ପାଖରେ ବେଶ୍‌ ଆଦୃତି ଲାଭ କରିଛନ୍ତି। ତାଙ୍କର କବିତା ସଂକଳନ ଭିନ୍ନ ଇଲାକାର ସ୍ବର, ଏ ଯୁଦ୍ଧ ନୁହେଁ ତୁମର, ମହରଗ ପାଦେ ମାଟିର ସ୍ବପ୍ନ, ବିଦୀର୍ଣ୍ଣ ବସୁଧା, ଅସରନ୍ତି ଯାତ୍ରା ଓ ସର୍ବହରା ପାଠକଙ୍କ ମହଲରେ ଖୁବ୍‌ ପରିଚିତ ହୋଇପାରିଛି। ସେହିପରି କଥାକାର ପବିତ୍ର ପାଣିଗ୍ରାହୀ ୧୪ଟି ଗଳ୍ପ ସଂକଳନ ସହିତ ୪୦ରୁ ଅଧିକ ପୁସ୍ତକ ଲେଖି ପାଠକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ଶ୍ରୀ ପାଣିଗ୍ରାହୀ ଓଡ଼ିଶା ସାହିତ୍ୟ ଏକାଡେମି, ପ୍ରଜାତନ୍ତ୍ର ବଣ୍ଟନ ପୁରସ୍କାର ସମେତ ୩୦ରୁ ଅଧିକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ସମ୍ବନ୍ଧିତ ଖବର