କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ‘ନିରାମୟ’ ପ୍ରହସନ, ଚିଠାନୁସାରେ ମିଳୁନି ଔଷଧ

ଭୁବନେଶ୍ବର: ରୋଗୀଙ୍କୁ ଔଷଧ ଖର୍ଚ୍ଚଜନିତ ଶୋଷଣରୁ ରକ୍ଷା କରିବା ପାଇଁ ସରକାର ‘ନିରାମୟ’ ଯୋଜନା କରିଛନ୍ତି। ଫଳରେ ରୋଗୀମାନେ ହସ୍ପିଟାଲର ନିରାମୟ କେନ୍ଦ୍ରରୁ ସହଜରେ ଔଷଧ ନେଇ ପାରୁଛନ୍ତି। ମାତ୍ର ରାଜଧାନୀର ସବୁଠୁ ନିର୍ଭରଶୀଳ ସ୍ବାସ୍ଥ୍ୟକେନ୍ଦ୍ର କ୍ୟାପିଟାଲ୍‌ ହସ୍ପିଟାଲ୍‌ର ନିରାମୟ କେନ୍ଦ୍ରରେ ମିଳୁନି ଔଷଧ। ଡାକ୍ତର ଲେଖୁଥିବା ଚିଠା ଅନୁସାରେ ବହୁ ଔଷଧ ମିଳୁନାହିଁ ବୋଲି ଅଭିଯୋଗ ହେଉଛି। ତେଣୁ ରୋଗୀମାନେ ବାଧ୍ୟ ହୋଇ ବାହାରୁ ଅଧିକ ଦାମ୍‌ରେ ଔଷଧ କିଣୁଛନ୍ତି ଓ ପୂର୍ବଭଳି ଔଷଧ ବ୍ୟବସାୟୀମାନଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି। କେ‌ବଳ ସେତିକି ନୁହେଁ, ନିରାମୟ କେନ୍ଦ୍ରରେ ଥିବା ବହୁ ଅବ୍ୟବସ୍ଥା ବି ରୋଗୀମାନଙ୍କୁ ସମସ୍ୟାରେ ପକାଉଛି। ଅପରାହ୍‌ଣରେ ଆବଶ୍ୟକ ସଂଖ୍ୟକ କାଉଣ୍ଟର ଖୋଲୁନଥିବା ମଧ୍ୟ ଅଭିଯୋଗ ହେଉଛି।

ଦୀର୍ଘ ଦିନ ଧରି ଅଣ୍ଟାରେ ଯନ୍ତ୍ରଣା ଭୋଗୁଥିବା ହରିହର ନାୟକ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଅର୍ଥୋପେଡିକ୍‌ ବିଭାଗକୁ ଆସିଥିଲେ। ଡାକ୍ତର ଚିଠାରେ ତାଙ୍କ ପାଇଁ ୫ପ୍ରକାର ଔଷଧ ଲେଖିଥିଲେ। ମାତ୍ର ନିରାମୟ କେନ୍ଦ୍ରରେ କେବଳ ୨ ପ୍ରକାର ଔଷଧ ଥିଲା। ଅନ୍ୟ ୩ ପ୍ରକାର ଔଷଧ ସେ ବାହାରୁ କିଣିଥିଲେ। ପୁଣି ଡାକ୍ତର ଯେଉଁ କମ୍ପାନି ପ୍ରସ୍ତୁତ ଔଷଧ ଲେଖିଥିଲେ, ତାହା ମିଳିନଥିଲା। ଦୋକାନୀ ବୁଝାଇସୁଝାଇ କମ୍‌ ଦାମ୍‌ ବୋଲି କହି ଅନ୍ୟ କମ୍ପାନିର ଔଷଧ ଦେଇଥିଲା। ମାତ୍ର ସେ ଔଷଧ କାମ କଲା ନାହିଁ ଓ ତାଙ୍କ ଯନ୍ତ୍ରଣା ବଢ଼ିଗଲା ବୋଲି ହରିହର କହିଛନ୍ତି। ଏଭଳି ଅନେକ ଉଦାହରଣ ବର୍ତ୍ତମ‌ାନ କ୍ୟ‌ାପିଟାଲ୍‌ ହସ୍ପିଟାଲ୍‌କୁ ଆସୁଥିବା ରୋଗୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି।

ନିୟମାନୁସାରେ ନିରାମୟ କେନ୍ଦ୍ରରେ ମହଜୁଦ୍ ଥିବା ଔଷଧର ତାଲିକା ପ୍ରତିଦିନ ଡାକ୍ତରମାନଙ୍କୁ ଦିଆଯିବା ଉଚିତ। ଫଳରେ ସେମାନେ ତାଲିକା ଦେଖି ରୋଗୀଙ୍କୁ ଚିଠା ଦେଇପାରିବେ ଓ ନିରାମୟ କେନ୍ଦ୍ରରେ ନଥିବା ଔଷଧ ବାବଦରେ ରୋଗୀଙ୍କୁ ବୁଝାଇ ବାହାରୁ କିଣିବାକୁ ପରାମର୍ଶ ଦେଇପାରିବେ। ଏମିତି ହେଲେ ବାହାରୁ କିଣିବାକୁ ଥିବା ଔଷଧ ବାବଦରେ ଦୋକାନୀ ରୋଗୀଙ୍କୁ ଭୁଲ୍ ପରାମର୍ଶ ଦେଇ ଔଷଧ ବିକିପାରିବ ନାହିଁ। କିନ୍ତୁ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ନାହିଁ। ନିରାମୟ କେନ୍ଦ୍ରରୁ ତାଲିକା ଡାକ୍ତରଙ୍କ ପାଖକୁ ଯାଉନାହିଁ।

ସେହିଭଳି ନିରାମୟ କେନ୍ଦ୍ରରେ ଆହୁରି ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଔଷଧ ପାଇଁ ଲାଇନ୍‌ରେ ଠିଆ ହେଉଥିବା ରୋଗୀଙ୍କ ପାଇଁ ଯଥେଷ୍ଟ ସଂଖ୍ୟକ ପଙ୍ଖା ନାହିଁ। କିଛି ପଙ୍ଖା ବି ଅଚଳ ହୋଇ ଝୁଲୁଛି। ସେହିଭଳି ଉକ୍ତ ଲାଇନ୍‌ ଉପରେ ଛାତର ସିଲିଂ ଭାଙ୍ଗିଗଲାଣି। ଫଳରେ ଖରା ବେଳେ ପ୍ରବଳ ଗରମ ହେଉଛି। ଅପରାହ୍‌ଣରେ ସବୁ କାଉଣ୍ଟର୍‌ ଖୋଲା ରହୁନାହିଁ। କେନ୍ଦ୍ର ପରିସରରେ ଥିବା ଔଷଧ ବିବରଣୀ ଡିଜିଟାଲ୍‌ ହୋର୍ଡିଂ ମଧ୍ୟ ଚ‌ାଲୁନାହିଁ। ଏ ବାବଦରେ ହସ୍ପିଟାଲ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ହସ୍ପିଟାଲ୍‌ ତରଫରୁ ପ୍ରତି ମାସ‌ରେ ଅବଶ୍ୟକ ଔଷଧ ଚିଠା ସରକାରଙ୍କୁ ଦିଆଯାଉଛି। ସେଠାରୁ ଯେତିକି ଔଷଧ ଆସୁଛି, ସେତିକି ରୋଗୀଙ୍କୁ ବଣ୍ଟନ କରାଯାଉଛି। ତେବେ କେନ୍ଦ୍ରରେ ଯେଉଁ ସବୁ ଅବ୍ୟବସ୍ଥା ରହିଛି, ଖୁବ୍‌ଶୀଘ୍ର ସେଥିରେ ସୁଧାର ଅଣାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର