‘ପୁଲିସ୍‌ ମିତ୍ର’ର ଭାଇ ନିଶାମାଫିଆ

୨୧୭ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଅବକାରୀ ବିଭାଗ ଆଜି ବାପୁଜୀନଗରସ୍ଥିତ କେଦାରପଲ୍ଲୀ ବସ୍ତିରୁ ଜଣେ ଅଭ୍ୟାସଗତ ନିଶା ମାଫିଆକୁ ପୁଣିଥରେ ଗିରଫ କରିଛି। ସେ ହେଲା, ଉକ୍ତ ବସ୍ତିର ଟୁନା ନାୟକ। ଅବକାରୀ ବିଭାଗ ଟୁନା ପାଖରୁ ୨୧୭ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୨୧ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟୁନା ନାଁରେ ନିଶା କାରବାର ଭଳି ମାଳମାଳ ଅନ୍ୟ ଆପରାଧିକ ମାମଲା ରହିଛି। ପୂର୍ବରୁ ଗଂଜେଇ ବେପାର କରି ସେ ଗିରଫ ହୋଇଥିଲା। ତେବେ ଟୁନାର ଏହି ନିଶା କାରବାର ପାଇଁ ତା’ ସାନ ଭାଇକୁ କମିସନରେଟ୍‌ ପୁଲିସ୍‌ ‘ପୁଲିସ୍‌ ମିତ୍ର’ ପଦରୁ ଅବ୍ୟାହତି ଦେଇଛି। କ୍ୟାପିଟାଲ ଥାନା ପୁଲିସ ପକ୍ଷରୁ ସହଦେବକୁ କେଦାରପଲ୍ଲୀ ବସ୍ତି ପାଇଁ ‘ପୁଲିସ୍‌ ମିତ୍ର’ ଭାବେ ଚୟନ କରାଯାଇଥିଲା। ଅପରପକ୍ଷେ ଅବକାରୀ ବିଭାଗ ତାକୁ ମଧ୍ୟ ଏହି ଘଟଣାରେ ପଚରାଉଚରା କରିଥିବା ଜଣାଯାଇଛି।

ଥାନା ଘେରାଉ କରୁଥିଲା ସହଦେବ

କମିସନରେଟ୍ ପୁଲିସ ପକ୍ଷରୁ ପୁଲିସ ମିତ୍ର ଭାବେ ଚୟନ ହୋଇଥିବା ସହଦେବ, ବିଏମ୍‌ସିର ଜଣେ ସଫେଇ କର୍ମଚାରୀ। କିନ୍ତୁ ସହଦେବ ପୁଲିସକୁ ସହଯୋଗ କରିବା ବଦଳରେ ଅନେକଥର ପୁଲିସକୁ ହରଡ଼ଘଣାରେ ପକାଇଛି। ମାମଲା ରୁଜୁରେ ବିଳମ୍ବ ହେଲେ ବା ସହଦେବର କହିବାନୁସାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେଲେ, ସେ ଉତ୍ପାତ କରୁଥିଲା। ସଫେଇ କର୍ମଚାରୀଙ୍କୁ ଏକତ୍ରିତ କରି ଥାନା ଘେରାଉ କରୁଥିଲା। ଗତ ନଭେମ୍ବରରୁ ମେ’ ମଧ୍ୟରେ ସହଦେବ ଏହିଭଳି ୨ଥର ଥାନା ଘେରାଉ କରିଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସହଦେବ ସବୁବେଳେ ହାତରେ କିଛି ଅସାମାଜିକ ଯବକଙ୍କୁ ରଖି ବସ୍ତିରେ ନିଶା କାରବାରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଆପରାଧିକ କାର୍ଯ୍ୟକଳାପ କରୁଥିଲା। ଏପରି ସ୍ଥିତିରେ ପୁଲିସ କେଉଁ ମାନଦଣ୍ଡ ଆଧାରରେ ତାକୁ ‘ପୁଲିସ୍‌ ମିତ୍ର’ କରିଥିଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର