‘ନିଷିଦ୍ଧ ନୀଳାଚଳ’ ବଖାଣିଲା ଉତ୍କଳ ଗୌରବଙ୍କ ତ୍ୟାଗର କାହାଣୀ

ଭୁବେନଶ୍ବର: ଉଚ୍ଚ ଶିକ୍ଷା ଲାଭ କରି ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କରିବାର ପଣ କରିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ଓଡ଼ିଆ ଜାତିର ଟେକ ପାଇଁ ସେ ଧର୍ମ ପରିବର୍ତ୍ତନ କରିବାକୁ ବି ପଛାଇନଥିଲେ। ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ପରେ ଓଡ଼ିଆ ସମାଜରୁ ଦୂରରେ ରହି ବି ସେ ଓଡ଼ିଆ ଜାତି, ଓଡ଼ିଆ ଭାଷା ପାଇଁ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। ରାଣୀଙ୍କ ସପକ୍ଷରେ ମକଦ୍ଦମା ଲଢ଼ି ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ଫେରାଇ ଆଣି ସେ ଓଡ଼ିଆ ଜାତିର ମାନ ରଖିଥିଲେ। ମାତ୍ର ପରିତାପର କଥା ଯେଉଁ ନୀଳାଚଳର ଖ୍ୟାତି ପାଇଁ ସେ ଲଢ଼ିଥିଲେ, ତାହା ତାଙ୍କ ପାଇଁ ନିଷିଦ୍ଧ ଥିଲା। ଖ୍ରୀଷ୍ଟିଆନ୍‌ ହୋଇଥିଲେ ବି ତାଙ୍କ ପ୍ରାଣ କାନ୍ଦୁଥିଲା ଜଗନ୍ନାଥଙ୍କ ପାଇଁ। ଜଗନ୍ନାଥଙ୍କ ନାମରେ କୋଟି କୋଟି ଓଡ଼ିଆଙ୍କୁ ସେ ଏକାଠି କରିଥିଲେ। ସ୍ବତନ୍ତ୍ର ଓଡ଼ିଶା ଗଠନ କରିବା ପାଇଁ ମଧୁବାବୁ ଦୁର୍ବାର ଆନ୍ଦୋଳନ କରିଥିଲେ। ମାତ୍ର ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବା ବେଳକୁ ସେ ଆଖି ବୁଜିସାରିଥିଲେ। ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ନାଟକ ‘ନିଷିଦ୍ଧ ନୀଳାଚଳ’ର ଏହା ଥିଲା ବିଷୟବସ୍ତୁ।

ରଜତ କୁମାର କରଙ୍କ ରଚିତ ଏହି ନାଟକକୁ ନିର୍ଦ୍ଦେଶନା ଦେଇଥିଲେ କୈଳାସଚନ୍ଦ୍ର ପାଣିଗ୍ରାହୀ। ରଙ୍ଗମଞ୍ଚ ରାଉରକେଲାର କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା। ମଧୁବାବୁ ଭୂମିକାରେ ସଂଗ୍ରାମ କେଶରୀ ପତିଙ୍କ ଅଭିନୟ ବେଶ୍ ଚମତ୍କାର ଥିଲା। ସୁଦେଶ, ଅରବିନ୍ଦ, ସୌମ୍ୟରଞ୍ଜନ, ହେମନ୍ତ, ବିବେକାନନ୍ଦ, ଅମିୟ, ସୁଜିତ, ଅଜିତ, ଶ୍ରୀଧର, ପ୍ରସନ୍ନ, ସୁଶାନ୍ତ, ଅନିଲ, ଅଶୋକ, କନକଲତା, ମଧୁସ୍ମିତା, ତପସ୍ବିନୀ, ତନିଷାଙ୍କ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସଙ୍ଗୀତ ସଜାଇଥିଲେ କୈଳାସ ସେନାପତି ଏବଂ କଣ୍ଠଦାନ କରିଥିଲେ ସଂଗ୍ରାମ ପତି ଓ କୈଳାସ ପାଣିଗ୍ରାହୀ।

ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ବାରା ଆୟୋଜିତ ଓଡ଼ିଶାର ବରପୁତ୍ରମାନଙ୍କର ଜୀବନୀ ଉପରେ ଆଧାରିତ ୫ ଦିନିଆ ନାଟକ ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଅତିଥି ଭାବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅଭିନେତା ଆକାଶ ଦାସ ନାୟକ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ସଭାପତି ଅରୁଣା ମହାନ୍ତି, ଉପସଭାପତି ମନ୍ମଥ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର