ରାଉରକେଲା: ଗବେଷଣା କ୍ଷେତ୍ରରେ ପୁଣିଥରେ ଚମକିଛି ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)। ଅନୁଷ୍ଠାନର ଗବେଷକ କଖାରୁ ପାଖୁଡ଼ା ଓ ସେରିସିନ୍‌ (ରେଶମ ପ୍ରୋଟିନ) ବ୍ୟବହାର କରି ଏକ ଔଷଧ ବିକଶିତ କରିଛନ୍ତି। ଏହା ଚର୍ମ କର୍କଟ ରୋଗର ଚିକିତ୍ସାରେ ଫଳପ୍ରଦ ସଫଳତା ପ୍ରଦାନ କରିବ। ‘ବାୟୋ-ଇଞ୍ଜିନିୟର୍ଡ୍‌ ଇଥୋସୋମାଲ୍‌ ଫର୍ମୁଲେସନ୍ କମ୍‌ପ୍ରାଇଜିଂ ସିଲ୍କ ସେରିସିନ୍ ପ୍ରୋଟିନ୍’ ଶୀର୍ଷକ ଉଦ୍ଭାବନ ପାଇଁ ପେଟେଣ୍ଟ୍‌ ମଧ୍ୟ ମିଳିସାରିଛି। ସେଲଫିସ୍‌ର ବାହ୍ୟ କଙ୍କାଳ ଚିଟୋସାନ୍‌ରୁ ସୃଷ୍ଟି ଏକ କ୍ୟାପସୁଲ୍ ଭିତରେ ଔଷଧ ରହିଥାଏ। ଏନ୍‌ଆଇଟିର ଆସୋସିଏଟ୍‌ ପ୍ରଫେସର ବିସ୍ମିତା ନାୟକ ଓ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ (ବାରିପଦା)ର ଆସୋସିଏଟ୍‌ ପ୍ରଫେସର ଦେବାଶିଷ ନାୟକ ଏହାକୁ ବିକଶିତ କରିଛନ୍ତି।

Advertisment

ଏହି ଔଷଧ ତିଆରି ପାଇଁ ବ୍ୟବହୃତ ସମସ୍ତ କଞ୍ଚାମାଲରେ କୌଣସି କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇନି। ରୋଗୀମାନେ ଏହାକୁ ସେମାନଙ୍କ ଚର୍ମରେ ଏକ ମଲମଭାବେ ବ୍ୟବହାର କରିପାରିବେ। ଏନେଇ ପ୍ରଫେସର ବିସ୍ମିତା ନାୟକ କହିଛନ୍ତି, ୨୦୧୨ ମସିହାରୁ ଏ ଦିଗରେ ଅଧ୍ୟୟନ ଆରମ୍ଭ ହୋଇଥିଲା। ପ୍ରାଚୀନ କାଳରୁ ଭାରତୀୟ ଖାଦ୍ୟରେ କଖାରୁ ଏକ ପ୍ରମୁଖ ସ୍ଥାନ ଅଧିକାର କରେ। ସେହିଭଳି ସେରିସିନ୍, ଯାହାକୁ ସାଧାରଣତଃ ରେଶମ ଶିଳ୍ପରେ ଏକ ଅପଚୟ ସାମଗ୍ରୀ ଭାବେ ବିବେଚନା କରାଯାଏ।

ତେବେ ଏହାର ଚର୍ମ-ପୁନର୍ଜୀବନ କ୍ଷମତା ସହ ପ୍ରସ୍ତୁତ ଫର୍ମୁଲେସନର କର୍କଟ ପ୍ରତିରୋଧୀ କ୍ଷମତାକୁ ବୃଦ୍ଧି କରିବା ପାଇଁ ବ୍ୟବହୃତ ହେଉଥିଲା। ଚିଟୋସାନ୍, ଏକ ଧନାତ୍ମକ ଚାର୍ଜ୍‌ଯୁକ୍ତ ପଲିମର ଓ ଏସିଡିକ୍ ମାଧ୍ୟମରେ ଦ୍ରବିଭୂତ ହୁଏ; ଯାହାକି ଔଷଧର ଅନସାଇଟ୍‌ମୁକ୍ତ ପାଇଁ ସର୍ବୋତ୍ତମ ପଲିମେରିକ୍ ସାମଗ୍ରୀ ପ୍ରଦାନ କରିଥାଏ।

କର୍କଟ ସ୍ଥାନର ଚାରିପାଖରେ ଥିବା ଏସିଡିକ୍ ସୂକ୍ଷ୍ମ ପରିବେଶ ନିଜେ ଚିଟୋସାନ୍ ମାଟ୍ରିକ୍ସର ଧୀର ବିଲୋପ କରିବାରେ ସାହାଯ୍ୟ କରିବ ଓ ସେରିସିନ୍ କର୍କଟ ସ୍ଥାନରେ ସମୟ ସମୟରେ ରିଲିଜ୍‌ କରିବ। ଅନ୍ୟତମ ଗବେଷକ ପ୍ରଫେସର ନାୟକ କହିଛନ୍ତି, ଏହି ଉଦ୍ଭାବନକୁ କର୍କଟ କୋଷ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଉପାଦାନର ସିଧାସଳଖ ଟ୍ରାନ୍ସଡର୍ମାଲ୍ ବିତରଣ ପାଇଁ ମଲମଭାବେ ବ୍ୟବହାର କରାଯାଇପାରିବ। ଏହି ଉତ୍ପାଦକୁ ରୋଗୀ ନିଜେ ବ୍ୟବହାର କରିପାରିବେ। ଏହାସହ ନାନୋ ଫର୍ମୁଲେସନଗୁଡ଼ିକୁ ପଚନ ହୋଇଥିବା ଟ୍ୟୁମର, ଆଣ୍ଟି-ବ୍ୟାକ୍ଟେରିଆଲ୍ ଡ୍ରେସିଂ/କ୍ଷତ ସୁସ୍ଥତା, ସାମୟିକ ଓ ଚର୍ମ ବିତରଣ ପାଇଁ ସିଲେଇ ସାମଗ୍ରୀ/ମଲମ କ୍ଷେତ୍ରରେ ବ୍ୟବହୃତ କର୍କଟ ବିରୋଧୀ ଔଷଧ ପ୍ରସ୍ତୁତି ଓ ବିକାଶ ପାଇଁ ବ୍ୟବହାର କରାଯାଇପାରିବ।

 NIT Rourkela