ପୂର୍ଣାଙ୍ଗ ପାଇଁ ହେବ ସମୀକ୍ଷା

ଆଜି ଏମ୍‌ସ ଆସୁଛନ୍ତି ନିତି ଆୟୋଗ

ଖଣ୍ଡଗିରି: ଶୁକ୍ରବାର ଭୁବନେଶ୍ୱର ଏମ୍‌ସ ପରିଦର୍ଶନରେ ଆସୁଛନ୍ତି ନିତି ଆୟୋଗର ଏକ ଟିମ୍‌। ଭୁବନେଶ୍ୱର ଏମ୍‌ସକୁ ପୂର୍ଣାଙ୍ଗ ରୂପ ଦେବାକୁ ଚାଲିଥିବା କାର୍ଯ୍ୟକ୍ରମର ସମୀକ୍ଷା କରିବା ପାଇଁ ଏହି ଟିମ୍‌ ଆସୁଥିବା ସୂଚନା ମିଳିଛି। ଏହି ଟିମ୍‌ ପ୍ରାୟ ୨ ଘଣ୍ଟା ଧରି ଏମ୍‌ସର ସମସ୍ତ ବିଭାଗ ବୁଲି ଦେଖିବା ସହ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମ ବାବଦରେ କର୍ତ୍ତୃପକ୍ଷ ଓ ଠିକାଦାର ସଂସ୍ଥାଙ୍କ ସହ ବିସ୍ତୃତ ଆଲୋଚନା କରିବ। ଗତ ସପ୍ତାହରେ ଏମ୍‌ସର ପରିଚାଳନା କମିଟି ବୈଠକ ବସିଥିବା ଓ ପରେ ପରେ ଏଠାକୁ ନିତି ଆୟୋଗର ଏହି ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଥିବା ଚର୍ଚ୍ଚା ହେଉଛି।

ସୂଚନାନୁସାରେ ନିତି ଆୟୋଗର ଚିଫ୍‌ ଅଫିସର ପ୍ରଫେସର ବିନୋଦ ପାଲ୍‌ ଓ ତାଙ୍କ ସହିତ ପିଏମ୍‌ଏସ୍‌ଏସ୍‌ଓ୍ଵାଇର ଯୁଗ୍ମ ସଚିବ ସୁନୀଲ ଶର୍ମାଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଏହି ଟିମ୍‌ରେ ଅଛନ୍ତି। ସେମାନେ ପୂର୍ବାହ୍ଣ ୧୧ଟାରେ ଏମ୍‌ସରେ ପହଞ୍ଚିବା ପରେ ବିଭିନ୍ନ ବିଭାଗ ବୁଲି ଦେଖିବେ। ବିଶେଷକରି ମଡ୍ୟୁଲାର୍‌ ଓଟି, ଗ୍ୟାସ୍‌ ପାଇପ୍‌ ସଂଯୋଗ ଆଦି ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିବେ। ନୂତନ ଡାକ୍ତର ନିଯୁକ୍ତି ଉପରେ ମଧ୍ୟ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଗତ ସପ୍ତାହରେ ନୂଆଦିଲ୍ଲୀରେ ଏମ୍‌ସ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଡାକ୍ତର ନିଯୁକ୍ତି ଉପରେ ମୋହର ଲାଗିଥିବା ଜଣାପଡ଼ିଛି। ଖୁବ୍‌ଶୀଘ୍ର ୧୩୦ଜଣ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୭ ମସିହା ଶେଷ ସୁଦ୍ଧା ଭୁବନେଶ୍ୱର ଏମ୍‌ସକୁ ପୂର୍ଣାଙ୍ଗ ରୂପ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟବିଭାଗ ପ୍ରତିଶ୍ରୁତି ଦେଇଥିଲା।

ସମ୍ବନ୍ଧିତ ଖବର