କଫ୍ ସିରପ୍ ପରେ ନାଇଟ୍ରୋସେନ୍ ବଟିକା, ରାଜ୍ୟବ୍ୟାପୀ ଗ୍ରୋସେରି ଦୋକାନ ଉପରେ ନଜର

ଭୁବନେଶ୍ବର: ଗତ ୨୫ ତାରିଖରେ ରାଜଧାନୀରେ ୨୬ହଜାର ୫ଶହ ବୋତଲ କଫ୍ ସିରପ୍‌ ଜବତ ହେବା ପରେ ଏବେ ଚେଇଁ ଉଠିଛି ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ। ଏତେ ପରିମାଣର କଫ୍ ସିରପ୍ ରାଜଧାନୀକୁ କିଭଳି ଆସିଲା, ତାହାର ପ୍ରମୁଖ ଉତ୍ସ ଖୋଜିବା ଆରମ୍ଭ କରିଛି। ତେବେ କଫ୍ ସିରପ୍ ସଂପର୍କରେ ଖୋଳତାଡ଼ ଆରମ୍ଭ ହେବା ପରେ ରାଜ୍ୟରେ ଏବେ ନାଇଟ୍ରୋସେନ୍ ୧୦ ନିଶା ବଟିକା ବେଆଇନ ଭାବେ ବିକ୍ରି ହେଉଥିବା ନଜରକୁ ଆସିଛି। ଏପରିକି ଗ୍ରୋସେରି ଦୋକାନରେ କଫ୍ ସିରପ୍ ବିକ୍ରି ହେଉଥିବା ଯାଞ୍ଚ ସମୟରେ ଧରାପଡ଼ିଛି। କେଉଁ ପରିସ୍ଥିତିରେ ଗ୍ରୋସେରି ଦୋକାନରେ କଫ୍ ସିରପ୍‌ ଆସିଲା, ତାହା ଜାଣିବା ପାଇଁ ଡ୍ରଗ୍‌ସ କଣ୍ଟ୍ରୋଲର ଉଦ୍ୟମ ଚଳାଇଛି।

ସୂଚନା ମୁତାବକ, ରାଜଧାନୀରେ ବିପୁଳ ପରିମାଣର କଫ୍ ସିରପ ଜବତ ହେବା ପରେ ଡ୍ରଗ୍‌ସ କଣ୍ଟ୍ରୋଲର ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ରାଜଧାନୀ ସମେତ କଟକ ଓ ଖୋର୍ଧାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଗତକାଲି କଟକର ଏମ୍‌ ଆର ଫାର୍ମାସ୍ୟୁଟିକାଲରେ ଚଢ଼ଉ କରାଯିବା ପରେ ସେଠାରେ ବିପୁଳ ପରିମାଣର ନିଶା ଔଷଧ ବିକ୍ରି ହେଉଥିବା ନଜରକୁ ଆସିଥିଲା। ଏହାର ଚେର ଖୋଜୁ ଖୋଜୁ ଟିମ୍ ଆଶୁତୋଷ ଫାର୍ମାସ୍ୟୁଟିକାଲ ସମାନ ନିଶା ଔଷଧ ବିକ୍ରି କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ଏହି ଔଷଧ ଯୋଗାଉଥିବା ନଜରକୁ ଆସିଥିଲା। କିନ୍ତୁ ଏତେ ପରିମାଣର ନିଶା ଔଷଧ ରଖିବା ପାଇଁ ଆବଶ୍ୟକ କାଗଜପତ୍ର ଦେଖାଇପାରି ନ ଥିଲା ଆଶୁତୋଷ ଫାର୍ମା। ଫଳରେ ଦୋକାନୀ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏହାର ତଥ୍ୟ ଆଧାରରେ ଚୌଦ୍ବାର ଅଞ୍ଚଳର ସୁରକ୍ଷା ମେଡିକାଲ ଷ୍ଟୋରରୁ ୧୩ଶହ ନାଇଟ୍ରୋସେନ୍ ବଟିକା ଜବତ କରାଯାଇଥିଲା। ଅପରପକ୍ଷେ ନିକଟରେ ଅନୁଗୁଳରୁ ୧୧୬୮ଟି ବୋତଲ ଏସ୍‌କଫ କଫ୍ ସିରପ ଜବତ କରାଯାଇଥିଲା। ଏହାସହ ବୌଦ୍ଧ ଅଞ୍ଚଳରେ ଏକ ଗ୍ରୋସେରି ଦୋକାନରେ ଏସକଫ୍ କଫ୍ ସିରପ ସ୍ଥାନୀୟ ଡ୍ରଗ୍‌ସ ଇନ୍‌ସେପକ୍ଟର ଚଢ଼ଉ କରି ଜବତ କରିଥିଲେ। ତେବେ ଔଷଧ ଦୋକାନରେ ବିନା ପ୍ରେସ୍‌କ୍ରିପସନ୍‌ରେ କଫ୍ ସିରପ୍ ଦିଆଯାଉ ନ ଥିବା ବେଳେ ଗ୍ରୋସେରି ଦୋକାନରେ ଏହା ଉପଲବ୍ଧ ହେବା ଡ୍ରଗ୍‌ସ କଣ୍ଟ୍ରୋଲର ନିଦ ହଜାଇ ଦେଇଛି। ରାଜ୍ୟ ବାହାରୁ ବେଆଇନ ଭାବେ ଏଭଳି କଫ୍ ସିରପ ଓ ନିଶା ବଟିକା ଓଡ଼ିଶାକୁ ଆସୁଥିବା ସ୍ପଷ୍ଟ ହୋଇଯାଇଛି। ଏହା ପଛରେ ବିଧିବଦ୍ଧ ଭାବେ ଏକ ରୢାକେଟ୍ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଛି। ଅପରପକ୍ଷରେ ଏବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ମଦ ବିକ୍ରି ଉପରେ ରୋକ୍ ଲାଗିବ। ତେଣୁ କଫ୍ ସିରପ୍ ଓ ନିଶା ବଟିକାର ବିକ୍ରି ବୃଦ୍ଧି ପାଇବାର ଅଧିକ ଆଶଙ୍କା ରହିଛି। ତେଣୁ ସନ୍ଦେହ ପରିସରକୁ ଆସୁଥିବା ଗ୍ରୋସେରି ଦୋକାନ ଉପରେ ନଜର ରଖିବା ପାଇଁ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଡ୍ରଗ୍‌ସ କଣ୍ଟ୍ରୋଲର(ଭାରପ୍ରାପ୍ତ) ଏମ୍‌. ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ପୁଲିସ୍ ପକ୍ଷରୁ ରାଜଧାନୀରୁ କଫ୍ ସିରପ୍ ଜବତ ହେବା ପରେ ଡ୍ରଗ୍‌ସ ଇନ୍‌ସପେକ୍ଟରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ସେମାନେ ରାଜଧାନୀ ସମେତ ଖୋର୍ଧା ଓ କଟକରେ ଚଢ଼ଉ କରିଥିଲେ। ସେଠାରେ କଫ୍ ସିରପ ସହିତ ନିଶା ବଟିକା ବିକ୍ରି ହେଉଥିବା ନଜରକୁ ଆସିଛି। ଯେଉଁ ଫାର୍ମାଗୁଡ଼ିକରେ ଏଭଳି ବେଆଇନ ବିକ୍ରି ଚାଲିଥିଲା, ତାହାର ମୂଳ ଉତ୍ସକୁ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଖୁବଶୀଘ୍ର ଏ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର