ଓହରିଗଲେ ନିଜାମୁଦ୍ଦିନ୍‌: ବିଜେଡି ପାଇଁ ବୁଲିଲେ

ଭୁବନେଶ୍ବର: ବିଦ୍ରୋହୀଙ୍କୁ ମନାଇବାରେ ବିଜେଡିର ଚାଲିଥିବା ଉଦ୍ୟମରେ ଆଜି ଏକ ବଡ଼ ସଫଳତା ମିଳିଛି। ୨୯ ନମ୍ବର ୱାର୍ଡରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ପୂର୍ବତନ କର୍ପୋରେଟର୍‌ ଶେକ୍‌ ନିଜାମୁଦ୍ଦିନ୍ ଲଢ଼େଇରୁ ଓହରିଆସିଛନ୍ତି। ଆଜି ସେ ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଏହା ସହ ସିଧାସଳଖ ଭାବେ ୨୯ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ତଥା ତାଙ୍କର ଏକାନ୍ତ ସହଯୋଗୀ ଏ. ରାଜୁଙ୍କ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି। ସେ ବିଜେଡିରେ ଥିଲେ, ଏବେ ବିଜେଡିରେ ଅଛନ୍ତି ଓ ଦଳ ପାଇଁ ଆଗକୁ କାମ କରିବେ ବୋଲି ନିଜାମୁଦ୍ଦିନ୍ କହିଛନ୍ତି। ତେବେ କାହିଁକି ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ଓ କ’ଣ ଚାପ ପଡ଼ିଲା ସେ ନେଇ ମୁହଁ ଖୋଲିନାହାନ୍ତି।

ପୂର୍ବରୁ ୬ ଥର କର୍ପୋରେଟର୍‌ ଥିବା ନିଜାମୁଦ୍ଦିନ୍ ଏଥର ବି କର୍ପୋରେଟର୍‌ ଟିକେଟ୍‌ ପାଇବା ଏକ ପ୍ରକାର ନିଶ୍ଚିତ ଥିଲା। ଟିକେଟ୍‌ ଆଶାରେ ବିଜେଡି ପୋଷ୍ଟର ବ୍ୟାନର ସହ ସମର୍ଥକଙ୍କୁ ନେଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ ଓ ପୂର୍ବରୁ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଥିଲେ। କାରଣ ତାଙ୍କ ଛଡ଼ା ଏଠାରୁ ଆଉ କାହାକୁ ଟିକେଟ୍‌ ଦେବା ନେଇ ଚର୍ଚ୍ଚା ମଧ୍ୟ ନଥିଲା। ହେଲେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ସବୁ ଓଲଟପାଲଟ ହୋଇ ଯାଇଥିଲା।

ତାଙ୍କର ଏକାନ୍ତ ସହଯୋଗୀ ତଥା ଚା’ ଦୋକାନ କରିଥିବା ଏ. ରାଜୁ ଏହି ୨୯ ନମ୍ବର ୱାର୍ଡ ପାଇଁ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଉଭୟ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ମଧ୍ୟ ସେହି ଦିନ ସନ୍ଧ୍ୟାରେ ବିଜେଡି ଦଳ ପକ୍ଷରୁ ଏ. ରାଜୁଙ୍କ ପାଇଁ ଦଳୀୟ ଟିକେଟ୍‌ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରାଯାଇଥିଲା। ଫଳରେ ଉଭୟ ପ୍ରାର୍ଥୀ ମୁହାଁମୁହିଁ ହେବା ସହ ଦଳୀୟ ନେତୃତ୍ବ ମହଲରେ ଚିନ୍ତାର କାରଣ ହୋଇଥିଲା। ଭୁବନେଶ୍ବର ମଧ୍ୟ ବିଧାୟକଙ୍କ ସହ ମେୟର ପ୍ରାର୍ଥୀ ମଧ୍ୟ ନିଜାମୁଦ୍ଦିନଙ୍କ ଘରେ ପହଞ୍ଚି ବୁଝାଇବା ଆରମ୍ଭ କରିଥିଲେ। ଗତ ରାତିରେ ଉଭୟ ପ୍ରାର୍ଥୀଙ୍କୁ ଏକାଠି କରି ଦଳୀୟ ନେତୃବୃନ୍ଦ ନିଜାମ୍‌ଙ୍କୁ ବୁଝାଇବାକୁ ସକ୍ଷମ ହୋଇଥିଲେ। ଆଜି ପୂର୍ବାହ୍ନରେ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି।

ନିଜାମୁଦ୍ଦିନ୍ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଏହି ୱାର୍ଡର ଚିତ୍ର ସ୍ପଷ୍ଟ ହୋଇଛି। ଅର୍ଥାତ୍‌ ବିଜେଡିର ଏ.‌ ରାଜୁ, ବିଜେପିର ଅପରୂପ ନାରାୟଣ ଓ କଂଗ୍ରେସର ଦେବୀପ୍ରସାଦ ବାହାଲିଆଙ୍କ ମଧ୍ୟରେ ଏଠାରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର