ଏନ୍‌ଏମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ବାର୍ଷିକ ଉତ୍ସବ ‘ଟେକ୍ନୋଫ୍ୟୁଜନ୍‌-୨୦୧୮’

ଭୁବନେଶ୍ୱର: ବୈଷୟିକ ଶିକ୍ଷାନୁଷ୍ଠାନ ଏନ୍‌ ଏମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଟେକ୍ନୋଫ୍ୟୁଜନ୍‌-୨୦୧୮ ଦୁଇ ଦିନ ଧରି ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ ଓ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୋଧିସତ୍ତ୍ୱ ଦାଶ ଯୋଗ ଦେଇଥିଲେ। ଏନ୍‌ ଏମ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପରିଡ଼ା, ନିର୍ଦ୍ଦେଶକ କେ ସି ସିଂହ ଓ କ୍ଷୀରୋଦ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। କର୍ପୋରେଟ୍‌ ରିଲେସନ୍‌ ନିର୍ଦ୍ଦେଶିକା ଶିଳ୍ପା ପରିଡ଼ା ଉଦ୍‌ଘାଟନୀ ଭାଷଣ ଦେଇଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉତ୍ସବର ଦ୍ୱିତୀୟ ଦିନରେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ଭାସ୍କର୍ଯ୍ୟଶିଳ୍ପୀ ପ୍ରଭାକର ମହାରଣା ଓ ସିନର୍ଜି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଅଧ୍ୟକ୍ଷ ବିନୋଦ ଦାଶଙ୍କୁ ‘ଏନ୍‌ ଏମ୍‌ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା ‘ଇମ୍‌ପ୍ରିଣ୍ଟ୍‌’ ଉନ୍ମୋଚନ କରାଯାଇଥିଲା। ଆବାହକ ପ୍ରଫେସର ଜ୍ଞାନେନ୍ଦ୍ର କୁମାର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର