ଏନ୍‌ଏମ୍‌ଏ ଜମି କିଣିବିନି, କଟକଣା ଲଗାଇବ; କୀର୍ତ୍ତିରାଜିର ୧୦୦ମିଟର ଭିତରେ ଜମି କ’ଣ ହେବ?

ଆମେ ଜମି କିଣିବା ନିୟମ ନାହିଁ: ଏଏସ୍‌ଏଆଇ ଅଧୀକ୍ଷକ

ବିଶ୍ବଜିତ ଦାଶ
ଭୁବନେଶ୍ବର: କୌଣସି ଐତିହ୍ୟ, କୀର୍ତ୍ତିରାଜିର ୧୦୦ମିଟର ପରିଧି ଭିତରେ କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ ହୋଇପାରିବନି। ଜୁଲାଇ ୧୬, ୧୯୯୨ ମସିହା ପୂର୍ବରୁ ଯାହା ନିର୍ମାଣ ହୋଇଛି ସେତିକି ରହିବ। ଖାଲି ଜମି ଥିଲେ ସେମିତି ପଡ଼ିଆ ପଡ଼ିବ। ଏପରିକି ଘର ସଂପୂର୍ଣ୍ଣ ଭାଙ୍ଗିଗଲେ କେହି ନୂଆ ଘର ନିର୍ମାଣ କରିପାରିବେନି। ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ)ପକ୍ଷରୁ ଏହିଭଳି ନିୟମ ହୋଇଛି।

ଏଠାରେ ପ୍ରଶ୍ନ ଉଠୁଛି ଯାହାର ଖାଲି ଜମି ଅଛି ସେ କ’ଣ କରିବ? ଏନ୍‌ଏମ୍‌ଏର କଟକଣା ପାଇଁ କ’ଣ କୋଟି କୋଟି ଟଙ୍କାର ଜମିକୁ ପଡ଼ିଆ ପକାଇଦେବ? ସରକାରୀ ରେକର୍ଡରେ ଜମି ଥିବାରୁ ବାସହରା କି ଭୂମିହୀନ ବୋଲି ଗଣତି ହେବନି। ସରକାରୀ ସୁବିଧା ସୁଯୋଗ ବି ମିଳିବନି। ତେବେ କ’ଣ କୋଟି କୋଟି ଟଙ୍କାର ଜମିକୁ ପଡ଼ିଆ ପକାଇ ବସ୍ତିରେ ରହିବ ନା ରାସ୍ତାରେ ଶୋଇବ?

ଏନ୍‌ଏମ୍‌ଏ ନିୟମାବଳୀରେ ଐତିହ୍ୟ, କୀର୍ତ୍ତିରାଜିର ୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ କରିପାରିବନି ବୋଲି ଦୀର୍ଘ ବର୍ଷ ହେଲା ନିୟମ ଥିଲେ ହେଁ ଏହାକୁ କେହି ମାନୁନାହାନ୍ତି। ମନ୍ଦିର, କୀର୍ତ୍ତିରାଜିକୁ ଲଗାଇ ଘର ନିର୍ମାଣ କରିଦେଇଛନ୍ତି। ୧୯୯୨ ମସିହାରୁ ଏନ୍‌ଏମ୍‌ଏ କଟକଣା ଲାଗୁ କରିଛି। ହେଲେ ଏବେବି କୀର୍ତ୍ତିରାଜି ଚାରିକଡ଼ୁ ସୁଉଚ୍ଚ କୋଠା ନିର୍ମାଣ ହେଉଛି। କିଛି କିଛି ଲୋକ ନିୟମକୁ ଡରି ଘର ନିର୍ମାଣ କରିନାହାନ୍ତି, କିଛି ଲୋକଙ୍କର ପୈତୃକ ସମ୍ପତ୍ତି ହୋଇଥିଲେ ହେଁ ଏହା ଉପରେ ଘର ପ୍ଲାନ୍ ଅନୁମୋଦନ ହେଉନି କି ବ୍ୟାଙ୍କ ଋଣ ମିଳୁନି। ଯଦି କିଏ ଜମି ବିକିବାକୁ ଚାହୁଁଛି ତେବେ ଲୋକ ଶାଗମାଛ ଦର‌େର କିଣିବାକୁ କହୁଛନ୍ତି। ସ୍ଥିତି ଏପରି ହୋଇଛି ଯେ, ରାଜ୍ୟ ସରକାର ଏବେ ପୁରୀ ଶ୍ରୀ ମନ୍ଦିର ଓ ଭୁବନେଶ୍ବରରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ବଫର୍‌ ଜୋନ୍ ପ୍ରସ୍ତୁତ କରୁଥିଲେ ହେଁ ବାକି କୌଣସି ସ୍ଥାନରେ ଏହି ବଫର୍‌ ଜୋନ୍‌ ପ୍ରସ୍ତୁତ କରିବା ସମ୍ଭବ ନୁହେଁ।

ଐତିହ୍ୟ ବାଇ ଲ’ ନାଁରେ ଏନ୍‌ଏମ୍‌ଏ ଏବେ ଯେଉଁ କଟକଣା ଲଗାଉଛି ତାହାକୁ କେହି ଜଣେ ବି ନମାନିବାର ମୁଖ୍ୟ କାରଣ ହେଉଛି ଏନ୍‌ଏମ୍‌ଏ ଗାଇଡଲାଇନ୍। ଏନ୍‌ଏମ୍‌ଏ ଯେଉଁ ଅଞ୍ଚଳରେ କଟକଣା ଲଗାଉଛି ସେହି ଅଞ୍ଚଳର ଜମି କ’ଣ ହେବ ସେନେଇ ଏନ୍‌ଏମ୍‌ଏ କର୍ତ୍ତୃପକ୍ଷଙ୍କ ପାଖରେ ଉତ୍ତର ନାହିଁ। ଓଲଟି କହୁଛନ୍ତି ଆମେ ଐତିହ୍ୟ, କୀର୍ତ୍ତିରାଜିର ୧୦୦ ମିଟର ଭିତରେ ଜମି କିଣିଲେ ସାରା ଦେଶରେ କେତେ ଜମି କିଣିବୁ, କେତେ କୋଟି ଖର୍ଚ୍ଚ କରିବୁ। ତେଣୁ ଆମେ ଜମି କିଣୁନୁ। ଲୋକ ଯଦି ଆମ ନିୟମ ନମାନି ନିର୍ମାଣ କରିବେ ତେବେ ଆମେ ସ୍ଥାନୀୟ ଥାନାରେ ଅଭିଯୋଗ କରିବୁ। ଏହାକୁ ଉଚ୍ଛେଦ କରିବା କାମ ସ୍ଥାନୀୟ ଉନ୍ନୟନ କର୍ତ୍ତୃପକ୍ଷଙ୍କର।

ଏଏସ୍‌ଏଆଇର ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି ଯେ, ଅାମ କାମ ହେଉଛି ଐତିହ୍ୟ, କୀର୍ତ୍ତିରାଜିର ସଂରକ୍ଷଣ କରିବା। ଏନ୍‌ଏମ୍‌ଏ କାର୍ଯ୍ୟ ହେଉଛି ଐତିହ୍ୟ, କୀର୍ତ୍ତିରାଜି ସଂରକ୍ଷଣ ପାଇଁ କଟକଣା ଲଗାଇବା ଓ ଏନ୍‌ଓସି ଦେବା। ଏନ୍‌ଏମ୍‌ଏ ଗାଇଡଲାଇନ୍‌ରେ ଖୋଲା ଜମି କିଣିବା ନିୟମ ନାହିଁ। ଯାହାର ଜମି ଅଛି ତାଙ୍କୁ ଆମେ ଘର ନିର୍ମାଣ କରିବାକୁ ବି ଅନୁମତି ଦେବୁନି। ଯେଉଁଥିପାଇଁ ଏବେ ପୁରୁଣା ଭୁବ‌େନଶ୍ବର, ଶିଶୁପାଳଗଡ଼ ଭଳି ରାଜଧାନୀର ବହୁ ଐତିହ୍ୟସ୍ଥଳୀ ଚାରିକଡ଼େ ‌ବେଆଇନ ନିର୍ମାଣ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଆମର ବି ଉଚ୍ଛେଦ କରିବାର କ୍ଷମତା ନାହିଁ। ତେଣୁ ଆମେ ଭାଙ୍ଗିପାରୁନୁ। ଏନ୍ଏମ୍‌ଏ ପକ୍ଷରୁ ଓଡ଼ିଶା ପାଇଁ ସଂସ୍କୃତି ନିର୍ଦ୍ଦେଶକଙ୍କୁ କ୍ଷମତାପ୍ରାପ୍ତ ଅଧିକାରୀ କରାଯାଇଛି। ସେ ହିଁ ଅଧିକ କିଛି କହିପାରିବେ। ଏନେଇ ଲୋକମାନେ ଏନ୍‌ଏମ୍‌ଏରେ ଅଭିଯୋଗ କଲେ ଏହାର ବାଟ ଫିଟନ୍ତା। କିନ୍ତୁ କେହି କରୁନାହାନ୍ତି।
ଅପରପକ୍ଷେ ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏନ୍‌ଏମ୍‌ଏର ଆମେ କ୍ଷମତାପ୍ରାପ୍ତ ଅଧିକାରୀ ହୋଇଥି‌େଲ ହେଁ ଆ‌ମର କିଛି ନିଷ୍ପତ୍ତି ନେବାର କ୍ଷମତା ନାହିଁ। ଏନ୍‌ଏମ୍‌ଏରେ ଯେଉଁମାନେ କୌଣସି ଆବେଦନ କରିବାକୁ ଚାହୁଁଥିବେ ସେମାନେ ଆମ ମାଧ୍ୟମରେ‌ ଆବେଦନ କରିବେ। ଆମେ ଆବେଦନପତ୍ରକୁ ଏନ୍‌ଏମ୍‌ଏ ମୁଖ୍ୟାଳୟକୁ ପଠାଇବୁ।

ଅପରପକ୍ଷେ ବିଡିଏର ଜଣେ ଅଧିକାରୀ କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁ ଐତିହ୍ୟ କୀର୍ତ୍ତିରାଜିର ଉନ୍ନତୀକରଣ କରୁଛନ୍ତି ସେଠାରେ ଜମି ଅଧିଗ୍ରହଣ କରୁଛନ୍ତି। ସବୁ ସ୍ଥାନରେ କାହିଁକି ଜମି ଅଧିଗ୍ରହଣ କରିବେ। ଯିଏ କଟକଣା ଲଗାଉଛି ସେ ଜମି କିଣିଲେ ଲୋକଙ୍କର ସମସ୍ୟା ରୁହନ୍ତାନି। ଏନ୍‌ଏମ୍‌ଏ ଓ ଏଏସ୍‌ଆଇ ଯେପରି ଚାହିଁବେ ସେମିତି ଐତିହ୍ୟ, କୀର୍ତ୍ତିରାଜିର ସଂରକ୍ଷଣ କରିପାରିବେ।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଏନ୍‌ଏମ୍‌ଏ ଚିଠା ବାଇ ଲ’କୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ୧୦୦ ମିଟର ଭିତରେ ଥିବା ଖୋଲା ଜମିକୁ ଏନ୍‌ଏମ୍‌ଏ ଅଧିଗ୍ରହଣ କରିବ କି ରାଜ୍ୟ ସରକାର ଗ୍ରହଣ କରିବେ ସେନେଇ କିଛି ଉଲ୍ଲେଖ ନାହିଁ। ଯଦି ରାଜ୍ୟ ସରକାର ଅଧିଗ୍ରହଣ କରିବାକୁ ଦିଆଯାଆନ୍ତା ତେବେ ଏହାକୁ ନିୟମ ଅନୁଯାୟୀ ଉନ୍ନତୀକରଣ କରିବା ସହ ସର୍ବସାଧାରଣଙ୍କ ପାଇଁ ବ୍ୟବହାର କରାଯାଇପାରନ୍ତା। ହେଲେ ତାହା ହେଉନି।

ସମ୍ବନ୍ଧିତ ଖବର