ଭୁବନେଶ୍ବର: ‘ମାଆ ହେଉଛି ଦୁନିଆର ସବୁଠୁ ଶ୍ରେଷ୍ଠ ମ୍ୟାନେଜର୍‌। ଘର ସଂସାରର ସୁପରିଚାଳନା ସହିତ ପିଲାଙ୍କୁ ଭଲ ମଣିଷ କରି ଗଢ଼ିବାରେ ମାଆଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସମ୍ପ୍ରତି ‌ସମାଜରେ ଯୌଥ ପରିବାର ବ୍ୟବସ୍ଥା ଲୋପପାଇବାକୁ ବସିଛି। ପୂର୍ବେ ଯୌଥ ପରିବାର ପରିଚାଳନା‌ରେ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ମାଆଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ସୀମିତ ସାଧନରେ ସମସ୍ତଙ୍କୁ ଅସୀମିତ ଆନନ୍ଦ ଦେଉଥିବା ମଣିଷଟିକୁ ‘ମାଆ’ ବୋଲି କୁହାଯାଏ। ତେଣୁ ଏମ୍‌ବିଏ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜ ମାଆଙ୍କ ପାଖରୁ ପରିଚାଳନାର କଳା ଆହରଣ କରିବା ଆବଶ୍ୟକ।’ ଆଜି ଏନ୍‌ଏମ୍‌ଆଇଇଟି ବି-ସ୍କୁଲ୍‌ର ଏମ୍‌ବିଏ ବିଭାଗ ଆନୁକୂଲ୍ୟରେ ଆୟୋଜିତ ପ୍ରବେଶ ଉତ୍ସବ ‘ପ୍ରାରମ୍ଭ-୨୫’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏଭଳି କହିଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ଆଜିର ପରିବର୍ତ୍ତନଶୀଳ ସମାଜରେ ନିଯୁକ୍ତିର ଅଭାବ ନାହିଁ। ବିଜ୍ଞାନ, କାରିଗରୀ ଓ ଜ୍ଞାନକୌଶଳର ଅଗ୍ରଗତି ହେତୁ ଏକାଧିକ ‌କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହେଉଛି। ଏଣୁ ଏହି ନୂତନ ସମାଜ ସହିତ ଖାପ ଖୁଆଇବା ଲାଗି ଏକାଧିକ ବୃତ୍ତିରେ ଦକ୍ଷତା ଓ ସାମର୍ଥ୍ୟ ହାସଲ କରିବା ସହ ବହୁଭାଷୀ ହେବା ମଧ୍ୟ ଜରୁରି ବୋଲି ସେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଆଇଆଇଟି ଭୁବନେଶ୍ବରର ପ୍ରଫେସର୍‌ ଦୁଃଖବନ୍ଧୁ ସାହୁ କହିଲେ ଯେ ପ୍ରତ୍ୟେକ ପରିସ୍ଥିତିରେ ଏକାଗ୍ରତାର ସହିତ କାମ କରିପାରିଲେ, ଜଣେ ନିଶ୍ଚୟ ସଫଳ ହୋଇପାରିବ। ଏହି ଅବସରରେ ଅଧ୍ୟକ୍ଷା ରୀଚା ପରିଡ଼ା ଅନୁଷ୍ଠାନର ସଫଳତା ସମ୍ପର୍କରେ କହିଥିଲେ। ଉପାଧ୍ୟକ୍ଷା ଶୀଳ୍ପା ପରିଡ଼ା, ଜୀବନରେ ଆସୁଥିବା ପ୍ରତ୍ୟେକ ଆହ୍ବାନକୁ ଦୃଢ଼ତାର ସହିତ ମୁକାବିଲା କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସ୍ମରଣିକା ‘ଦି ଅଲ୍‌ଟ୍ରୁଇଷ୍ଟ’ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରିନ୍ସପାଲ୍‌ ନିରଞ୍ଜନ ମିଶ୍ର, ‘ପିନାକିଲ୍‌’ର ମାନବସମ୍ବଳ ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ଦାଶ, ଏନ୍‌ଏମ୍‌ଆଇଟିର ନିର୍ଦ୍ଦେଶକ ଅନ୍ବେଷ ଦାସ ଓ ବିଘ୍ନେଶ ରଏ, ଡିନ୍‌ ସରୋଜକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏକାଡେମିକ୍‌ ନିର୍ଦ୍ଦେଶକ ଏସ୍‌ପି ଦାସ ଧନ୍ୟବାଦ ଦେଇଥିଲେ।