ଭୁବନେଶ୍ବର: ରାଜଧାନୀର ସବୁଠୁ ବଡ଼ ମାର୍କେଟ୍ ୧ନମ୍ବର ହାଟର ବ୍ୟବସାୟୀମାନେ ବର୍ଷବର୍ଷ ଧରି ‘ଚକ୍ରବ୍ୟୁହ’ରେ ଫସିରହିଛନ୍ତି। ବ୍ୟବସାୟୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ସହିତ ସେମାନଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ପରେ ପାଣିର ଗାର ପାଲଟିଯାଉଛି। ବେପାରୀମାନଙ୍କ ପାଇଁ ବଡ଼ ବିପଦ ହେଉଛି ଅଗ୍ନିକାଣ୍ଡ। ଏହି ହାଟକୁ ଅଗ୍ନିକାଣ୍ଡ ଭଳି ଭୟଙ୍କର ବିପଦରୁ ରକ୍ଷା କରିବାକୁ ବହୁ ଯୋଜନା କରାଯାଉଛି, ମାତ୍ର ପରେ ସରକାରୀ ଯୋଜନା, ଯୋଜନ ଯୋଜନ ଦୂରରେ ଅଟକିଯାଉଛି। ଫଳରେ ବାରମ୍ବାର ଅଗ୍ନିକାଣ୍ଡ ଘଟିବା କାରଣରୁ ବେପାରୀମାନଙ୍କ ବର୍ଷ ବର୍ଷର କଷ୍ଟାର୍ଜିତ ଧନ ନିଆଁ ଆଁରେ ପାଉଁଶ ହୋଇଯାଉଛି। ସେମାନଙ୍କ ଆଖି ଆଗରେ ଲକ୍ଷଲକ୍ଷ ଟଙ୍କାର ଆସବାବପତ୍ର ଓ ପଣ୍ୟ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି।
ଆଁ କରି ଛକିବସିଛି ନିଆଁ, ପାଣିର ଗାର ପାଲଟିଛି ପ୍ରତିଶ୍ରୁତି
୧ନମ୍ବର ହାଟରେ ନିଆଁ ଲାଗିବା ଘଟଣା ନୂଆ ନୁହେଁ। ପୂର୍ବରୁ ଏହି ହାଟ ବହୁବାର ଅଗ୍ନିକାଣ୍ଡର ଶିକାର ହୋଇଛି। ସତେ ଯେମିତି ନିଆଁ ଆଁ କରି ଛକିବସିଛି। କେତେବେଳେ ୫୦ ତ କେତେବେଳେ ୧୦୦ ଦୋକାନ ନିଆଁ ଆଁରେ ପଶି ପାଉଁଶ ହୋଇଯାଇଛି। ୨୦୨୪ ମସିହାରେ ଏଠାରେ ଏକାଧିକ ଥର ଅଗ୍ନିକାଣ୍ଡ ଘଟିଛି। ୨୦୨୪ ନଭେମ୍ବର୧ ଦୀପାବଳି ରାତିରେ ମାର୍କେଟ୍ ବିଲ୍ଡିଂରୁ ୧ନମ୍ବର ମାର୍କେଟ୍କୁ ସଂଯୋଗ କରୁଥିବା ଭୂତଳ ବଜାରରେ ନିଆଁ ଲାଗିଥିଲା। ଏଥିରେ ୨୬ରୁ ଅଧିକ ଡ୍ରେସ୍ ଓ କପଡ଼ା ଦୋକାନ ଜଳିଯାଇଥିଲା। ପ୍ରାୟ ୬ଘଣ୍ଟା ଲାଗି ଆଗ୍ନିକମାନେ ନିଆଁକୁ ଆୟତ୍ତ କରିଥିଲେ। ସେହିଭଳି ୨୦୨୪ ଡିସେମ୍ବର ୧୫ ତାରିଖ ରାତିରେ ଅଗ୍ନିକାଣ୍ଡ ଘଟି ୧ନମ୍ବର ହାଟର ଏକାଧିକ ପରିବା ଦୋକାନ ଜଳି ଯାଇଥିଲା। ଏହା ପୂର୍ବରୁ ବି ଅନେକ ବଡ଼ ଅଗ୍ନିକାଣ୍ଡ ଘଟିଛି। ୧ନମ୍ବର ହାଟର ଦୋକାନୀମାନଙ୍କ ସୂଚନାନୁସାରେ ୨୦୦୭ ମସିହାରେ ଏଠାରେ ସବୁଠାରୁ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଶହେରୁ ଅଧିକ ଦୋକାନ ଜଳିଯାଇଥିଲା। ରନ୍ଧନ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ସେହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ସେବେଠୁ ବିଭିନ୍ନ ସମୟରେ ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ବିଭିନ୍ନ ସୁରକ୍ଷା ବ୍ୟବସ୍ଥା କରିଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ପରେ ସେସବୁ କେବଳ ମିଛ ପ୍ରହେଳିକା ବୋଲି ପ୍ରମାଣିତ ହୋଇଛି। ବିଏମ୍ସି ପକ୍ଷରୁ କୌଣସି ସ୍ଥାୟୀ ପ୍ରତିକାର କରାଯାଉନଥିବାରୁ ବ୍ୟବସାୟୀଙ୍କ ଭିତରେ ଅସନ୍ତୋଷର ନିଆଁ କୁହୁଳୁଛି। ଦୋକାନୀ ଓ ଦୋକାନଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ କୁମାର ସାହୁ ଦାବି କରିଛନ୍ତି। ସ୍ଥାୟୀ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ହାଟରେ ପଲିଥିନ୍, ନଡ଼ା ଓ ପେଟି ଛପର ବ୍ୟବସ୍ଥା ବନ୍ଦ କରାଇବା ସାଙ୍ଗକୁ ବିଏମ୍ସି ଦୋକାନୀମାନଙ୍କୁ ଟିଣ ଛପର ଘର କରି ଦେଉ ବୋଲି ଶ୍ରୀ ସାହୁ କହିଛନ୍ତି।
ନାଲିଫିତା ତଳେ ଭୂତଳ ଜଳଭଣ୍ଡାର ପ୍ରସ୍ତାବ
ଭୁବନେଶ୍ବର: ୧ନମ୍ବର ହାଟକୁ ଅଗ୍ନିକାଣ୍ଡରୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା କରାଯାଇଛି। ମାତ୍ର ସବୁ ଯୋଜନା ସେମିତି ଯୋଜନାରେ ହିଁ ସୀମିତ ରହିଯାଇଛି। ବିଏମ୍ସି, ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ସହିତ ଅଗ୍ନିଶମ ବିଭାଗର ପଦାଧିକାରୀମାନେ ବହୁଥର ବୈଠକ କରି ଯୋଜନା ପ୍ରସ୍ତୁତ କରନ୍ତି। କିନ୍ତୁ ପରେ ସେସବୁ କାର୍ଯ୍ୟକାରୀ ହୋଇପାରେନାହିଁ। ବାରମ୍ବାର ଅଗ୍ନିକାଣ୍ଡ ଘଟେ, ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୋଇ କାନ୍ଦ ବୋବାଳି ଛାଡ଼ନ୍ତି, ପୁଣି ସେମାନଙ୍କୁ ପ୍ରତିଶ୍ରୁତି ଓ ଆଶ୍ବାସନା ମିଳେ। ପରେ ସ୍ଥିତି ଯେମିତି ଥିଲା ସେମିତିରେ ହିଁ ରହିଯାଏ। ସେମିତି ଫାଇଲ ଭିତରେ ରହିଯାଇଥିବା ଏକ ଯୋଜନା ହେଉଛି ଭୂତଳ ଜଳଭଣ୍ଡାର ପ୍ରସ୍ତାବ।
ଅଗ୍ନିକାଣ୍ଡ ବେଳେ ଏହି ହାଟକୁ ଦମକଳ ଗାଡ଼ି ପଶିପାରେ ନାହିଁ। ଏହା ହେଉଛି ବଡ଼ ସମସ୍ୟା। ହାଟର ପ୍ରବେଶ ପଥ ଜବରଦଖଲ ହୋଇ ଅଣଓସାରିଆ ହୋଇପଡ଼ିଛି। ସେହିଭଳି ଦୋକାନଗୁଡ଼ିକ ଥିବା ଗଳିକନ୍ଦି ବି ବେଶ୍ ଅଣଓସାରିଆ। ତେଣୁ ଦମକଳ ଗାଡ଼ି ପଶି ନିଆଁକୁ ଆୟତ୍ତ କରିବା କାଠିକର ପାଠ ହୋଇପଡ଼େ। ହାଟ ପାଖରେ ପେଟ୍ରୋଲ ପମ୍ପ ରହିଛି। ହାଟ ଭିତରେ ରନ୍ଧନ ଗ୍ୟାସ୍ ରିଫିଲିଂ ହେଉଛି। ପୂଜା ସାମଗ୍ରୀ ଦୋକାନ ମାଳମାଳ। ତେଜରାତି ଗୋଦାମରେ ଘିଅ, କର୍ପୂର, ଗନ୍ଧକ, ତେଲ ଭର୍ତ୍ତି ହୋଇରହିଛି। ପତ୍ରଖଲି, କାଗଜ ପ୍ଲେଟ୍, ଝାଡ଼ୁ, କପଡ଼ା, ଜୋତା ଦୋକାନ ମଧ୍ୟ ଖୁନ୍ଦାଖୁନ୍ଦି ହୋଇରହିଛି। ତେଣୁ ହାଟ ଭିତରେ ଓ ବାହାରେ ତ୍ବରିତ୍ ଦହନଶୀଳ ସାମଗ୍ରୀ ଭର୍ତ୍ତି। ନିଆଁ ଲାଗିଲେ, ଅସମ୍ଭାଳ ବେଗରେ ମାଡ଼ିଯିବାର ଭୟ ରହିଛି। ତେଣୁ ଏଠାରେ ଭୂତଳ ଜଳଭଣ୍ଡାର ନିର୍ମାଣ କଲେ, ନିଆଁକୁ ସହଜରେ ଆୟତ୍ତ କରାଯାଇପାରିବ। ଏଏଫ୍ଓ ମନୋରଞ୍ଜନ ରାଉତଙ୍କ ସୂଚନା ଅନୁସାରେ ପ୍ରସ୍ତାବିତ ଭୂତଳ ଜଳଭଣ୍ଡାରରେ ୫ଲକ୍ଷ ଲିଟର ଜଳ ରହିପାରିବ। ସେଠାରୁ ହାଟର ସବୁ ଗଳିକନ୍ଦିକୁ ପାଇପ୍ ବିଛାଇ ଦିଆଯିବ। ବିଭିନ୍ନ ପଏଣ୍ଟରେ ଉପରୁ ଜଳ ସିଞ୍ଚନ ବ୍ୟବସ୍ଥା କରାଯିବ। ଅଗ୍ନିକାଣ୍ଡ ବେଳେ ମଟର ଲଗାଇ ନିର୍ଦ୍ଦିଷ୍ଟ ଦିଗକୁ ପାଣି ସିଞ୍ଚନ କରାଯାଇପାରିବ। ବିଭିନ୍ନ ବୈଠକରେ ଏଭଳି ଏକ ପ୍ରସ୍ତାବକୁ ପ୍ରଶଂସା କରାଯାଇଛି। ମାତ୍ର ଏହାକୁ ଅନୁମୋଦନ କରାଯାଇ ନାହିଁ। ତେଣୁ ଏହି ଯୋଜନା କେବେ କାର୍ଯ୍ୟକାରୀ ହେବ ସେନେଇ କିଛି ସୂଚନା ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/addagdzvccvv-2025-10-24-03-57-51.jpg)