ଭୁବନେଶ୍ବର: ଗତ ମାସ ୨୩ ତାରିଖ ବିଳମ୍ବିତ ରାତିରେ ରାଜମହଲ ଓଭରବ୍ରିଜ୍ ଉପରେ ଏକ ନମ୍ବର ହାଟ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଲୁଟିଥିବା ଗ୍ୟାଙ୍ଗ୍ ଧରାପଡ଼ିଛି। ସ୍ପେସାଲ୍ ସ୍କ୍ବାଡ୍ ଓ ଲକ୍ଷ୍ମୀସାଗର ଥାନା ପୁଲିସ ମିଳିତ ଭାବେ ଏହି ଗ୍ୟାଙ୍ଗ୍କୁ ଠାବ କରିଛି। ସେମାନେ ହେଲେ ଗ୍ୟାଙ୍ଗ୍ର ବଡ଼ଗଡ଼ ବ୍ରିଟ୍ କଲୋନିରେ ରହୁଥିବା ବାଲେଶ୍ବର ସୋର ଥାନା ଗୋବିନ୍ଦପୁରର ଗୌତମ ନାୟକ ଓରଫ କାଳୁ(୩୨), ବାଲେଶ୍ବର ଖଇରା ଥାନା ଅଞ୍ଚଳର ଦୀପକ ରଂଜନ ମଲ୍ଲିକ(୨୮), ଝରଣାସାହିରେ ରହୁଥିବା ବାଲେଶ୍ବର ସଦର ଥାନା ଅଞ୍ଚଳର ପ୍ରୀତମ ପାଢ଼ୀ ଓରଫ ଗୁଡ଼ୁଲୁ(୨୩), ଭଦ୍ରକ ତିହିଡ଼ି ଅଞ୍ଚଳର ସନ୍ତୋଷ ପୁହାଣ ଓରଫ ପୁପୁନ୍(୩୦), ବଡ଼ଗଡ଼ ବ୍ରିଟ୍ ଉପରସାହିର ସୁଶୀଲ ସାମନ୍ତସିଂହାର(୨୯) ଓ କଟକଜିଲ୍ଲା ମଧୁପାଟଣା ଅଞ୍ଚଳର ଅଭିଜିତ ମହାନ୍ତି ଓରଫ ଅଭି(୨୪)। ସେମାନଙ୍କଠାରୁ ୪ଟି ବାଇକ୍, ୪୫ ଗ୍ରାମ୍ର ସୁନାଗହଣା ଓ ଏକ ଛୁରି ଜବତ କରିଛି ପୁଲିସ।
୧ନମ୍ବର ହାଟ ବ୍ୟବସାୟୀଙ୍କୁ ଲୁଟ୍ ମାମଲା: ବନ୍ଧାହେଲେ ୬ ଦୁର୍ଦାନ୍ତ, ବନ୍ଧା ପକାଇଥିଲେ ଲୁଟିଥିବା ୪୫ଗ୍ରାମ୍ର ଗହଣା
ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଏହି ଲୁଟେରାମାନଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ପୂର୍ଣ୍ଣଚନ୍ଦ୍ରଙ୍କର ୟୁନିଟ୍-୧ ହାଟରେ ବଡ଼ ପୂଜା ଦୋକାନଟିଏ ରହିଛି। ସେ ସବୁଦିନ ବିଳମ୍ବିତ ରାତି ପ୍ରାୟ ୧ଟାରେ ଦୋକାନ ବନ୍ଦ କରି ବଡ଼ଗଡ଼ ବ୍ରିଟ୍ କଲୋନିସ୍ଥିତ ଘରକୁ ଫେରନ୍ତି। ସେ ଏକ ସୁନାଚେନ୍ ଓ ବ୍ରେସ୍ଲେଟ୍ ପିନ୍ଧନ୍ତି ଏବଂ ପ୍ରତିଦିନ ତାଙ୍କର ଲକ୍ଷାଧିକ ଟଙ୍କାର ବେପାର ହୋଇଥାଏ। ତେଣୁ ତାଙ୍କୁ ଲୁଟିବା ପାଇଁ ଗୌତମ ହିଁ ଯୋଜନା କରି ତା ସହଯୋଗୀମାନଙ୍କୁ ଏକାଠି କରିଥିଲା। ଯୋଜନା ମୁତାବକ ୨୩ ତାରିଖ ରାତିରେ ବାଟରେ ରାଜମହଲ ଓଭରବ୍ରିଜ୍ ଉପରେ ଛକି ରହିଥିଲେ ଗୌତମ ଓ ତା’ର ଗ୍ୟାଙ୍ଗ୍। ହାଟରେ ପରିବା ଦୋକାନ କରିଥିବା ସୁଶୀଲ ଓ ଅଟୋ ଚାଳକ ସନ୍ତୋଷ ସେମାନଙ୍କୁ ପୂର୍ଣ୍ଣଚନ୍ଦ୍ରଙ୍କ ଦୋକାନ ବନ୍ଦ କରିବା ଓ ଘରକୁ ଫେରିବା ଆଦି ବାବଦରେ ସୂଚନା ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ଓଭରବ୍ରିଜ୍ରେ ପହଞ୍ଚିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅତର୍କିତ ଆକ୍ରମଣ କରି ତାଙ୍କ ବ୍ରେସ୍ଲେଟ୍, ସୁନାଚେନ୍ ଓ ବ୍ୟାଗ୍ରେ ଥିବା ୭୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତମାନେ ହେଲ୍ମେଟ୍ ପିନ୍ଧିଥିବାରୁ ପୂର୍ଣ୍ଣଚନ୍ଦ୍ର କାହାକୁ ଚିହ୍ନି ପାରିନଥିଲେ।
ରାଜଧାନୀ ଛାତି ଉପରେ ଏଭଳି ଏକ ଡକାୟତି ହୋଇଥିବାରୁ ଡିସିପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ସ୍ପେସାଲ୍ ସ୍କ୍ବାଡ୍ ଓ ଲକ୍ଷ୍ମୀସାଗର ଥାନା ପୁଲିସକୁ ନେଇ ଦୁଇଟି ଟିମ୍ ଗଠନ କରାଯାଇଥିଲା। ପୁଲିସ ଏଜି ଛକରୁ କଳ୍ପନା ଛକ ଭିତରେ ରାସ୍ତାର ସମସ୍ତ ସିସିଟିଭି ଫୁଟେଜ୍ ସଂଗ୍ରହ କରିଥିଲା। ସେହିପରି ଏକ ନମ୍ବର ହାଟରୁ କିଛି ତଥ୍ୟ ସଂଗ୍ରହ କରିଥିଲା। ଏଥିରୁ ପୁଲିସକୁ ବହୁତ କିଛି ସୁରାକ ମିଳିଥିଲା। ଗତକାଲି ରାତିରେ ଅଭିଯୁକ୍ତମାନେ ପୁଣି ରାଜମହଲ ଛକରେ ଏକାଠି ହୋଇଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ଦୀପକ ନାଁରେ ଭରତପୁର ଥାନାରେ ଗୋଟିଏ ଓ ଅଭିଜିତ୍ ନାଁରେ ମଧୁପାଟଣା ଥାନାରେ ୩ଟି ଆପରାଧିକ ମାମଲା ରହିଛି। ପୂର୍ଣ୍ଣଚନ୍ଦ୍ରଙ୍କଠାରୁ ଲୁଟିଥିବା ଗହଣାକୁ ଦୁର୍ବୃତ୍ତମାନେ ଏକ ଘରୋଇ ସଂସ୍ଥାରେ ବନ୍ଧକ ରଖି ୨.୪ଲକ୍ଷ ଟଙ୍କା ଋଣ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/11/oqH1zDrBLtsBKkY803vW.jpg)