ବାଣୀବିହାରରେ ଜମୁଥିଲା‌ ଜୁଆ ଆଡ଼ା! ସିଲ୍‌ ହେଲା ୭ ନମ୍ବର ହ‌ଷ୍ଟେଲ୍‌

‌ଚେତିଲେ କର୍ତୃପକ୍ଷ, ଚଢ଼ଉ କଲା ପୁଲିସ, ତଡ଼ା ହେଲେ ୪୫୦ ଅଣଛାତ୍ର

ଭୁବନେଶ୍ୱର: ଓଡ଼ିଶାର ଗୌରବ ଉତ୍କଳ ବିଶ୍ବବିଦ୍ୟାଳୟ। ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସକଙ୍କୁ ଗଢ଼ି ତୋଳିଥିବା ରାଜ୍ୟର ଏହି ପୁରାତନ ଶିକ୍ଷାନୁଷ୍ଠାନ ଛାତ୍ରାବାସରେ ଏବେ ଚାଲିଛି ମଦର ଆସର। ଜୁଆ ଆଡ଼ା ବି ଜମୁଛି। ବ୍ରାଉନ୍‌ ସୁଗାର ବେପାର ହେଉଛି। ଆଜି ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ମିଳିତ ଚଢ଼ଉ ବେଳେ ୭ ନମ୍ବର ଛାତ୍ରାବାସରୁ ମିଳିଛି ଏଭଳି କିଛି ଆପତ୍ତିଜନକ ସାମଗ୍ରୀ। ହଷ୍ଟେଲରୁ ୫୦୦ରୁ ଅଧିକ ମଦ ବୋତଲ, ଜୁଆ ଖେଳିବା ସାମଗ୍ରୀ, ଚରସ, ଗଞ୍ଜେଇ, ସିଗାରେଟ୍‌ ଜବତ କରାଯିବା ସହ ଏଠାରେ ରହୁଥିବା ୪୫୦ ଅଣଛାତ୍ରଙ୍କୁ ତଡ଼ା ଯାଇଛି। ଯାହାକି ଉତ୍କଳର ଗୌରବମୟ ଇତିହାସରେ ଲଗାଇଛି କଳଙ୍କର ଛିଟା। ବଡ଼ କଥା ହେଉଛି ଯେ ମାସେ କି ବର୍ଷେ ନୁହେଁ। ଦୀର୍ଘ ଅଢ଼େଇ ବର୍ଷ ତଳେ ୭ ନମ୍ବର ହଷ୍ଟେଲ ଉଦ୍‌ଘାଟନ ହେବା ପରେ ଏହାକୁ ଅଣଛାତ୍ରମାନେ କବ୍‌ଜା କରି ନେଇଥିଲେ। ସେଠାରେ ଆଡ଼ା ଜମାଇବା ସହ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିଲେ। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ବି ଏକଥା ଜଣାଥିଲା। ହେଲେ ସେମାନଙ୍କୁ ହଟାଇବାକୁ ସାହସ ଜୁଟାଇ ପାରୁ ନଥିଲେ। ଏପରିକି ବହୁ ଥର ଉଦ୍ୟମ କରିବା ପରେ ବି ରାଜନୈତିକ ଚାପରେ ବିଶ୍ବବିଦ୍ୟାଳୟ ଅଧିକାରୀଙ୍କୁ ପଛଘୁଞ୍ଚା ଦେବାକୁ ହେଉଥିଲା। ଏପରିକି ୪ ଦିନ ତଳେ ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ହଷ୍ଟେଲ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ଉପରେ ଢ଼େଲା ମାଡ଼ ବି ହୋଇଥିଲା। ହଷ୍ଟେଲକୁ ସଂଯୋଗ ହୋଇଥିବା ପାଣି ଓ ବିଦ୍ୟୁତ୍‌ କାଟିବାକୁ ବି ପ୍ରୟାସ କରି ବିଫଳ ହୋଇଥିଲେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ।

କେମିତି ଥିଲା ‘ଅପରେସନ ବାଣୀବିହାର’
ଅନ୍ତର୍ଜାତୀୟ ଗବେଷକ ତଥା ପ୍ରଫେସରଙ୍କ ପାଇଁ ନିର୍ମାଣ ହୋଇଥିଲା ଏହି ହଷ୍ଟେଲ। ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରଖା ଯାଇଥିଲା। ୫କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ହଷ୍ଟେଲ ଅଢ଼େଇ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା। କିନ୍ତୁ ବିଶ୍ବବିଦ୍ୟାଳୟ ଛାତ୍ରାବାସର କେତେଜଣ ଅଧିକାରୀ ଓ ମୁଷ୍ଟିମେୟ ଛାତ୍ରନେତାଙ୍କ ମିଳିତ ପ୍ରୋତ୍ସାହନରେ ସେଠାରେ ଅଣଛାତ୍ରମାନେ ରହିଥିଲେ। ଗତ ରବିବାର ସହିଦନଗର ଥାନାରେ ପୁଲିସକୁ ଆକ୍ରମଣ ପରେ ଏମାନଙ୍କୁ ହଟାଇବା ଲାଗି ଦାବି ଜୋର୍‌ ଧରିଥିଲା। ଗୋଟିଏ ଗୋଷ୍ଠୀର ଛାତ୍ରମାନେ କୁଳପତିଙ୍କ ନିକଟରେ ଦାବି କରିଥିଲେ। ଏହାପରେ କର୍ତ୍ତୃପକ୍ଷ ଓ ପୁଲିସ ଅଧିକାରୀ ସମ୍ପୃକ୍ତ ହଷ୍ଟେଲକୁ ଯାଇ ସେମାନଙ୍କୁ ହଟାଇବା ଉଦ୍ୟମ କରିଥିଲେ ମଧ୍ୟ ଫେଲ ମାରିଥିଲେ। ସେମାନଙ୍କୁ ହଟିଯିବା ପାଇଁ କର୍ତ୍ତୃପକ୍ଷ ନୋଟିସ୍‌ ମଧ୍ୟ କରିଥିଲେ। ହେଲେ ସମ୍ଭବ ନ ହେବାରୁ କର୍ତ୍ତୃପକ୍ଷ ଡିସିପିଙ୍କୁ ଚିଠି ଲେଖିଥିଲେ। ଏହାପରେ ଡିସିପି ତିନିଟି ଜୋନ୍‌ର ଏସିପିଙ୍କୁ ଡାକି ବୈଠକ କରିବା ସହ ଆରମ୍ଭ କରିଥିଲେ ଅପରେସନ ବାଣୀବିହାର। ହଠାତ୍‌ ଅପରାହ୍‌ଣ ୩ଟାରୁ ୭ନମ୍ବର ହଷ୍ଟେଲ ଉପରେ ଚଢ଼ଉ ହୋଇଥିଲା। ସାଢ଼େ ୬ଟା ପର୍ଯ୍ୟନ୍ତ ଅପରେସନ୍‌ ଚାଲିଥିଲା। ସହିଦନଗର, ମଞ୍ଚେଶ୍ବର, ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ୫ପ୍ଲାଟୁନ୍‌ ପୁଲିସ ଫୋର୍ସ, ବିଶ୍ବବିଦ୍ୟାଳୟ କୁଳସଚିବ, ପିଜି କାଉନସିଲ୍‌ ଅଧ୍ୟକ୍ଷ, ହଷ୍ଟେଲ ୱ‌ାର୍ଡେନ୍‌, ଡିଏସ୍‌ଡବ୍ଲୁ, ସିଡିସି ନିର୍ଦେଶକ, ସମସ୍ତ ଛାତ୍ରାବାସର ଅଧୀକ୍ଷକ, ଉପଅଧୀକ୍ଷକ ଏଥିରେ ସାମିଲ ହୋଇଥିଲେ।

ପ୍ରକାଶଙ୍କ କବ୍‌ଜାରେ ଥିଲା ଏହି ହଷ୍ଟେଲ୍‌!
ସହିଦନଗର ଥାନା ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ ଶନିବାର ଗିରଫ ହେବା ପରେ ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଚଢ଼ଉକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। କ୍ୟାମ୍ପସରେ ଚର୍ଚ୍ଚା ହେଉଛି ଯେ ପ୍ରକାଶ ଓ ତାଙ୍କ ସମର୍ଥକମାନେ ଏହି ହଷ୍ଟେଲରେ ଆଡ଼ା ଜମାଉଥି‌ଲେ। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ହେଉଥିବା ସଙ୍ଗଠନର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏହିଠାରୁ ପ୍ରସ୍ତୁତ ହେଉଥିଲା ବ୍ଲୁ ପ୍ରିଣ୍ଟ। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ସଙ୍ଗଠନକୁ ପରିଚାଳିତ କରିବା, ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ବର, ବାଣୀବିହାର ସମେତ ଏହା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗଣ୍ଡଗୋଳ, ସଭା, ସମିତିରେ ଏହି ହଷ୍ଟେଲରେ ରହୁଥିବା ଅଣଛାତ୍ରମାନେ ଯୋଗ ଦେଉଥିଲେ।

ଜମୁଥିଲା ମଦ ଆସର
ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓ ପୁଲିସର ମିଳିତ ଚଢ଼ଉ ବେଳେ ଛାତ୍ରାବାସ ଶୌଚାଳୟରୁ ୨୩୭ଟି ଖାଲି ମଦ ବୋତଲ ଜବତ କରାଯାଇଛି। ଏଗୁଡ଼ିକ ଏକ କଣରେ ଜମା ହୋଇ ରହିଥିଲା। ମଦ ଭର୍ତ୍ତି ଥିବା ପ୍ରାୟ ୨୦୦ରୁ ଅଧିକ ବୋତଲ ହଷ୍ଟେଲ ରୁମ୍‌ ଥାକରେ ଖଞ୍ଜା ହୋଇଥିଲା। ହଷ୍ଟେଲ‌ ଭିତରେ ଥିବା ଡାଇନିଂରେ ୧୨୦ଟି ଖାଲି ସିଗାରେଟ୍‌ ପ୍ୟାକେଟ୍‌ ଖୋଳ, ୧୫ଟି ସିଗାରେଟ୍‌ ଭର୍ତ୍ତି ପ୍ୟାକେଟ୍‌, ଘର ବାହାରୁ ୫ଟି କ‌େଣ୍ଡାମ୍‌ ପ୍ୟାକେଟ୍‌, ଗୋଟିଏ ହୁକା ଓ ଚରସ ପ୍ୟାକେଟ୍‌ ଜବତ ହୋଇଛି। ଯାଞ୍ଚ ବେଳେ ଜଣେ ବି ହେଲେ ଛାତ୍ରଙ୍କୁ ଦେଖିବାକୁ ମିଳି ନଥିଲା। ଯେଉଁମାନେ ରହୁଥିଲେ ସମସ୍ତେ ଅଣଛାତ୍ର। ଅଟୋ ଡ୍ରାଇଭରଠାରୁ ଆରମ୍ଭ କରି ଠିକାଦାରଙ୍କ ପର୍ଯ୍ୟନ୍ତ ଏଠାରେ ସେମାନଙ୍କ ଆନା ଜମାଇଥିଲେ। ପ୍ରାୟ ୩ ଘଣ୍ଟା ଧରି ଯାଞ୍ଚ କରାଯିବା ପରେ ସମସ୍ତ ଅଣଛାତ୍ରଙ୍କୁ ତଡ଼ା ଯାଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ହଷ୍ଟେଲକୁ ନିଜ ଦଖଲକୁ ନେଇଛନ୍ତି। ତେବେ ଏହି ଖାନତଲାସ ବେ‌ଳେ ଏକ ବିଚିତ୍ର ତଥ୍ୟ ପଦାକୁ ଆସିଛି। ଏଠାରେ ରହୁଥିବା ଅଣଛାତ୍ର ମାଗଣାରେ ବା ଜବରଦଖଲ କରି ରହିନଥିଲେ। ଜଣେ ଯୁବନେତା ତାଙ୍କଠାରୁ ମୁଣ୍ଡପିଛା ଭଡ଼ା ଆଦାୟ କରୁଥିବା ଜଣାପଡ଼ିଛି। ଏହାର ତଦନ୍ତ ଚାଲିଛି। କାହା ଇସାରାରେ ଏଭଳି କାର୍ଯ୍ୟ ଚାଲିଥିବା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ କହିଛନ୍ତି। ଅନ୍ୟପକ୍ଷରେ ୫ ଫ୍ଲାଟୁନ୍‌ ପୁଲିସ ‌ଫୋର୍ସ ଲଗାଇ ଅଣଛାତ୍ରଙ୍କୁ କଢ଼ାଯିବା ପରେ ତାହାକୁ ସିଲ୍‌ କରାଯାଇଛି। ଜଉ ମୁଦ ଦେଇ ତାଲା ପକାଯାଇଛି। ଏତେ ସଂଖ୍ୟକ ଅଣଛାତ୍ରଙ୍କୁ ତଡ଼ା ଯିବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଲାଗିରହିଛି। ଅଧିକ ଅଣଛାତ୍ର ଛତ୍ରଭଙ୍ଗ ଦେଇଥିବା ବେଳେ ଆଉ କିଛି କ୍ୟାମ୍ପସରେ ଲୁଚି ରହିଛନ୍ତି। ପୁଲିସ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ଅନ୍ୟ ହଷ୍ଟେଲ କେବେ?
କ୍ୟାମ୍ପସରେ ଅନ୍ୟ ହଷ୍ଟେଲଗୁଡ଼ିକରେ କେବେ ଚଢ଼ଉ ହେବ ‌ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ତଥ୍ୟ କହୁଛି ଯେ ପ୍ରଥମ ହଷ୍ଟେଲ ତଥା ଗୋପବନ୍ଧୁ ଛାତ୍ରାବାସରେ ୧୦, ଦ୍ବିତୀୟ ହଷ୍ଟେଲ ତଥା ମଧୁସୂଦନ ଛାତ୍ରାବାସ‌ରେ ୧୨, ୩ୟ ଛାତ୍ରାବାସ‌ରେ ୨୨, ୪ର୍ଥ ହଷ୍ଟେଲରେ ୭ଟି ରୁମ୍‌ ଏବେ ବାଣୀବିହାରର ଦୁଇଜଣ ପୂର୍ବତନ ଛାତ୍ର ସଂସଦ ସଭାପତି ଓ ତାଙ୍କ ସମର୍ଥକଙ୍କ କବ୍‌ଜାରେ ରହିଛି। ସମ୍ପୃକ୍ତ ଛାତ୍ରନେତାଙ୍କ ସମର୍ଥକ ତଥା ଅଣଛାତ୍ରମାନେ ଏବେ ସେଠାରେ ରହୁଛନ୍ତି। ଯେଉଁ ରୁମ୍‌ କବ୍‌ଜା କରାଯାଇଛି, ସେଠାରେ ମାରଣାସ୍ତ୍ର ରହିଛି। ଏକଥା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବି ଜାଣିଛନ୍ତି। ହେଲେ ସେମାନଙ୍କୁ ତଡ଼ି ପାରୁ ନାହାନ୍ତି। ସମ୍ପୃକ୍ତ ଛାତ୍ରନେତା ଜଣକଙ୍କର ଏବେ ରାଜ୍ୟ ରାଜନୀତିରେ ପ୍ରାଦୁର୍ଭାବ ରହିଥିବାରୁ ତଡ଼ିବା ଏତେ ସହଜ ହେବ ନାହିଁ ବୋଲି କୁହାଯାଉଛି। ତେବେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓ ପୁଲିସର ପରବର୍ତୀ କାର୍ଯ୍ୟପନ୍ଥା ଉପରେ ଏବେ ସମସ୍ତଙ୍କ ନଜର।

ରୋଜଗାର ହେଉଥିଲା ମାସକୁ ୪ ଲକ୍ଷ
୭ ନମ୍ବର ହଷ୍ଟେଲରେ ୧୫୦ ରୁମ୍‌ ରହିଛି। ଏହା ଭିତରେ ଗୋଟିଏ ରୁମ୍‌ରେ ୩ ଜଣ ରହିପାରିବେ। ପ୍ରତି ପିଲା ପିଛା ମାସକୁ ଦେଢ଼ ହଜାର ଟଙ୍କା ରୋଜଗାର କରୁଥିଲେ ଜଣେ ଯୁବନେତା। ତାଙ୍କ ସମର୍ଥକ ମଧ୍ୟ କିଛି ମାଗଣାରେ ରହୁଥିଲେ। ପାଣି, ବିଜୁଳି ଓ ଅନ୍ୟାନ୍ୟ ଖର୍ଚ୍ଚ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବହନ କରୁଥିଲେ। ହେଲେ ଭଡ଼ା ନେଉଥିଲେ ଯୁବନେତା। ତାଙ୍କର ଜଣେ ସାଙ୍ଗ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଥିବାରୁ କୌଣସି ପ୍ରକାର ଅସୁବିଧା ହେଉ ନଥିଲା। ଉଭୟ ଅଢ଼େଇ ବର୍ଷ ହେଲା ମିଳିମିଶି ଅର୍ଥ ଆଦାୟ କରୁଥିଲେ।

ସମ୍ବନ୍ଧିତ ଖବର