ଏବେ ବି ଶତ ପ୍ରତିଶତ ଜଳିନି ଆଲୁଅ

ଦୋଷୀ କର୍ମଚାରୀଙ୍କ ବିରୋଧରେ ହେଉନି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଫନିକୁ ୧୭ ଦିନ ବିତିଥିଲେ ମଧ୍ୟ ସାରା ଭୁବନେଶ୍ବରରେ ଜଳି ପାରିଲାନି ଆଲୁଅ। ଆଜିବି ୧୧ ପ୍ରତିଶତ ଭୁବନେଶ୍ବର ଅନ୍ଧାର। କେବେ ଆସିବ ତାହା ମଧ୍ୟ କାହା ପାଖରେ ଖବର ନାହିଁ। ଅଧିକାରୀ ଏବେ ଲୋକଙ୍କ ଦୋଷ ଦେଲେଣି। ଲୋକେ ଜେନେରେଟର ଲଗାଉଥିବାରୁ ସର୍ଭିସ ତାର ବାଟ ଦେଇ କରେଣ୍ଟ ପ୍ରବାହିତ ହେଲାଣି। ଥରେ ଦୁଇଥର ସକ୍‌ ଲାଗିବାରୁ କାମ କରିବାକୁ ଶ୍ରମିକ ଡରିଲେଣି। ତଥାପି କାମ ଚାଲିଛି, ଖୁବ୍‌ଶୀଘ୍ର ଆସିଯିବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ‌ଗୋଡ଼ିସାହି, ବାରଙ୍ଗ, କେସୁରା ଅଞ୍ଚଳରେ ଏବେ ବି ବିଦ୍ୟୁତ ସଂଯୋଗ ହୋଇନି। ପାଖାପାଖି ୧୫ ହଜାର ଲୋକ ସଂଯୋଗ ପାଇନାହାନ୍ତି। ତା’ ସହିତ କେତେକ ଘରୋଇ ଟ୍ରାନ୍‌ସ୍‌ଫର୍ମରକୁ ମଧ୍ୟ ସଂଯୋଗ ଦିଆଯାଇ ନାହିଁ। ବିଜୁଳି ସଂଯୋଗ ପାଇ ନଥିବା ପାଖାପାଖି ୨୫ ଟ୍ରାନ୍‌ସ୍‌ଫର୍ମର ରହିଛି। ଏଥିରେ କେତେକ ଆପାର୍ଟମେଣ୍ଟ ଓ ଶିଳ୍ପ ରହିଛି।

ସୂଚନାଯୋଗ୍ୟ ଯେ, ପ୍ରଥମେ ୧୫ ତାରିଖ ସୁଦ୍ଧ ସାରା ଭୁବନେଶ୍ବରରେ ଆଲୁଅ ଜଳିବ ବୋଲି ଘୋଷଣା ହୋଇଥିଲା। ୮ ତାରିଖ ସୁଦ୍ଧା ରସୁଲଗଡ଼, କଳ୍ପନା, ବ୍ରହ୍ମେଶ୍ବର, ଲିଙ୍ଗରାଜ(୫୦ ପ୍ରତିଶତ ଅଞ୍ଚଳ), ବିଜେବି ନଗର, ରାଜାରାଣୀ ମାଉସୀମା’, ବଡ଼ଗଡ଼, ୱାଟର ୱାର୍କସ୧ ଓ ୨(ଆଂଶିକ), ପୋଖରୀପୁଟ୍‌, ଭୀମଟାଙ୍ଗୀ(କିଛିଅଂଶ)କୁ ବିଜୁଳି ସଂଯୋଗ ଦିଆଯିବାକୁ ଘୋଷଣା ହୋଇଥିବା ବେଳେ କୌଶଲ୍ୟା ଗଙ୍ଗା, ସରଦେଈପୁର, ଧଉଳି ଓ କେଇସି ପ୍ରଭୃତି ଅଞ୍ଚଳରେ ଆସିବା ପାଇଁ ୧୫ ଦିନ ଲାଗିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ସେହିଭଳି ମଞ୍ଚେଶ୍ବର ଫିଡର ୧ ଓ ୨ରେ ୧୦ରୁ ୧୩ ତାରିଖ ମଧ୍ୟରେ ଲାଇନ୍‌ ଆସିବାକୁ ଥିବା ବେଳେ ଭିଏସ୍‌ଏସ୍‌ ନଗରରେ ୯ ସୁଦ୍ଧା କିଛି ଅଂଶ ଓ ବାକି ଅଂଶ ୧୮ ସୁଦ୍ଧା ଆସିବାକୁ ସ୍ଥିର ହୋଇଥିଲା। କଳ୍ପନା-୧ ଓ ୨ ଓ ଝାରପଡ଼ାରେ ୭ ଓ ଏସ୍‌ବିଆଇ କଲୋନିରେ ୩୦ ପ୍ରତିଶତ ୮ ତାରିଖ ସୁଦ୍ଧା ଆସିବାକୁ ଥିବା ବେଳେ ବାକି ୭୦ ପ୍ରତିଶତ ୧୧ ତାରିଖ ସୁଦ୍ଧା ଆସିବାକୁ ସ୍ଥିର ହୋଇଥିଲା। ଡିପିଏସ୍‌ରେ ୧୧ ତାରିଖ, ସାଇରେ ୧୨ ତାରିଖ, ଗୋବିନ୍ଦପୁରରେ ୧୩ ତାରିଖ, ତ୍ରିନରାଥ ବଜାର, ପାହାଳ, ଭିଙ୍ଗାରପୁର ଓ ଗଙ୍ଗେଶ୍ବର‌େର ୧୪ ତାରିଖ, ନହରକଣ୍ଟା, ବାଲିଅନ୍ତା, ଅଟଳାରେ ୧୫ ତାରିଖ ସୁଦ୍ଧା ଲାଇନ୍‌ ଆସିବାକୁ ଧାର୍ଯ୍ୟ ହୋଇଥିଲା। ଏଥିରୁ କେତେକ ଧାର୍ଯ୍ୟ ସମୟ ପୂର୍ବରୁ ଆସିଥିବା ବେଳେ କେତେକ ଅଦ୍ୟାବଧି ଆସିନାହିଁ।

କାର୍ଯ୍ୟାନୁଷ୍ଠାନ ହେଉନି
ବିଜୁଳି ପୁନରୁଦ୍ଧାର କାମରେ ବିଭାଗୀୟ ଅବ‌ହେଳା ଜଣେ ଶ୍ରମିକଙ୍କ ଜୀବନ ନେଇଛି। ୧୫ ତାରିଖ ଦିନ ସତ୍ୟନଗରରେ ୧୧ କେଭି ପୁନରୁଦ୍ଧାର କାମ ଚାଲିଥିବା ବେଳେ ଖୁଣ୍ଟରେ ଚଢ଼ି କାମ କରୁଥିବା ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳର ମଟ୍‌କା ମୁର୍ମୁଙ୍କର ମୃତ୍ୟୁ ଘଟିଛି। ସେଣ୍ଟ୍ରାଲ ସ୍କୁଲ କଲୋନିରେ ପୁନରୁଦ୍ଧାର କାମ ଚାଲିଥିବା ବେଳେ କଂଟ୍ରୋଲ ରୁମ୍‌ରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ନ କରି ଏହି ଶ୍ରମିକଙ୍କୁ ଖୁଣ୍ଟରେ ଚଢ଼ାଇ ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳ ସହିଦନଗର ସେକ୍ସନ ଓ ସତ୍ୟନଗର କଂଟ୍ରୋଲ ରୁମ୍‌ ଅଧୀନରେ ରହିଛି। ସତ୍ୟନଗର କ‌ଂଟ୍ରୋଲ୍‌ ରୁମ୍‌ରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିବା ଖବର ଆସିଥିଲା। ଏଠାରେ ଥିବା ଲାଇନ୍‌ମ୍ୟାନ୍‌ ସଂଯୋଗ ବିଚ୍ଛିନ୍ନ ନ କରି ବିଚ୍ଛିନ୍ନ ହୋଇଥିବା ଖବର ଦେଇଥିଲେ। ଫଳରେ ଏହି ଅଘଟଣ ଘଟିଥିଲା। ହେଲେ ଅଦ୍ୟାବଧି ସମ୍ପୃକ୍ତ ଲାଇନ୍‌ମ୍ୟାନ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ସେହିଭଳି ବିଦ୍ୟୁତ ସଂଯୋଗ ଦେବା ପାଇଁ ଜଣେ କନିଷ୍ଠ ଯନ୍ତ୍ରୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ଜେଇ କ୍ଷୟକ୍ଷତି ବାବଦରେ ବିଭାଗକୁ ସୂଚନା ଦେଇନଥିବା ମଧ୍ୟ ଖୋଳତାଡ଼ ବେଳେ ଜଣାପଡ଼ିଥିଲା। କିନ୍ତୁ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏ ନେଇ ବିଭାଗୀୟ ଅଧିକାରୀ ମୁହଁ ଖୋଲିବା ପାଇଁ ଚାହିଁନାହାନ୍ତି।

ସମ୍ବନ୍ଧିତ ଖବର