ଭୁବନେଶ୍ବର: ଭାରତର ସ୍ବାଧୀନତା ସମୟରେ ଇତିହାସ ଦେଖିଥିଲା ସବୁଠାରୁ ବଡ଼ ସାମୂହିକ ସ୍ଥାନାନ୍ତରଣ। ୟୁଏନ୍ ରିଫ୍ୟୁଜି ଏଜେନ୍ସି ୟୁଏନ୍ଏଚ୍ସିଆର୍ର ତଥ୍ୟ କହୁଛି, ସେ ସମୟରେ ପାଖାପାଖି ୧୪୦ ଲକ୍ଷ ହିନ୍ଦୁ, ମୁସ୍ଲିମ୍ ଓ ଶିଖ୍ ଭାରତ, ପାକିସ୍ତାନ ବିଭାଜନ ସମୟରେ ଉଭୟ ପାର୍ଶ୍ବକୁ ସ୍ଥାନାନ୍ତରିତ ହୋଇଥିଲେ। ଏହି କ୍ରମରେ କିଛି ଶରଣାର୍ଥୀ ବା ରିଫ୍ୟୁଜି ଓଡ଼ିଶା ତଥା ରାଜଧାନୀ ଭୁବନେଶ୍ବରକୁ ମଧ୍ୟ ଆସିଥିଲେ। ବିଶେଷ କରି ପୂର୍ବବଙ୍ଗ ବା ଆଜିର ବାଲାଂଦେଶରୁ ହିନ୍ଦୁମାନେ ନିଜ ଭିଟାମାଟି ଓ ଘରଦ୍ବାର ଛାଡ଼ି ଭାରତ ମୁଖେ ଯାତ୍ରା କରିଥିଲେ। ଏହି ରିଫ୍ୟୁଜିଙ୍କ ସଂଖ୍ୟା ଏତେ ଥିଲା ଯେ, ସେମାନଙ୍କ ପ୍ରଥମେ ବିଭିନ୍ନ ଶିବିର କରି ରଖାଗଲା ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦେଶର ବିଭିନ୍ନ ରାଜ୍ୟକୁ ଏମାନଙ୍କ ନିମନ୍ତେ ଜମି ଅଧିଗ୍ରହଣ କରି ରହିବା ବ୍ୟବସ୍ଥା କରି ପଠାଗଲା। ଏହି କ୍ରମରେ ଗଢ଼ି ଉଠିଥିଲା ରାଜଧାନୀର କଟକ ରୋଡ୍ରେ ଥିବା ‘ରିଫ୍ୟୁଜି କଲୋନି’।ଆସନ୍ତୁ ଜାଣିବା ପୂରା ଇତିହାସ।
ସଂସ୍କୃତି ଗବେଷକ ଗୋଲକ ବିହାରୀ ସିଂହଙ୍କ ପୁସ୍ତକ ‘ପଞ୍ଚସ୍ତରି ବର୍ଷର ରାଜଧାନୀ’ରେ ଉଲ୍ଲେଖ କରାଯାଇଛି, ୧୯୫୬ ମସିହା; ଦେଶ ବିଭାଜନ ପରର ଅବସ୍ଥା। ଆଗର ପୂର୍ବବଙ୍ଗ ତଥା ଏବେକାର ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁମାନେ ବାଧ୍ୟ ହୋଇ ଘରଦ୍ୱାର ଛାଡ଼ି ଭାରତମୁଖେ ଯାତ୍ରା କଲେ। ୟୁଏନ୍ଓ ଭାରତ ସରକାରଙ୍କୁ ଅନୁରୋଧ କଲା, ସେଠାକାର ବାସଚ୍ୟୁତ ହିନ୍ଦୁଙ୍କୁ ଭାରତରେ ଶରଣାର୍ଥୀ ଭାବେ ଥଇଥାନ କରିବା ପାଇଁ। ସେହି କ୍ରମରେ ଭାରତର ବିଭିନ୍ନ ସ୍ଥାନରେ ସେମାନଙ୍କୁ ଅବସ୍ଥାପିତ କରାଯିବାକୁ ସ୍ଥିର କଲେ ଭାରତ ସରକାର। ସେଠାରୁ ଆସୁଥିବା ଲୋକମାନଙ୍କୁ ପ୍ରଥମେ ବିଭିନ୍ନ ଅବସ୍ଥାନ୍ତର ଶିବିରମାନଙ୍କରେ ସାମୟିକ ଭାବେ ରଖାଗଲା। ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କୁ ଭାରତର ବିଭିନ୍ନ ରାଜ୍ୟମାନଙ୍କୁ ପଠାଇବାର ବ୍ୟବସ୍ଥା କରାଗଲା। ସେହି କ୍ରମରେ ଅମରଦା ଶିବିରରୁ ଓଡ଼ିଶାକୁ ପଠାଯାଇଥିବା ଶରଣାର୍ଥୀମାନଙ୍କୁ ଭୁବନେଶ୍ୱର, ଦଣ୍ଡକାରଣ୍ୟ, ବାରଙ୍ଗ, ମହାକାଳପଡ଼ା ଆଦି ସ୍ଥାନରେ ଅବସ୍ଥାପିତ କରିବାକୁ ରାଜ୍ୟ ସରକାର ସ୍ଥିର କରିଥିଲେ। ଭାରତ ସରକାରଙ୍କ ପକ୍ଷରୁ ଡାକ୍ତର ଚନ୍ଦ୍ରମୋହନ ଭୌମିକଙ୍କ ନେତୃତ୍ୱରେ ଭୁବନେଶ୍ୱରକୁ ୧୭ଟି ପରିବାର ପଠାଯାଇଥିଲା।
ଡାକ୍ତର ଭୌମିକଙ୍କ ପରପିଢ଼ିର ତଥ୍ୟାଭିଜ୍ଞ ସଞ୍ଜୀବ ଭୌମିକ ଏହା ପରର ତଥ୍ୟ ଦେଇ କହିଛନ୍ତି, ଶରଣାର୍ଥୀମାନଙ୍କୁ ଏଠାରେ ସ୍ଥାୟୀ ଭାବେ ଅବସ୍ଥାପିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭୁବନେଶ୍ୱରରେ ଜମି ଅଧିଗ୍ରହଣ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବହୁ ବିଚାର ଆଲୋଚନା ପରେ ସହରର ଶେଷ ଭାଗରେ ଥିବା ଶ୍ମଶାନ ଅଞ୍ଚଳରେ ସାଢ଼େ ସାତ ଏକର ଜମି ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଥିଲେ। ପରେ ରାଜ୍ୟ ସରକାରଙ୍କର ପଲିଟିକାଲ୍ ତଥା ସର୍ଭିସେସ୍ ବିଭାଗ ପକ୍ଷରୁ ସେହି ଜମିର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହେଲା। ସେଠାରେ ୧୦୦ ପରିବାର ପାଇଁ ପନ୍ଦର ଶହ ବର୍ଗ ଫୁଟ ଲେଖା ବାସୋପଯାଗୀ ଜମି ପାଇଁ ନକ୍ସା ପ୍ରସ୍ତୁତ ହେବା ପରେ ତନ୍ମଧ୍ୟରୁ ୧୭ଟି ପ୍ଲଟ୍ ପୂର୍ବବଙ୍ଗରୁ ଆସିଥିବା ସେହି ଶରଣାର୍ଥୀ ପରିବାରଙ୍କୁ ଆବଣ୍ଟିତ କରାଯାଇଥିଲା। ଆରମ୍ଭରୁ ସେହି ସ୍ଥାନଟି ‘ଲକ୍ଷ୍ମୀସାଗର ବଙ୍ଗାଳୀ ସାହି’ ନାମରେ ପରିଚିତ ହେବାକୁ ଲାଗିଲା। ହେଲେ ଲୋକମୁଖରେ ତାହା ‘ରିଫ୍ୟୁଜି କଲୋନି’ ଭାବେ ବେଶି ଜଣାଶୁଣା ହେଲା ବୋଲି ସେ କହିଛନ୍ତି। ଲକ୍ଷ୍ମୀସାଗର ମୈାଜା-ଦୁଇ ଅନ୍ତର୍ଗତ ଏହି ଜନବସତି ରାଜଧାନୀ ଟାୟାରସ୍ ବ୍ୟବସାୟିକ ପ୍ରତିଷ୍ଠାନରୁ ଆରମ୍ଭ ହୋଇ, ଭାରତ ମୋଟର୍ସ ପରିସର ପର୍ଯ୍ୟନ୍ତ ବ୍ୟାପିଛି। ତାହା ସହ ବୁଦ୍ଧେଶ୍ୱରୀ ମନ୍ଦିର ନିକଟରେ କେତୋଟି ଦଶଫୁଟରେ ଦଶଫୁଟ ଜମି ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ହୁଏତ ବ୍ୟବସାୟ ପ୍ରତିଷ୍ଠାନ କରି ଜୀବିକା ନିର୍ବାହ କରିବା ପାଇଁ ଏହି ଜମି ପ୍ରଦାନ କରାଯାଇଥିଲା।