ଭୁବନେଶ୍ବର: ଅଳଙ୍କାରଠାରୁ ଆରମ୍ଭ କରି ବିଭିନ୍ନ ବ୍ରାଣ୍ଡ୍ର ପୋଷାକ, ଚପଲ ହେଉ କି ଚାଟ୍, ଗୁପ୍ଚୁପ୍ ବା ଭିନ୍ନ ଭିନ୍ନ ରକମର ଖାଦ୍ୟ ସେ ପୁଣି ଟିଭି, ଫ୍ରିଜ୍, ୱାସିଂ ମେସିନ୍ ହେଉ ଅବା ମୋବାଇଲ୍ ଫୋନ୍। ବାଣୀବାହାରରୁ ଶିଶୁଭବନ ଛକ ଯାଏ... ରାଜଧାନୀର ଏହି ଗୋଟିଏ ରାସ୍ତାରେ ମିଳିଯାଏ ସମସ୍ତ ଆବଶ୍ୟକୀୟ ଉପାଦାନ। ଏଣୁ ଏହା ରାଜଧାନୀର ଏକ ପ୍ରମୁଖ ରାସ୍ତା ପାଲଟି ଯାଇଛି। ଏଥିସହ ଏହି ରାସ୍ତା ବା ପଥରେ ଜନ ସମାଗମ ସବୁଠାରୁ ଅଧିକ ହେଉଥିବାରୁ ରାସ୍ତାର ନାମ ରଖାଯାଇଛି ‘ଜନପଥ’। ଦେଶର ରାଜଧାନୀ ନୂଆଦିଲ୍ଲୀରେ ମଧ୍ୟ ଏଭଳି ଏକ ପ୍ରମୁଖ ରାସ୍ତାର ନାମ ରଖାଯାଇଛି ‘ଜନପଥ’। ଆସନ୍ତୁ ଜାଣିବା ଏହି ‘ଜନପଥ’ ନାମକରଣ ପଛର ସମ୍ପୂର୍ଣ୍ଣ କାହାଣୀ।
‘ପଞ୍ଚସ୍ତରି ବର୍ଷର ରାଜଧାନୀ’ ପୁସ୍ତକରେ ସଂସ୍କୃତି ଗବେଷକ ଗୋଲକ ବିହାରୀ ସିଂହ କହିଛନ୍ତି, ଭୁବନେଶ୍ୱରରେ ନୂତନ ରାଜଧାନୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୟୁନିଟ୍-୧, ୟୁନିଟ-୨ ତଥା ୟୁନିଟ-୩ରେ ସରକାରୀ ବାସଗୃହ ନିର୍ମିତ ହେଲା। ନିର୍ମାଣାଧୀନ ରାଜଧାନୀର ଶ୍ରମିକ, ଠିକାଦାର ଗୃହ ନିର୍ମାଣ ସାମଗ୍ରୀ ଯୋଗାଉଥିବା ବ୍ୟକ୍ତିବିଶେଷ, ଯନ୍ତ୍ରୀ, ସରକାରୀ କର୍ମଚାରୀ ତଥା ରାଜନୈତିକ ବ୍ୟକ୍ତିମାନଙ୍କୁ ଖାଦ୍ୟ ପଦାର୍ଥ ଯୋଗାଇ ଦେବା ନିମନ୍ତେ ଆରମ୍ଭ ହୋଇଥିଲା ଚାଳ ଛପରରେ ନିର୍ମିତ ରାଜୁ ସାହୁଙ୍କର ହୋଟେଲ୍। ଜନଗହଳିପୂର୍ଣ୍ଣ ହୋଟେଲ ସନ୍ନିକଟ ସ୍ଥାନଟି କ୍ୟାବିନ୍ ଛକ ନାମରେ ପରିଚିତ ହେବାକୁ ଲାଗିଲା। ସେଠାରୁ ଦକ୍ଷିଣ ପାର୍ଶ୍ବରେ ପୁରୁଣା ଭୁବନେଶ୍ୱର ତଥା ନୂଆ ରାଜଧାନୀର ସଂଯୋଗ ସ୍ଥଳୀ (ଏବେକାର ଶିଶୁ ଭବନ ଛକ) ପର୍ଯ୍ୟନ୍ତ ତଥା ଉତ୍ତର ସୀମାରେ ଚିର ପ୍ରବାହିତ ପ୍ରାକୃତିକ ନାଳ (ଏବେକାର ସତ୍ୟନଗର) ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଗଲା। ରାସ୍ତାର ଏକ ପାର୍ଶ୍ବରେ ସରକାରୀ କର୍ମଚାରୀଙ୍କ ବାସଗୃହ ତ’ ଅନ୍ୟପଟରେ ଠାଏ ଠାଏ ଦୋକାନ ବଜାର ଗଢ଼ି ଉଠିଲା। ସମୟକ୍ରମେ ସେହି ରାସ୍ତା କଡ଼ରେ ସଂଖ୍ୟାଧିକ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିବା ସହ ସତ୍ୟନଗର ନିକଟସ୍ଥ ନାଳ ଉପରେ ପୋଲ କରାଯାଇ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାଟିକୁ ସମ୍ପ୍ରସାରିତ କରାଗଲା। ଶିଶୁ ଭବନ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ୫.୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରାସ୍ତାଟିରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିବାରୁ ସାଧାରଣ ଜନତାଙ୍କ ଚଳପ୍ରଚଳ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇବାକୁ ଲାଗିଲା। ସର୍ବାଧିକ ଜନ ସମାଗମ ହେଉଥିବା ରାଜଧାନୀର ଏହି ରାସ୍ତାଟିକୁ ‘ଜନପଥ’ ନାମରେ ନାମିତ କରାଗଲା। ସମ୍ଭବତଃ ରାଜଧାନୀ ଦିଲ୍ଲୀର ବ୍ୟସ୍ତବହୁଳ ରାସ୍ତା ‘ଜନପଥ’ ଅବଲମ୍ବନରେ ଆମ ରାଜ୍ୟ ରାଜଧାନୀର ଏହି ରାସ୍ତାଟି ଜନପଥ ନାମ ପ୍ରାପ୍ତ ହୋଇଥିଲା।
ଭୁବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇବା ପରେ ବ୍ୟବସାୟିକ ଜନପଥ ‘ସ୍ମାର୍ଟ ଜନପଥ’ରେ ପରିଣତ ହୋଇଛି। ରାସ୍ତାର ନବୀକରଣ ଓ ପୁନର୍ବିନ୍ୟାସ, ପଥଚାରୀ, ସାଇକେଲ ଚାଳକ ଓ ଶିଶୁମାନଙ୍କ ନିମନ୍ତେ ନିରାପଦ ଗମନାଗମନ ପାଇଁ ରାସ୍ତାକୁ ୮ ଲେନ୍ ବିଶିଷ୍ଟ ୬୦ ଫୁଟ ଚଉଡ଼ା କରାଯାଇଛି। ସ୍ମାର୍ଟ ଜନପଥର ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ୍ ଛକ ଓ ରାମ ମନ୍ଦିର ଛକରେ ଚାରିଟି ମୁକ୍ତାକାଶ ପବ୍ଲିକ ପ୍ଲାଜା ନିର୍ମାଣ କରିବାକୁ ସ୍ଥିର କରାଯାଇଥିବା ବେଳେ ଶିଶୁଭବନ ନିକଟରେ ତିଆରି ହୋଇଥିବା ପ୍ଲାଜାର ନାମ ରଖାଯାଇଛି -‘ଏକାମ୍ର କ୍ଷେତ୍ର’। ମନ୍ଦିରମାଳିନୀ ସହର ଭୁବନେଶ୍ୱରର ପ୍ରାଚୀନ ନାମ ଥିଲା ଏକାମ୍ର କ୍ଷେତ୍ର ତଥା ଏହି ଶିଶୁଭବନ ନିକଟସ୍ଥ ଛକ ହିଁ ଥିଲା ପୁରୁଣା ଭୁବନେଶ୍ୱର ଓ ନବ ନିର୍ମିତ ନୂଆ ରାଜଧାନୀର ସଂଯୋଗ ସ୍ଥଳ। ଅପରପକ୍ଷେ ମାଷ୍ଟରରକ୍ୟାଣ୍ଟିନ ଛକରେ ନିର୍ମିତ ହୋଇଥିବା ପବ୍ଲିକ ପ୍ଲାଜାର ନାମ ରଖାଯାଇଛି ‘ଆଇ ଲଭ୍ ଭୁବନେଶ୍ୱର’, କାରଣ ନୂଆ ରାଜଧାନୀ ନିର୍ମାଣ ପ୍ରକଳ୍ପ ଏହିଠାରୁ ହିଁ ଆରମ୍ଭ ହୋଇଥିଲା।