ବ୍ରିଜ୍‌ ଉପରେ ବ୍ୟାରିକେଡ୍‌ ଯୋଜନା ଉଭାନ୍‌

ତିନି ବର୍ଷ ତଳେ ଜଳସମ୍ପଦ ମନ୍ତ୍ରଣାଳୟ ଦେଇଥିଲା ପ୍ରସ୍ତାବ

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରାଞ୍ଚଳ ଏବଂ ଏହା ଉପକଣ୍ଠରେ ଥିବା ନଦୀଗୁଡ଼ିକ ଏବେ ସୁଇସାଇଡ୍‌ ପଏଣ୍ଟ୍‌ ପାଲଟିଛି। ବିଭିନ୍ନ ସମୟରେ ଲୋକ ନଦୀକୁ ଡେଇଁ ଆତ୍ମହତ୍ୟା କରୁଛନ୍ତି। ଏହାସହ ପାର୍ବଣ ଋତୁରେ ମୂର୍ତ୍ତି ବିସର୍ଜନ ସମୟରେ ବ୍ରିଜ୍‌ ଉପରୁ ମୂର୍ତ୍ତି ବିସର୍ଜନ କରିବାବେଳେ ଦୁର୍ଘଟଣା ମଧ୍ୟ ଘଟୁଛି। ଏପରିକି କେତେକ ସ୍ଥାନରେ ନଦୀରେ କେତେ ପାଣି ଅଛି, ଗାଧେଇବା ବିପଜ୍ଜନକ କି ନୁହେଁ ତାହାର ସୂଚନା ଦିଆଯାଉ ନଥିବାରୁ ବହୁ ଲୋକ ଗାଧୋଇବାକୁ ଯାଇ ମୃତ୍ୟୁବରଣ କରୁଛନ୍ତି। ତେଣୁ ସହର ମଧ୍ୟ ଦେଇ ଯାଇଥିବା ଏବଂ ସହର ଉପକଣ୍ଠରେ ଥିବା ସମସ୍ତ ନଦୀର ବ୍ରିଜ୍‌ ଉପରେ ପ୍ରାୟ ୫ଫୁଟ ଉଚ୍ଚର ବ୍ୟାରିକେଡ୍‌ କରିବାକୁ ଜଳସମ୍ପଦ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ହେଲେ ବିଭିନ୍ନ ଆଳ ଦେଖାଇ ପୂର୍ତ୍ତ ବିଭାଗ ଏହାକୁ ଅଣଦେଖା କରିଦେଲା। ବ୍ରିଜ୍‌ ଉପରେ ବ୍ୟାରିକେଡ୍‌ ନଥିବାରୁ ଏବେ ଆତ୍ମହତ୍ୟା କରୁଥିବା ଲୋକ ନଦୀ ବ୍ରିଜ୍‌କୁ ମାଧ୍ୟମ କରୁଛନ୍ତି। ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି କୁହାଯାଇଥିଲା ଯେ, ନଦୀକୁ ଡେଇଁ ଆତ୍ମହତ୍ୟା ସଂଖ୍ୟା ବଢ଼ୁଥିବାରୁ ଏହା ଉପରେ ରୋକ୍‌ ଲଗାଇବା ପାଇଁ ରାଜ୍ୟ ସରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ। ଏଥିପାଇଁ ସହର ନିକଟରେ ଥିବା ସମସ୍ତ ନଦୀର ବ୍ରିଜ୍‌ ଉପରେ ଯମୁନା ନଦୀର ବ୍ରିଜ୍‌ ଉପରେ ହୋଇଥିବା ବ୍ୟାରିକେଡ୍‌ ପରି ବ୍ୟାରିକେଡ୍‌ ନିର୍ମାଣ ହେବ। ଏହାସହ ଯେଉଁଠି ନଦୀ ଗଭୀର ଅଛି ସେଠାରେ ସତର୍କ ସୂଚନା ଥିବା ବୋର୍ଡ ଲାଗିବ। ଏହାସହ ଯେଉଁଠି ନୂଆ ବ୍ରିଜ୍‌ ନିର୍ମାଣ ହେବ ସେଠାରେ ଏହି ବ୍ୟାରିକେଡ୍‌ ଏକସଙ୍ଗେ ଲଗାଇବାକୁ କୁହାଯାଇଥିଲା। ମୁଖ୍ୟ ଶାସନ ସଚିବ ଏହାକୁ କାର୍ଯ୍ୟକାରୀ କରିବାକୁ ପୂର୍ତ୍ତ ବିଭାଗକୁ ଚିଠି ପଠାଇଥିଲେ। କିନ୍ତୁ ପୂର୍ତ୍ତ ବିଭାଗ ଏହାକୁ ଚାପି ଦେଲା। ଯେଉଁଥିପାଇଁ ଏବେ ଭୁବନେଶ୍ୱର ଓ କଟକ ଦେଇ ଯାଇଥିବା ବା ଏହା ଉପକଣ୍ଠରେ ଥିବା ନଦୀଗୁଡ଼ିକ ସୁଇସାଇଡ୍‌ ପଏଣ୍ଟ ପାଲଟିଛି।

ସମ୍ବନ୍ଧିତ ଖବର