ଓଲିଉଡ୍‌ରେ ନାହିଁ ବାୟୋପିକ୍‌ ଟ୍ରେଣ୍ଡ୍‌: ମାଟିର ବରପୁତ୍ରଙ୍କ ଉପରେ ଗବେଷଣା ହେଉନି

ଭୁବନେଶ୍ବର: କେବେ ଦେହଜୀବୀଙ୍କ ଅଧିକାର ଓ ମହିଳାଙ୍କ ପାଇଁ ଲଢେଇ କରୁଥିବା ଗଙ୍ଗା କାଠିଆୱାଡ଼ାଙ୍କ ଜୀବନୀକୁ ନେଇ ବଲିଉଡ୍‌ ନିର୍ମାଣ କରିଛି ‘ଗଙ୍ଗୁବାଇ କାଠିଆୱାଡା’ ଚଳଚ୍ଚିତ୍ର। ପୁଣି କେବେ ବିବାଦୀୟ ନାୟକ ସଞ୍ଜୟ ଦତ୍ତଙ୍କ ରୋମାଞ୍ଚକର ଜୀବନ ଯାତ୍ରାକୁ ନେଇ ପ୍ରସ୍ତୁତ ହୋଇଛି ‘ସଞ୍ଜୁ’ ଚଳଚ୍ଚିତ୍ର। କେବେ ‌ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକଙ୍କୁ ନେଇ ହୋଇଛି ‘ଏମ୍‌. ଏସ୍‌ ଧୋନି’ ଚଳଚ୍ଚିତ୍ର ତ ପୁଣି କେବେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ନେଇ ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ‘ଥାଲାଇଭି’; ଆତ୍ମଜୀବନୀକୁ ନେଇ ପ୍ରସ୍ତୁତ ଏମିତି ଗଦା ଗଦା ଚଳଚ୍ଚିତ୍ରର ଉଦାହରଣ ରହିଛି ବଲିଉଡ୍‌ରେ।

ଗତ କିଛି ବର୍ଷ ହେଲା ଦର୍ଶକଙ୍କ ମଧ୍ୟରେ ବାୟୋପିକ୍‌କୁ ନେଇ ଏତେ ଚାହିଦା ବଢ଼ିଛି ଯେ ବର୍ଷକୁ ବଲିଉଡ୍‌ର ୪ରୁ ୫ଟି ବାୟୋପିକ୍‌ ଚଳଚ୍ଚିତ୍ର ପରଦାକୁ ଆସିଯାଏ। ନୂଆପିଢ଼ିଙ୍କ ମଧ୍ୟରେ ଆମ ବରପୁତ୍ରମାନଙ୍କୁ ଚିହ୍ନାଇବା, ଗୋଟିଏ ସମୟର ସଂଘର୍ଷର କାହାଣୀ ଦର୍ଶାଇବା ବା ସମସାମୟିକ ଘଟଣାବଳୀକୁ ଦସ୍ତାବିଜ୍‌ କରି ରଖିବା ଉଦ୍ଦେଶ୍ୟରେ ଏବେ ଅଧିକ ସଂଖ୍ୟାରେ ପ୍ରସ୍ତୁତ ହେଉଛି ବାୟୋପିକ୍‌। କେବଳ ବଲିଉଡ୍‌ କାହିଁକି, ବିଭିନ୍ନ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ବାୟୋପିକ୍‌ ଟ୍ରେଣ୍ଡ୍‌ ଜାରି ରହିଛି।

କିନ୍ତୁ ଆମ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଏସବୁଠାରୁ ବହୁ ଦୂରରେ ରହିଛି। ଏଠାରେ ବହୁ ସଂଖ୍ୟାରେ ବରପୁତ୍ର, ଐତିହାସିକ ବ୍ୟକ୍ତିତ୍ବ ଓ ପ୍ରେରଣାଦାୟୀ ମଣିଷ ରହିଥିଲେ ବି ସେମାନଙ୍କ ଉପରେ ବାୟୋପିକ୍‌ ନିର୍ମାଣ କରିବାକୁ ପ୍ରଯୋଜକ-ନିର୍ଦ୍ଦେଶକ ଅନିଚ୍ଛୁକ। ନିକଟ ଅତୀତରେ ଯେଉଁ ଦୁଇ ତିନିଟି ବାୟୋପିକ୍‌ ନିର୍ମିତ ହୋଇଛି, ତାହା ନା ଦର୍ଶକୀୟ ଆଦୃତି ପାଇଛି ନା ବ୍ୟାବସାୟିକ ସଫଳତା।

ଜୟୀ ରାଜଗୁରୁ, ଚନ୍ଦ୍ରଶେଖର ବେହେରା, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଆଚାର୍ଯ୍ୟ ହରିହର, ପଠାଣୀ ସାମନ୍ତ, ଚାଖି ଖୁଣ୍ଟିଆ, ନୀଳକଣ୍ଠ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ପଣ୍ଡିତ ଗୋପବନ୍ଧୁ ଦାସ, କାଳନ୍ଦୀ ଚରଣ ପାଣିଗ୍ରାହୀ ଓ ବିଜୁ ପଟ୍ଟନାୟକଙ୍କ ଭଳି ବହୁ ଦିଗ୍‌ଗଜ ବ୍ୟକ୍ତିତ୍ବ ଓଡ଼ିଶାର ଇତିହାସକୁ ଗାରିମାମୟ କରିଛନ୍ତି। ଏମାନଙ୍କୁ ନେଇ ବହୁ ଉପନ୍ୟାସ, ପୁସ୍ତକ, କବିତା ଆଦି ରଚିତ ହୋଇଥିଲେ ବି ବାୟୋପିକ୍‌ଟିଏ ପ୍ରସ୍ତୁତ କରିବାକୁ ଯେମିତି ଓଲିଉଡ୍‌ ଚଳଚ୍ଚିତ୍ର ନିର୍ମାତାମାନେ କୁଣ୍ଠିତ।

କଣ୍ଟେଣ୍ଟ୍‌ ଓ ନୂଆ କାହାଣୀର ଅଭା‌ବ ବାହାନା ଦେଖାଇ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରୁ ନକଲ କରିଚାଲିଥିବା ଆମ ଚଳଚ୍ଚିତ୍ର ଜଗତକୁ ଓଡ଼ିଶାରେ ଭରପୂର କାହାଣୀ ଭଣ୍ଡାର ଉପରକୁ ନଜର ଯାଉନି। ଅନେକ ସମୟରେ ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆମର ବୋଲି ସଭା ସମିତିରେ ଦାବି କରି ଆସୁଛୁ। କିନ୍ତୁ ସେ ଯେ ଓଡ଼ିଶାର ଅମୂଲ୍ୟ ରତ୍ନ ଥିଲେ, ତାହା ଆମେ ପ୍ରମାଣ କରିବାରେ ପଛରେ ପଡ଼ି ଯାଇଛେ। ଚଳଚ୍ଚିତ୍ର ଜନାଦୃତି ଓ ଲୋକଙ୍କୁ ପ୍ରଭାବିତ କରିବାର ବଳିଷ୍ଠ ମାଧ୍ୟମ ହୋଇଥିବା ବେଳେ ଆମେ ‌ନେତାଜୀଙ୍କୁ ନେଇ ବାୟୋପିକ୍‌ଟିଏ ନିର୍ମାଣ କରିବାରେ ବି ବିଫଳ ହୋଇଛୁ। କିଛି ବର୍ଷ ତଳେ ନେତାଜୀଙ୍କୁ ନେଇ ଓଡ଼ିଆରେ ଏକ ବାୟୋପିକ୍‌ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଦର୍ଶକଙ୍କୁ ଆକୃଷ୍ଟ କରିପାରି ନଥିଲା। ପ୍ରଚାର, ପ୍ରସାର ଦୃଷ୍ଟିରୁ ବି ଏହି ଚଳଚ୍ଚିତ୍ରଟି ଲୋକଲୋଚନକୁ ଆସିପାରି ନ ଥିଲା।

ବାୟୋପିକ୍‌ ପାଇଁ ପ୍ରଯୋଜକ, ନିର୍ଦ୍ଦେଶକ ଅନିଚ୍ଛୁକ
ଯେତିକି ହୋଇଛି, ସଫଳତା ପାଇନି

ଏପରିକି ବଲିଉଡ୍ ଓ ବିଭିନ୍ନ ଆଞ୍ଚଳିକ ଚଳଚ୍ଚିତ୍ରରେ ଏବେର ବହୁ କିଂବଦନ୍ତି ବ୍ୟକ୍ତିତ୍ବ ଯଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ରିକେଟ୍‌ ତାରକା ଏମ୍‌.ଏସ୍‌ ଧୋନି, କପିଲ ଦେବ, ମିଲ୍‌ଖା ସିଂହ, ମେରିକମ୍‌ ଆଦିଙ୍କୁ ନେଇ ଏବେ ଚଳଚ୍ଚିତ୍ର ନିର୍ମିତ ହେଉଥିବା ବେଳେ ଆମ ଚଳଚ୍ଚିତ୍ର ଶିଳ୍ପ ସେଥିରେ ମଧ୍ୟରେ ପଛରେ ପଡ଼ିଯାଇଛି। ତେବେ ଓଡ଼ିଶାରେ ଧୀରେ ଧୀରେ ଏହି ଟ୍ରେଣ୍ଡ୍‌ ଆରମ୍ଭ ହେଉଥିବା ଦେଖିବାକୁ ମିଳିଛି। ସମା‌ଜସେବୀ ଶ୍ରୁତି ମହାପାତ୍ରଙ୍କୁ ନେଇ ନିର୍ମିତ ହେଉଛି ‘ପାଦେ ଆକାଶ’ ଚଳଚ୍ଚିତ୍ର। ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା ସାହୁ ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ପୂର୍ବରୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନ ଯାତ୍ରା ଉପରେ ଆଧାରିତ ‘ତୁଳସୀ ଅପା’ ଚଳଚ୍ଚିତ୍ର ଥିଲା ଓଡ଼ିଶାର ପ୍ରଥମ ବାୟୋପିକ୍‌। ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ନେଇ ଏକ ବାୟୋପିକ୍‌ ମଧ୍ୟ ମୁକ୍ତିଲାଭ ଅପେକ୍ଷାରେ ରହିଛି। ତେବେ ଓଡ଼ିଶାର ବରପୁତ୍ର ଓ କିଂବଦନ୍ତି ବ୍ୟକ୍ତିତ୍ବଙ୍କୁ ନେଇ ଅଧିକରୁ ଅଧିକ ଗବେଷଣା କରି ଯଦି ବାୟୋପିକ୍‌ ସବୁ ନିର୍ମାଣ କରାଯାଆନ୍ତା, ତେବେ ଆମ ଉତ୍ତରପିଢ଼ି ମଧ୍ୟରେ ଆମେ ଆମ ଓଡ଼ିଶାକୁ ଅଧିକ ପରିଚିତ କରାଇବା ସହ ଆ‌ମ ବରପୁତ୍ରମାନଙ୍କୁ ସେମାନଙ୍କ ପ୍ରେରଣା କରିପାରନ୍ତେ।

ନକଲରେ ବ୍ୟସ୍ତ ନିର୍ମାତାଙ୍କୁ ବାୟୋପିକ୍‌ ଗବେଷଣା ପାଇଁ ସମୟ ନାହିଁ

ବାୟୋପିକ୍‌ ନିର୍ମାଣ ପାଇଁ ଅଧିକରୁ ଅଧିକ ଗବେଷଣା ଆବଶ୍ୟକ। କିନ୍ତୁ ଆମ ନିର୍ମାତାମାନେ ଏ ସବୁରେ ସମୟ ଦେବାକୁ ଚାହାନ୍ତି ନାହିଁ। ସିଧା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରୁ କାହାଣୀଠାରୁ ଆରମ୍ଭ କରି ସ୍ଥାନ, ପୋଷାକ ପାରିପାଟ୍ଟୀ ଓ ସେମାନଙ୍କ ଚଳଣୀକୁ ସିଧାସଳଖ ନକଲ କରୁଛନ୍ତି। ଫଳରେ ଓଡ଼ିଆ ଦର୍ଶକ ଓଡ଼ିଆ ଚଳଚ୍ଚିତ୍ରରୁ ବିମୁଖ ହେଉଛନ୍ତି। କାହାଣୀରେ ଆଞ୍ଚଳିକ ଚାଲିଚଳଣୀ, ସଂସ୍କୃତି, ପରମ୍ପରା ଓ ପୋଷାକର ସ୍ପର୍ଶ ନ ରହିଲେ, ତାହା ଦର୍ଶକଙ୍କୁ ଆକର୍ଷିତ କରିପାରିବ ନାହିଁ। ବାୟୋପିକ୍‌ ନିର୍ମାଣ ପାଇଁ ଅଧିକ ଗବେଷଣା ସହ ସେହି ସମୟକୁ ପୁନଃ ସୃଷ୍ଟି କରିବାକୁ ପଡ଼େ। ତେବେ ଯାଇ ଦର୍ଶକ ତାହା ସହ ଯୋଡ଼ି ହୋଇପାରେ। ଯଦି ତଥ୍ୟ କିମ୍ବା ସମସାମୟିକ ସମୟକୁ ସୃଷ୍ଟି କରିବାରେ ଟିକେ ବି ଭୁଲ ରହିଯାଏ, ତାହା ବକ୍ସ-ଅଫିସ୍‌ରେ ଚାଲିବା କଷ୍ଟ ହୋଇଯାଏ। ନେତାଜୀଙ୍କୁ ନେଇ କିଛି ବର୍ଷ ତଳେ ଏକ ବାୟୋପିକ୍‌ କରାଯାଇଥିଲା। କିନ୍ତୁ ଗବେଷଣାରେ ଅଭାବ ଯୋଗୁଁ ଚଳଚ୍ଚିତ୍ରକୁ ଦର୍ଶକାଦୃତି ମିଳିପାରି ନଥିଲା। ଏବେ ସମୟ ଆସିଛି, ଅଧିକରୁ ଅଧିକ ଭଲ ଚଳଚ୍ଚିତ୍ର କରି ନକଲ ଓ ଖରାପ ଚଳଚ୍ଚିତ୍ରକୁ ପଛରେ ପକାଇବାର।
ସୂର୍ଯ୍ୟ ଦେଓ, ସିନେ ସମୀକ୍ଷକ

ଚରିତ୍ର ତଥା କାହାଣୀ ଉପରେ ଅଧିକ ଗବେଷଣା ଲୋଡ଼ା

ବାୟୋପିକ୍‌ର ନିର୍ମାଣଶୈଳୀ ଓ ଚରିତ୍ର ତଥା କାହାଣୀକୁ ନେଇ ଅଧିକ ଗବେଷଣା ଲୋକଙ୍କୁ ଆକର୍ଷିତ କରିବାରେ ସାହାଯ୍ୟ କରିଥାଏ। ସଞ୍ଜୟ ଦତ୍ତଙ୍କ ଜୀବନୀ ସହ ଆମେ କିଞ୍ଚିତ ପରିଚିତ ଥିବାରୁ ତାଙ୍କ ବାୟୋପିକ୍‌ ‘ସଞ୍ଜୁ’ ସହ ଆମେ ଯୋଡ଼ି ହୋଇପାରିଲୁ। ଏହାର ନିର୍ମାଣ ଓ ସଞ୍ଜୟଙ୍କ ଜୀବନୀକୁ ନେଇ ନିର୍ମାତାଙ୍କ ଗବେଷଣା ଲୋକାଦୃତ ହୋଇପାରିଲା। ଏମ୍‌.ଏସ୍‌ ଧୋନି ଲୋକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ଏଣୁ ତାଙ୍କ ବାୟୋପିକ୍‌ ଲୋକପ୍ରିୟତାର ସୀମା ଟପିଗଲା। ମହିଳାଙ୍କ ଶୋଷଣ କାହାଣୀ ସହ ଆମେ ଅବଗତ, ଏଣୁ ‘ଗଙ୍ଗୁବାଇ କାଠିଆୱାଡ଼ା’ ଦର୍ଶକଙ୍କୁ ବାନ୍ଧି ରଖି ପାରିଲା। ବାୟୋପିକ୍‌ ପାଇଁ ନିର୍ମାତାଙ୍କୁ ଏଭଳି ଚରିତ୍ର ବାଛିବାକୁ ପଡ଼ିବ, ଯାହା ସହ ଦର୍ଶକ ପରିଚିତ। ଏଥିସହ ଚଳଚ୍ଚିତ୍ର ନିର୍ମାଣଶୈଳୀ ଉକ୍ତ ସମୟକୁ ଉଦ୍ଧାର କରିପାରୁଥିବା ଆବଶ୍ୟକ। ଚରିତ୍ର ଉପରେ ଗବେଷଣା ଶତପ୍ରତିଶତ ହେବା ଆବଶ୍ୟକ। ତେବେ ଯାଇ ବାୟୋପିକ୍‌କୁ ନେଇ ଆମେ ଆଶାବାଦୀ ହୋଇପାରିବା। ବହୁ ପୁର୍ବରୁ ଓଡ଼ିଆରେ ‘ଭକ୍ତ ସାଲବେଗ’ଙ୍କୁ ନେଇ ହୋଇଥିବା ବାୟୋପିକ୍‌ ବେଶ୍‌ ଦର୍ଶକୀୟ ଆଦୃତି ଲାଭ କରିଥିଲା। ଏହାପରେ ଓଡ଼ିଶାରେ ବାୟୋପିକ୍‌ ସଫଳତାର ସ୍ବାଦ ଚାଖିନାହିଁ।
ଅକ୍ଷୟ ପରିଜା, ଚଳଚ୍ଚିତ୍ର ପ୍ରଯୋଜକ

ସମ୍ବନ୍ଧିତ ଖବର