ରାଜଧାନୀରେ ନାହିଁ ବାର୍ଡ ଫ୍ଲୁ ଭୟ : ଏଣିକି ଖାଇ ହେବ ଚିକେନ୍, ଅଣ୍ଡା

କେବେ ଖୋଲିବ ଓୟୁଏଟି ଚିକେନ୍ ଫ୍ରେସ୍?

ଭୁବନେଶ୍ବର : ରାଜଧାନୀରେ ଆଉ ବାର୍ଡ ଫ୍ଲୁ ଭୟ ନାହିଁ। ଓୟୁଏଟି ପରିସରରେ ଥିବା କୁକୁଡ଼ା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଦେଖା ଦେବା ପରେ ରାଜଧାନୀରେ କୁକୁଡ଼ାମରା ଅଭିଯାନ ହୋଇଥିଲା। ଏବେ ଲୋକମାନେ କୁକୁଡ଼ା ଓ ଅଣ୍ଡା ଖାଇବାରେ କୌଣସି ଅସୁବିଧା ନାହିଁ। ତେବେ ଠିକ୍ ଭାବେ ସିଝେଇ ଖାଇବା ଉଚିତ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ଗତ ମାସ ୨୭ ତାରିଖରେ ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ-ଫ୍ଲୁ ଦେଖା ଦେଇଥିଲା। ଏଥିପାଇଁ ଫାର୍ମର ୧ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ କୁକୁଡ଼ାମରା ଅଭିଯାନ ହୋଇଥିଲା। ସଂକ୍ରମିତ ସ୍ଥାନରେ ରାପିଡ୍‌ ରେସପନ୍‌ସ ଟିମ୍‌ କୁକୁଡ଼ା ମାରିଥିଲେ। ଏଥିରେ ପ୍ରାୟ ୫/୬ହଜାର କୁକୁଡ଼ା ମରା ଯାଇଥିଲା। ଏହାସହ ଓୟୁଏଟିର ୧୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଅଞ୍ଚଳ‌ ଭିତରେ ଟିମ୍ ପକ୍ଷରୁ ନିରୀକ୍ଷଣ କରାଯାଇଥିଲା। ରାଜଧାନୀରେ ବାର୍ଡ-ଫ୍ଲୁକୁ ନେଇ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଲୋକମାନେ ଚିକେନ୍ ଓ ଅଣ୍ଡା ଖାଇବା ଏକପ୍ରକାର ଛାଡ଼ି ଦେଇଥିଲେ। କୁକୁଡ଼ା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଥିଲା। ତେବେ ଏହା ଭିତରେ ୧୫ ଦିନ ବିତି ଯାଇଥିବା ବେଳେ ଲୋକମାନଙ୍କ ମଧ୍ୟରେ ବାର୍ଡ-ଫ୍ଲୁକୁ‌ ନେଇ ଏବେ ବି ଆଶଙ୍କା ରହିଛି। ଚିକେନ୍‌ ଖାଇବେ କି ନାହିଁ, ତାହାକୁ ନେଇ ଲୋକମାନେ ଦ୍ବନ୍ଦ୍ବରେ ରହିଛନ୍ତି।

ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ) ଡା. ଅର୍ଘ୍ୟ ପ୍ରଧାନ କହିଛନ୍ତି, ରାଜଧାନୀରେ ଏବେ ବାର୍ଡ ଫ୍ଲୁର କୌଣସି ଭୟ ନାହିଁ। ଏବେ ଲୋକମାନେ ଚିକେନ୍ ଓ ଅଣ୍ଡା ଖାଇବାରେ କୌଣସି ସମସ୍ୟା ନାହିଁ ବୋଲି ଡା. ପ୍ରଧାନ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଓୟୁଏଟିରେ ବାର୍ଡ ଫ୍ଲୁ ଦେଖାଦେବା ପରେ ରାଜ୍ୟ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଓୟୁଏଟି ଚିକେନ୍ ଫ୍ରେସ୍‌କୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଫଳରେ ସ୍ଥାନୀୟ ଲୋକମାନେ ଚିକେନ୍ ଫ୍ରେସରୁ କିଣିବାର ‌ସୁଯୋଗ ପାଉନାହାନ୍ତି। ତେବେ ରାଜଧାନୀର ସହିଦନଗର, ଆଇଆରସି ଭ‌ିଲେଜ୍ ଓ ଚନ୍ଦ୍ରଶେଖରପୁର ଥିବା ଚିକେନ୍ ଫ୍ରେସ ପୂର୍ବଭଳି ଖୋଲିଥିବା ସୂଚନା ମିଳିଛି। ଓପୋଲଫେଡ୍‌ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜଧାନୀରେ ଓପୋଲଫେଡ୍‌ର ୮୦ଟି ବୁଥ୍ ରହିଛି। ଏହି ୪ଟି ସ୍ଥାନରୁ ବୁଥମାନଙ୍କୁ ଚିକେନ୍ ଯୋଗାଣ ହୋଇଥ‌ାଏ। ଓୟୁଏଟି ଚିକେନ୍ ଫ୍ରେସ୍‌ରୁ ହିଁ ସର୍ବାଧିକ ଚିକେନ୍ ବିଭିନ୍ନ ବୁଥକୁ ଯୋଗାଣ କରାଯାଇଥାଏ। ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଏକ ବୈଠକ ପରେ କାଉଣ୍ଟର୍‌କୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଏବେ ରାଜଧାନୀରେ ବାର୍ଡ-ଫ୍ଲୁର କୌଣସି ଭୟ ନ ଥିବା ବେଳେ ଏହାକୁ କାହିଁକି ବନ୍ଦ ରଖାଯାଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ଏହି ଚିକେନ୍ ଫ୍ରେସରୁ ପ୍ରାୟ ୮ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଓପୋଲଫେଡ୍‌ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଖୋଲିବା ପାଇଁ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହାକୁ ଖୋଲାଯିବ ନାହିଁ ବୋଲି ଓପୋଲଫେଡ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର