ଖଣ୍ଡଗିରି: ନୂଆପଲ୍ଲୀ ହଜକୁ ନେଇ ମାମଲା ଏନ୍ଜିଟିରେ ପହଞ୍ଚିବା ପରେ ତନାଘନା ହେଲା। ବିଏମ୍ସି ତତ୍ପର ହେଲା। ହଜକୁ ନୂଆ ରୂପ ଦେବା ସହ ଏଠାରେ ବୋଟିଂ ବ୍ୟବସ୍ଥା କରିବାକୁ ବିଏମ୍ସି ଯୋଜନା କରିଥିଲା। ୪ କୋଟି ଟଙ୍କା ବ୍ୟୟ ବରାଦ ହେଲା। ସୌନ୍ଦର୍ଯ୍ୟୀକରଣ ପାଇଁ ୬୪ଲକ୍ଷ ଖର୍ଚ୍ଚ ହେଲା। ଆବଶ୍ୟକ ପଡ଼ିଲେ ଅଧିକ ଅର୍ଥ ବି ବିନିଯୋଗ ହେବ ବୋଲି ଘୋଷଣା ହେଲା। ଏହି ଘୋଷଣାକୁ ଦେଢ଼ ବର୍ଷରୁ ଅଧିକ ହେଲାଣି। ଗତ ବର୍ଷ ଜୁନ୍ ମାସରେ ଏଭଳି ଯୋଜନା କରିଥିଲା ବିଏମ୍ସି। ହେଲେ ଯୋଜନା କେବଳ ଯୋଜନାରେ ରହିଯାଇଛି। ପୋଖରୀ ହୁଡ଼ାରେ ଓ କେତେକ ଜାଗାରେ ପେଭର ବ୍ଲକ୍ ପଡ଼ିଛି ଓ ଘାସ ଲାଗିଛି। ଯେତିକି ବି ସୌନ୍ଦର୍ଯ୍ୟୀକରଣ ହୋଇଥିଲା ତାହା ଉଜୁଡ଼ିଗଲାଣି। ସେଠାରେ ଏବେ ଅନାବନା ଘାସ ଉଠିଗଲାଣି। ପୋଖରୀର ପାଣି ବି ନଷ୍ଟ ହୋଇଗଲାଣି। ସବୁଠାରୁ ବଡ଼ କଥା ହେଉଛି ଏନ୍ଜିଟିଙ୍କ ଆଦେଶ ଆଧାରରେ ଏ ଯାବତ୍ ଶତ ପ୍ରତିଶତ ଜବରଦଖଲ ହଟିପାରି ନାହିଁ। କେବଳ ଧର୍ମକୁ ଆଖି ଠାର ଭଳି ଅଳ୍ପ କିଛି ଜବରଦଖଲ ହଟାଇ ହଜ ପାଣିକୁ ସଫା କରାଯାଇଛି। ପୂର୍ବ ଯୋଜନା କେବେ କାର୍ଯ୍ୟକାରୀ ହେବ ସେ ନେଇ ଏବେ କାହା ପାଖରେ ଖବର ନାହିଁ। କେବଳ ଏନ୍ଜିଟିଙ୍କ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ବିଏମ୍ସି ପକ୍ଷରୁ ଏଭଳି ସ୍ବପ୍ନ ଦେଖାଯାଇଥିଲା ବୋଲି ଚର୍ଚ୍ଚା ହେଉଛି।
ନୂଆପଲ୍ଲୀର ହଜ ପୋଖରୀ ୭ ଏକର ଜାଗାରେ ରହିଥିଲା। ଜବରଦଖଲ ହେବା ପରେ ଏହା ୪.୫ଏକରରେ ସୀମିତ ରହିଛି। ୧.୫ଏକର ଜମି ସରକାରୀ ଜବରଦଖଲ ରହିଥିଲା। ରାଜୀବ ଆବାସ ଯୋଜନାରେ ବିଏମ୍ସି ପୋଖରୀ ଭିତରେ ଘର କରିଥିଲା। ଗୋଟିଏ ଏକର ଜମି ବ୍ୟକ୍ତିଗତ ଜବରଦଖଲରେ ଥିଲା। ଶନିମନ୍ଦିର ସହ ଆଉ ଗୋଟିଏ ମନ୍ଦିର ମଧ୍ୟ ରହିଥିଲା। ଏହାର ପୁନରୁଦ୍ଧାର ପାଇଁ ମାମଲା ଏନ୍ଜିଟିରେ ପହଞ୍ଚିଥିଲା। ୨୦୧୩ ମସିହା ମାର୍ଚ୍ଚ ମାସରେ ଏନ୍ଜିଟି ୬ ମାସ ମଧ୍ୟରେ ପୋଖରୀ ଓ ୧୦ ନମ୍ବର ପ୍ରାକୃତିକ ନାଳରୁ ସମସ୍ତ ଜବରଦଖଲ ହଟାଇବା ପାଇଁ ବିଏମ୍ସି ଓ ବିଡିଏକୁ ଆଦେଶ ଦେଇଥିଲେ। ଏଣୁ ବିଏମ୍ସି କିଛି ଜବରଦଖଲ ହଟାଇବା ପରେ ବୋଟିଂ ବ୍ୟବସ୍ଥା କରିବାକୁ ଯୋଜନା କରିଥିଲା।
ବୋଟିଂ ପାଇଁ ୪ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ପାରିପାର୍ଶ୍ବିକ ଉନ୍ନତୀକରଣ ପାଇଁ ୬୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏଥିରେ ଜଳାଶୟକୁ ବ୍ୟାରିକେଡ୍ କରାଯାଇଥିଲା। ଏହା ସହ ଯୋଗମଣ୍ଡପ, ୱାକିଂ ଟ୍ରାକ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ ଉଦ୍ୟାନ ଆଦି ଯୋଜନା ହୋଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ହେଉଛି, ଏନ୍ଜିଟିଙ୍କ ଆଦେଶ ପରେ ଏଠାରେ ଥିବା ଶନିମନ୍ଦିର ଉଚ୍ଛେଦ ହୋଇଛି। ଏହା ସହିତ ଅନ୍ୟ କେତେକ ଜବରଦଖଲ ମଧ୍ୟ ଉଚ୍ଛେଦ ହୋଇଛି। ବୋଟିଂ ପାଇଁ ଖୋଳା ଯାଇ ପାଣି ବ୍ୟବସ୍ଥା କରାଯାଇଛି। ହେଲେ ବୋଟିଂ ବ୍ୟବସ୍ଥା ହୋଇନାହିଁ। ଯେଉଁ ଗଛସବୁ ଲାଗିଥିଲା ନଷ୍ଟ ହୋଇଗଲାଣି। ପୁଣି ଜଙ୍ଗଲ ଭଳି ହୋଇଗଲାଣି। ଖୁବ୍ଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ବିଏମ୍ସି ପକ୍ଷରୁ ସୁଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/25/fshfsfhxvbv-2025-10-25-03-52-37.jpg)