ମାନବାଧିକାର ଆୟୋଗ ମୁରବି ଶୂନ୍ୟ

ଭୁବନେଶ୍ୱର : ଓଡ଼ିଶା ମାନବାଧିକାର ଆୟୋଗ ମୁରବି ଶୂନ୍ୟ ଥିବାରୁ ମାନବାଧିକାର ଉଲ୍ଲଂଘନ ସମ୍ପର୍କିତ ମାମଲା ବିଚାର ନହୋଇ ପଡ଼ିରହିଛି। ୬ବର୍ଷ ହେଲା କାମଚଳା ଅଧ୍ୟକ୍ଷରେ ଆୟୋଗ ଚାଲିଥିବା ବେଳେ ଅଗଷ୍ଟ ୧୫ ପରଠୁ ଅଧ୍ୟକ୍ଷ କି ସଦସ୍ୟ କେହି ନାହାନ୍ତି। ମାମଲା ବଢ଼ିବଢ଼ି ୧୫ହଜାରରେ ପହଞ୍ଚିଥିବା ବେଳେ ଏବେ ପ୍ରତିଦିନ ୩୫ରୁ ଅଧିକ ମାମଲା ଆସୁଛି। କିନ୍ତୁ ସେସବୁ ବିଚାର ନହୋଇ ପଡ଼ି ରହିଛି। ଫଳରେ ଏହାକୁ ନେଇ ମାନବାଧିକାର ସଂଗଠନ ସମୂହ ଉଦ୍‌ବେଗ ପ୍ରକାଶ କରିବା ସହ ରାଜଭବନ ସମ୍ମୁଖରେ ଆଜି ଧାରଣା ଦିଆଯାଇଛି। ସଂଗଠନ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜଭବନରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳ ଉପସ୍ଥିତ ନଥିଲେ ହେଁ, ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ସ୍ମାରକପତ୍ର ଦିଆଯାଇଛି। ରାଜ୍ୟପାଳ ମଧ୍ୟ ଏ ସମ୍ବନ୍ଧରେ ପୂର୍ବରୁ ଗୃହ ବିଭାଗକୁ ଚିଠି କରି ଜବାବ ମାଗିଛନ୍ତି ବୋଲି ବ୍ୟକ୍ତିଗତ ସଚିବ କହିଛନ୍ତି।

ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ, ବାଚସ୍ପତି ଓ ବିରୋଧୀଦଳ ନେତାଙ୍କୁ ନେଇ ଗଠିତ କମିଟି ଆୟୋଗ ପାଇଁ ନାମ ଚୟନ କରି ପଠାଇବା ପରେ ରାଜ୍ୟପାଳ ସେମାନଙ୍କୁ ନିଯୁକ୍ତି ଦେବାର ଆଇନ ରହିଛି। କିନ୍ତୁ ଆନ୍ତରିକତା ଅଭାବରୁ ଏହି କମିଟି ଅଧ୍ୟକ୍ଷ ଓ ୨ ସଦସ୍ୟଙ୍କ ନାମ ପଠାଉ ନାହିଁ। ୨୦୧୨ ମସିହା ପରଠାରୁ ଏଠାରେ ଅଧ୍ୟକ୍ଷ ନିଯୁକ୍ତ ହୋଇନାହାନ୍ତି। ଜଣେ କାମଚଳା ଅଧ୍ୟକ୍ଷରେ ଆୟୋଗ ଚାଲି ଆସୁଥିଲା। ଗତ ଅଗଷ୍ଟ ୧୫ରେ ଜଷ୍ଟିସ୍‌ ବୀରକିଶୋର ମିଶ୍ରଙ୍କ କାର୍ଯ୍ୟକାଳ ସରିବା ପରେ ଆଉ ମାମଲା ବିଚାର କରିବାକୁ କେହି ନାହାନ୍ତି। ମାନବାଧିକାର ସୁରକ୍ଷା ଆଇନ, ୧୯୯୩ର ଧାରା ୨୧ ମୁତାବକ ମାନବାଧିକାର ସୁରକ୍ଷା ପାଇଁ ଆୟୋଗ ଗଢ଼ା ଯାଇଛି। କିନ୍ତୁ ଏଥିପ୍ରତି ସରକାର ଆଜି ପର୍ଯ୍ୟନ୍ତ ଯତ୍ନବାନ ହୋଇନାହାନ୍ତି। ତେଣୁ ସରକାର କାହାକୁ ଆନୁଗତ୍ୟ ନଦେଖାଇ ଆଇନ ମୁତାବକ ଯୋଗ୍ୟ ଲୋକଙ୍କୁ ଯଥାଶୀଘ୍ର ଅଧ୍ୟକ୍ଷ ଓ ସଦସ୍ୟ ପଦବିରେ ନିଯୁକ୍ତି ଦେବାକୁ ଦାବି ହୋଇଛି। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ବାଘାମ୍ବର ପଟ୍ଟନାୟକ, ବିଶ୍ୱପ୍ରିୟ କାନୁନ୍‌ଗୋ, ରବି ବେହେରା, ପ୍ରଦୀପ୍ତ ନାୟକ, ଅଖଣ୍ଡ, ପ୍ରମୋଦିନୀ ପ୍ରଧାନ, ଧୀରେନ୍ଦ୍ର ପଣ୍ଡା ଏବଂ ଚନ୍ଦ୍ରନାଥ ଦାନୀଙ୍କ ସମେତ ବହୁ ମାନବାଧିକାର କର୍ମୀ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର