ମାଷ୍ଟରକ୍ୟାଣ୍ଟିନ୍‌ ‌ରେଳ ଷ୍ଟେସନରେ ନାହିଁ ସ୍କ୍ରିନିଂ : ଟ୍ରେନ୍‌ରେ ଆସୁଛନ୍ତି କରୋନା ଆକ୍ରାନ୍ତ

ଭୁବନେଶ୍ବର : ଭୁବନେଶ୍ବରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ନିଦ ହଜିଯାଇଛି। ତିନି ଦିନ ହେଲା ଆଗୁଆ ପଦକ୍ଷେପ ନିଆଯିବା ସହ ଲୋକଙ୍କୁ ବାରମ୍ବାର ସଚେତନ କରାଯିବା ସତ୍ତ୍ବେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ପୁଣି ଇଟାଲି ଫେରନ୍ତାଙ୍କଠାରୁ। ୧୩ ତାରିଖରେ ସମ୍ପୃକ୍ତ ଯୁବକ ଟ୍ରେନ୍‌ ଯୋଗେ ଓଡ଼ିଶା ଫେରିଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ ରେଳଷ୍ଟେସନ ଦେଇ ଭୁବନେଶ୍ବରରେ ଥିବା ନିଜ ଘରକୁ ଯାଇଥିଲେ। ଯେହେତୁ ଉକ୍ତ ବ୍ୟକ୍ତିଙ୍କଠାରୁ କରୋନା ଭୂତାଣୁ ରହିଥିଲା ତେଣୁ ଟ୍ରେନ୍‌ରେ ଆସୁଥିବା ଅନ୍ୟ ଯାତ୍ରୀ ବି ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ ଘନୀଭୂତ ହୋଇଛି। ବିଦେଶରୁ ବିମାନ ଯୋଗ ଫେରୁଥିବା ଯାତ୍ରୀଙ୍କ ପାଇଁ ବିମାନବନ୍ଦରରେ ସ୍କିନିଂ ବ୍ୟବସ୍ଥା ରହିଛି। ‌ହେଲେ ରେଳ ଷ୍ଟେସନରେ ଏଭଳି କୌଣସି ସୁବିଧା ନ ଥିବାରୁ କରୋନା ଆକ୍ରାନ୍ତ ଟ୍ରେନ୍‌ ଯାତ୍ରୀଙ୍କୁ ଚିହ୍ନଟ କରିବା ସମ୍ଭବପର ହେଉନି। ଯେତେବେଳେ କି ପ୍ରତିଦିନ ଶତାଧିକ ବିଦେଶ ଫେରନ୍ତା ରେଳ ଯୋ‌ଗେ ଓଡ଼ିଶା ଫେରୁଛନ୍ତି। ସେମାନେ ରାଜ୍ୟର ବିଭିନ୍ନ ଷ୍ଟେସନରେ ଓହ୍ଲାଉଥିଲେ ମଧ୍ୟ ଯାଞ୍ଚ କରାଯାଉ ନାହିଁ। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଗାମୀ ଦିନରେ ଆହୁରି ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

ବଡ଼ଗଡ଼ରେ ସଫେଇ ହେବ
ବଡଗଡ଼ ଅଞ୍ଚଳରେ ଜଣେ ଯୁବକଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ଅଧିକ ଗୁରୁତ୍ବ ଦିଆଯାଇଛି। ବିଏମ୍‌ସି ସମେତ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ସୋମବାର ସକାଳେ ଏହି ଅଞ୍ଚଳର ପରିବେଶ ସଫେଇ ଉପରେ ଗୁରୁତ୍ବ ଦେବେ। କରୋନା ଭୂତାଣୁ ଯେପରି ଅଧିକ ନ ବ୍ୟାପିବ ସେଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଯାଞ୍ଚ କରାଯିବ। ସ୍କିନିଂ କରାଯାଇ ଆଉ କାହାରିକୁ ବ୍ୟାପିଛି କି ନାହିଁ ଦେଖାଯିବ। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଉପରେ ପ୍ରାଥମିକତା ଦିଆଯିବ। ଜ୍ବର, ଥଣ୍ଡା, କାଶ ହେଉଥିବା ଲୋକଙ୍କୁ ମେଡିକାଲରେ ଭତ୍ତି ଉପରେ ପ୍ରାଥମିକତା ଦିଆଯିବ। ବିଳମ୍ବିତ ରାତି‌ରେ ଖବର ମିଳିବା ପରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର