ଶୀତଳଷଷ୍ଠୀ ସମନ୍ବୟ ବୈଠକ, ଏଥର ବାଜିବନି ଡିଜେ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ଏକ ସମନ୍ବୟ ବୈଠକ ସ୍ବତନ୍ତ୍ର ସର୍କିଟ ହଉସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭୂପେନ୍ଦ୍ର ସିଂ ପୁନିଆ ଏଥିରେ ଅଧ୍ୟକ୍ଷତା କରିଥିଲେ। ଯାତ୍ରାର ନୀତି ନିର୍ଘଣ୍ଟ, ରାସ୍ତା, ଡ୍ରେନ୍, ପିଇବା ପାଣି, ବିଦ୍ୟୁତ୍ ଯୋଗାଣ ଓ ସେବାୟତଙ୍କ ନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ୭ ତାରିଖରେ ଶିବ ବିବାହ ଓ ୮ ତାରିଖରେ ଶୀତଳଷଷ୍ଠୀ ଯାତ୍ରା। ବିବାହ ପାଇଁ ଠାକୁର ରାତି ସାଢ଼େ ୯ଟାରୁ ୧୨ଟା ସୁଦ୍ଧା ଶୋଭାଯାତ୍ରାରେ ବାହାରିବେ। ରାତି ୧୨ଟାରୁ ସାଢ଼େ ୪ଟା ମଧ୍ୟରେ ବିବାହ ଅନୁଷ୍ଠିତ ହେବ। ସେହିପରି ଶୀତଳଷଷ୍ଠୀ ଯାତ୍ରା ଦିନ ନବ ଦମ୍ପତି ରାତି ୯ଟାରେ କେଦାରଗୌରୀ ମନ୍ଦିରରୁ ବାହାରିବେ।

ଯାତ୍ରାକୁ ଦୃଷ୍ଟିରେ ରଖି କେଦାରଗୌରୀ ମନ୍ଦିରକୁ ସଫା କରିବା, ବଡ଼ଦାଣ୍ଡ ଓ ଶୀତଳଷଷ୍ଠୀ ରାସ୍ତା ପର୍ଶ୍ବରେ ଥିବା ଡ୍ରେନ୍‌ରେ ସ୍ଲାବ୍‌ ପକାଇବା, ଷ୍ଟ୍ରିଟ୍‌ ଲାଇଟ୍ ମରାମତି କରିବାକୁ ବିଏମ୍‌ସିକୁ ଚିଠି ଲେଖାଯିବ। ଯାତ୍ରାରେ ଯେଉଁ ସେବାୟତମାନଙ୍କ ପାଳି ରହିଛି ସେମାନେ ନିର୍ଧାରିତ ସମୟରେ କାର୍ଯ୍ୟ ସମ୍ପାଦନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଯାତ୍ରାର ଦୁଇ ଦିନ ପୂର୍ବରୁ ବିଏମ୍‌ସିର କାଓ କ୍ୟାଚର୍‌ ଦ୍ବାରା ଷଣ୍ଢ ଧରାଯାଇ ଦୂରସ୍ଥାନରେ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଛି। ଶୀତଳଷଷ୍ଠୀ ଯାତ୍ରା ବେଳେ ଡିଜେ ବାଜିବ ନାହିଁ ବୋଲି ବୈଠକରେ କମିଟି ପକ୍ଷରୁ ଘୋଷଣା କରାଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ଶୀତଳଷଷ୍ଠୀ କମିଟି ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ, ଉପସଭାପତି ସନତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଯୋଗ ଦେଲେନି ସେବାୟତ: ବୈଠକରେ କୌଣସି ସେବାୟତ ପ୍ରତିନିଧି ଉପସ୍ଥିତ ନଥିଲେ। ଆସନ୍ତାକାଲି ଅତିରିକ୍ତ ଜିଲ୍ଲାପାଳ ଓ ଏସିପିଙ୍କ ଉପସ୍ଥିତିରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗ, ସମର୍ଥା ନିଯୋଗ ସହ ଆଲୋଚନା କରାଯିବ ବୋଲି କୁହାଯାଇଛି। ପ୍ରକାଶ ଥାଉକି ଶ୍ରୀଲିଙ୍ଗରାଜଙ୍କ ଶିବ ବିବାହ ଓ ଶୀତଳଷଷ୍ଠୀରେ ଶ୍ରୀକପିଳନାଥ ମହାପ୍ରଭୁ ଆସୁ ନଥିବାରୁ ବ୍ରହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ପତି ଅସନ୍ତୋଷ ପ୍ରକାଶ କରିଛନ୍ତି। କପିଳନାଥଙ୍କୁ ଶିବ ବିବାହରେ ଆଣିବା ପାଇଁ ଗତବର୍ଷ ପ୍ରଶାସନ ଫେଲ୍‌ ମାରିଥିଲା। ଚଳିତ ବର୍ଷ ଏପରି ବିଶୃଙ୍ଖଳାକୁ ଏଡ଼ାଇବାକୁ ସେବାୟତଙ୍କୁ ମନେଇବା ପାଇଁ ବୈଠକରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର