ଆପଣଙ୍କ ଘରେ ବି ଫୁଟିପାରେ ବୋମା!

ବିନା ସ୍କାନିଂରେ ଆସୁଛି ପାର୍ସଲ

ଭୁବନେଶ୍ୱର(ବିଶ୍ୱଜିତ ଦାଶ): କେତେବେଳେ କାହା ଘରେ ବୋମା ଫୁଟିବ କେହି ତାହାର ଟେର୍‌ ପାଇବେନି। ବୋମା ଆସିଥିବ ପାର୍ସଲରେ ବା କୋରିଅର ପ୍ୟାକେଟ୍‌ରେ। ଯାହାକୁ ଖୋଲୁ ଖୋଲୁ ବିସ୍ଫୋରଣ ହେବ। କ୍ଷଣିକରେ ସବୁ ଖିନଭିନ୍‌ ହୋଇଯିବ। କିଛି ବୁଝିବା ଆଗରୁ ମୃତ୍ୟୁ ବି ହୋଇଯାଇପାରେ। କେବଳ ଜଣେ ନୁହେଁ, ଆଖପାଖରେ ଥିବା ପରିବାରର ଅନ୍ୟ ସଦସ୍ୟ ବି ବଞ୍ଚିବା କଷ୍ଟକର ହୋଇଯିବ। ଅନ୍ୟକୁ ମାରିବାର ଏଭଳି ଭୟଙ୍କର ଧାରା କେବଳ ସିନେମାରେ ନୁହେଁ, ବାସ୍ତବ କ୍ଷେତ୍ରରେ ବି ଘଟୁଛି। ମାତ୍ର କିଛି ଟଙ୍କାର କୋରିଅର ଖର୍ଚ୍ଚ ବହନ କଲେ ଯେକୌଣସି ବ୍ୟକ୍ତି ପାଖରେ ମୃତ୍ୟୁଦୂତକୁ ପହଞ୍ଚାଇ ହେଉଛି। କିନ୍ତୁ ପୁଲିସ କି ଗୁଇନ୍ଦା ବିଭାଗ ଏହାର ମୁକାବିଲା କରିବାରେ ବିଫଳ। ଜଣକୁ ମାରିବାର ସବୁଠୁ ଅତ୍ୟାଧୁନିକ ତରିକା ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ଏବେ ଅଜଣା ଆତତାୟୀ ପାର୍ସଲ ବୋମା ବା ଲେଟର୍‌ ବୋମା ବ୍ୟବହାର କରୁଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ସ୍ଥିତ ବରହମ୍‌ପୁରାରେ ତିନି ଦିନ ତଳେ ଏହିଭଳି ପାର୍ସଲ ବୋମା ଫୁଟି ଦୁଇ ଜଣଙ୍କର ମୃତ୍ୟୁ ହେବା ଏବଂ ଜଣେ ଗୁରୁତର ହେବା ସାରା ଦେଶରେ ଚହଳ ପକାଇଛି। ଦେଶ ପାଇଁ ଏହିଭଳି ଘଟଣା ନୂଆ ହୋଇନଥିଲେ ହେଁ ଓଡ଼ିଶା ପାଇଁ ଏହା ନୂଆ। ଏହି ଅଘଟଣ ଘଟିବା ପରେ ଏବେ ଘରକୁ ଆସୁଥିବା ପାର୍ସଲ ଖୋଲିବାକୁ ଲୋକେ ଡରିଲେଣି। ପାର୍ସଲ ବୋମା ରୂପୀ ଅଦୃଶ୍ୟ ଆତଙ୍କ ହୁଏତ ଯେ କୌଣସି ମୁହୂର୍ତରେ ଆପଣଙ୍କ ଘରେ ପହଞ୍ଚିପାରେ। ଯେଉଁଥିପାଇଁ ଆପଣ ପ୍ରସ୍ତୁତ ନଥିବେ। ରାଜଧାନୀରେ ପ୍ରାୟ ୫୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କୋରିଅର ସର୍ଭିସେସ୍‌ ସଂସ୍ଥା ରହିଛି। ଯେଉଁଠୁ ଦୈନିକ ହଜାର ହଜାର ପାର୍ସଲ ପ୍ୟାକେଟ୍‌ ରାଜ୍ୟ ଭିତରର ବିଭିନ୍ନ ସ୍ଥାନ, ରାଜ୍ୟ ବାହାରକୁ ଏବଂ ଦେଶ ବାହାରକୁ ମଧ୍ୟ ଯାଉଛି। ହେଲେ ଏହି ପ୍ୟାକେଟ୍‌ଗୁଡ଼ିକ କେତେ ସୁରକ୍ଷିତ, ଏଥିରେ କିଛି ବିସ୍ଫୋରକ ସାମଗ୍ରୀ ଅଛି କି ନାହିଁ, ତାହା ଯାଞ୍ଚ କରିବାକୁ କୌଣସି ସଂସ୍ଥା ପକ୍ଷରୁ କିଛି ବି ବ୍ୟବସ୍ଥା ନାହିଁ। ତେଣୁ ନିଃସଙ୍କୋଚରେ ଜଣେ ଆତତାୟୀ ତା’ର ପାର୍ସଲ ଟାର୍ଗେଟରେ ପହଞ୍ଚାଇଦେବାରେ ଅସୁବିଧା ନାହିଁ। ଯଦି ବଡ଼ ଧରଣର ବିସ୍ଫୋରଣ ହେଲା ତେବେ ପାର୍ସଲ ପଠାଇଥିବା ବ୍ୟକ୍ତିର ପରିଚୟ ପାଇବା ବି ସହଜ ନୁହେଁ। ମାତ୍ର ୫୦ଟଙ୍କା ଖର୍ଚ କରି ପାର୍ସଲ ପଠାଇ ଦେଲେ ଉଦ୍ଦେଶ୍ୟ ସାଧନ ହୋଇଯିବ। ଏହିଭଳି ହୁଗୁଳା ସୁରକ୍ଷା ବ୍ୟବସ୍ଥାରେ ରାଜଧାନୀର ୧୦ଲକ୍ଷରୁ ଅଧିକ ଲୋକ, ଶହ ଶହ ଜନପ୍ରତିନିଧି, ବହୁ ଭିଭିଆଇପି ରହୁଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ କି କାହାର ନିଘା ନାହିଁ। କିଛିଦିନ ତଳେ କୋଲକାତା, ମୁମ୍ବାଇ ଓ ଦିଲ୍ଲୀ ଭଳି ସହରରେ କେତୋଟି ପାର୍ସଲ/ଲେଟର୍‌ ବୋମା ବିସ୍ଫୋରଣ ଘଟିବା ପରେ ଏବଂ ନୋଏଡାରେ ଜଣେ ଶିକ୍ଷୟିତ୍ରୀଙ୍କୁ ତାଙ୍କ ପ୍ରେମିକ ଲେଟର ବୋମାକୁ ଗୋଟିଏ ବହିରେ ପାର୍ସଲ କରି ହତ୍ୟା କରିବା ପରେ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ଯେ ପ୍ରତ୍ୟେକ କୋରିଅର ସର୍ଭିସେସ୍‌ ସଂସ୍ଥା ନିଜର ବମ୍ବ ସ୍କାନର ରଖିବେ। ଏଥିରେ ପ୍ରତ୍ୟେକ ପାର୍ସଲ ଯାଞ୍ଚ ହେବ। ଏହି ବ୍ୟବସ୍ଥାକୁ ସ୍ଥାନୀୟ ଥାନାଧିକାରୀ ଯାଞ୍ଚ କରିବେ। ହେଲେ ଆମ ରାଜ୍ୟରେ କେହି ବି ଏହି ନିୟମକୁ ମାନୁନାହାନ୍ତି କି ପୁଲିସ ମଧ୍ୟ ଏଥିପ୍ରତି ସଚେତନ ନାହିଁ।

ପୁଲିସ ପଦକ୍ଷେପ ନେବାରେ ବିଫଳ
କିଛି ବର୍ଷ ତଳେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ କୋରିଅରରେ ଡିଟୋନେଟର ଆସିଥିଲେ ହେଁ ଏହାକୁ ପଠାଇଥିବା ଆତତାୟୀର ପରିଚୟ ଆଜି ପର୍ଯ୍ୟନ୍ତ ପୁଲିସ ପାଇଲାନି। କେତେବେଳେ ଏହିଭଳି ଭାବେ ପାର୍ସଲ ବମ୍‌ କେଉଁଠି କେତେବେଳେ ପହଞ୍ଚିଯିବ ଆଉ କିଛି ଅଘଟଣ ଘଟିବ ତାହା ଠଉରାଇବା କଷ୍ଟକର। ପାର୍ସଲରେ ବୋମା ଆସିବା ଏବଂ ବିସ୍ଫୋରଣ ହେବା ଘଟଣା ବଢ଼ିବା ପରେ ଏବେ ଘରକୁ ପାର୍ସଲ ଆସିଲେ ଖୋଲିବାବେଳେ ମନରେ ଅନେକ ଆଶଙ୍କା ସୃଷ୍ଟି କରୁଛି।
ହେଲେ ଏଭଳି ଆଶଙ୍କା ନେଇ କମିସନରେଟ୍‌ ପୁଲିସ ପୂରା ନିଷ୍କ୍ରିୟ। ଏନେଇ ଡିସିପି ସତ୍ୟବ୍ରତ ଭୋଇଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କୋରିଅର ସଂସ୍ଥା ପାଇଁ କ’ଣ ନିୟମାବଳୀ ଅଛି କି ନାହିଁ ଜାଣିନୁ। କିନ୍ତୁ ଯେପରି ଅଘଟଣର ମୁକାବିଲା କରିହେବ ସେଥିପାଇଁ ଆମେ ପଦକ୍ଷେପ ନେବୁ। ସବୁ କୋରିଅର ସଂସ୍ଥାକୁ ଡାକି ସଚେତନ କରିବା ସହ ସମସ୍ତେ ଯେପରି ବମ୍‌ ସ୍କାନର୍‌ ଲଗାଇବେ ସେଥିପାଇଁ ଖୁବ୍‌ ଶୀଘ୍ର ଗାଇଡଲାଇନ୍‌ ଜାରି କରିବୁ।

କେଉଁ ପାର୍ସଲ ଉପରେ ସନ୍ଦେହ କରିବେ
ଯଦି କୌଣସି ପାର୍ସଲରେ କୌଣସି କୋରିଅର ସଂସ୍ଥା କି ପୋଷ୍ଟ ଅଫିସ୍‌ ସିଲ୍‌ ନଥିବ, ଅଧିକ ଷ୍ଟାମ୍ପ ଲାଗିଥିବ, ପାର୍ସଲର ବିଭିନ୍ନ ସ୍ଥାନରେ ଷ୍ଟାମ୍ପ୍‌ ଲାଗିଥିବ, ପାର୍ସଲ ଭିତରେ ଥିବା ସାମଗ୍ରୀ ହାତକୁ ଅଖାଡ଼ୁଆ ଲାଗୁଥିବ, ଯେଉଁ ଅନୁସାରେ ପ୍ୟାକିଂ ହୋଇଥିବ ତାହାଠାରୁ ଅଧିକ ଓଜନ ଲାଗୁଥିବ, ପଠାଇଥିବା ବ୍ୟକ୍ତିର ନାମ କିମ୍ବା ଠିକଣା ସନ୍ଦେହଜନକ ଲାଗୁଥିବ, ନାମ ଭୁଲ୍‌ ଅକ୍ଷରରେ ଲେଖା ହୋଇଥିବ, ପାର୍ସଲ ଉପରେ ଯଦି ଲେଖାଥିବ କନଫିଡେନସିଆଲ୍‌ ବା ପର୍ସନାଲ ବା କେବଳ ଜଣେ ବ୍ୟକ୍ତି ଖୋଲିବେ, ବିଭିନ୍ନ ପ୍ରକାରର ଟେପ୍‌ ଗୁଡ଼ାଯାଇଥିବ, ଯଦି ପ୍ୟାକେଟରୁ ବାଦାମ ବାସ୍ନା ଆସୁଥିବ ତେବେ ସନ୍ଦେହ କରି ଏହାକୁ ହଠାତ୍‌ ନ ଖୋଲିବାକୁ ବିଶେଷଜ୍ଞମାନେ କହିଛନ୍ତି।
ଏ ପରିସ୍ଥିତିରେ କୌଣସି ସନ୍ଦେହଜନକ ପାର୍ସଲ ଖୋଲିବା ପୂର୍ବରୁ ଏହାର କିଛି ଅଂଶ ଚିରିକି ଦେଖିବେ। କୌଣସି ତାର କି ସମ୍ବେଦନଶୀଳ ସାମଗ୍ରୀ ଦେଖାଗଲେ ଜରୁରୀକାଳୀନ ନମ୍ବରରେ ଫୋନ୍‌ କରି ପାର୍ସଲଟିକୁ ହସ୍ତାନ୍ତର କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ଏହିସବୁ ସାମଗ୍ରୀ ଉପରେ ରୋକ୍‌ ଲାଗିଛି
ବିଭିନ୍ନ ସମ୍ବେଦନଶୀଳ ସାମଗ୍ରୀ ଯଥା ଏସିଡ୍‌, କୌଣସି ତରଳ ସାମଗ୍ରୀ, ନଗଦ ଟଙ୍କା, ଅଳଙ୍କାର, ଟେଣ୍ଡର ଡକୁମେଣ୍ଟ, ଦରଖାସ୍ତ, ଅସ୍ତ୍ରଶସ୍ତ୍ର ଆଦି କୋରିଅର ମାଧ୍ୟମରେ ପଠାଇବା ଉପରେ ରୋକ୍‌ ଲାଗିଛି ବୋଲି ସ୍କାଏ କିଙ୍ଗ୍‌ର ମ୍ୟାନେଜର ସୁରେଶ ବଳ କହିଛନ୍ତି।

ବିମାନବନ୍ଦରକୁ ଛାଡ଼ିଦେଲେ କେଉଁଠି ପାର୍ସଲ ସ୍କାନିଂ ବ୍ୟବସ୍ଥା ନାହିଁ
ରାଜଧାନୀରୁ ଦୈନିକ ହଜାର ହଜାର ପାର୍ସଲ ବିଭିନ୍ନ ସ୍ଥାନକୁ ଯାଉଛି ଓ ଆସୁଛି। ହେଲେ ଏହାକୁ ସ୍କାନିଂ କରିବା ପାଇଁ କି ପ୍ୟାକେଟ୍‌ ଭିତରେ କ’ଣ ଅଛି ଜାଣିବାକୁ କିଛି ବ୍ୟବସ୍ଥା ନାହିଁ। ଯେଉଁ ପାର୍ସଲଗୁଡ଼ିକ ବିମାନରେ ଯାଉଛି ସେଗୁଡ଼ିକ କେବଳ ବିମାନବନ୍ଦରର କାର୍ଗୋ ଟର୍ମିନାଲରେ ସ୍କାନିଂ ହେଉଛି। ଏହାବ୍ୟତୀତ ଆଉ କେଉଁଠି ସ୍କାନିଂ ବ୍ୟବସ୍ଥା ନାହିଁ। ଭୁବନେଶ୍ୱର ରେଳ ଷ୍ଟେସନ ଦେଇ କୋଲକାତା, ବିଶାଖାପାଟଣା, ହାଇଦ୍ରାବାଦ, ରାୟପୁର ସମେତ ରାଜ୍ୟ ଭିତରର ବହୁ ସ୍ଥାନକୁ କୋରିଅର ମାଧ୍ୟମରେ ସାମଗ୍ରୀ ଯାଉଥିଲେ ହେଁ ସେଠାରେ ବମ୍‌ ସ୍କାନର କି ବିସ୍ଫୋରକ ସାମଗ୍ରୀ ସ୍କାନର ନାହିଁ। ବିନା ଯାଞ୍ଚରେ କେବଳ ଓଜନ କରି ସାମଗ୍ରୀ ଯାଉଛି। ଏପରିକି ବହୁ ସାମଗ୍ରୀ ବସ୍‌ରେ ବିଭିନ୍ନ ସ୍ଥାନକୁ ଯାଉଛି। ହେଲେ ଏହାକୁ ଠିକ୍‌ ଭାବେ ଯାଞ୍ଚ କରାଯାଉନି। ଯାହା ଭବିଷ୍ୟତରେ ବଡ଼ ଧରଣର ଅଘଟଣ ଆଶଙ୍କାକୁ ଏଡ଼ାଇ ଦେଇପାରିବନି।

ପାର୍ସଲ ଆମ ଆଗରେ ପ୍ୟାକିଂ ହେଉଛି: କୋରିଅର ସଂସ୍ଥା
ରାଜଧାନୀର କୌଣସି କୋରିଅର ସଂସ୍ଥାରେ ସ୍କାନିଂ ବ୍ୟବସ୍ଥା ନଥିବାବେଳେ କିଏ ପାର୍ସଲ ଦେଉଛନ୍ତି, ଯିଏ ପଠାଉଛନ୍ତି ତାଙ୍କର ଠିକଣା ଠିକ୍‌ ଭାବେ ଲେଖୁଛନ୍ତି କି ନାହିଁ ତାହା ବି ଯାଞ୍ଚ ହେଉନି। କେବଳ କିଛି ଟଙ୍କା ଦେଇଦେଲେ ପାର୍ସଲ ଗନ୍ତବ୍ୟସ୍ଥଳରେ ପହଞ୍ଚିଯାଉଛି। ଏ ନେଇ ସ୍କାଏ କିଙ୍ଗ୍‌, ଭୁବନେଶ୍ୱରର ମ୍ୟାନେଜର ସୁରେଶ ବଳ କହନ୍ତି, ଯିଏ ପାର୍ସଲ ପଠାଉଛନ୍ତି ସେମାନଙ୍କର ଆଧାର କାର୍ଡ ଆମେ ଯାଞ୍ଚ କରୁଛୁ। ଏପରିକି ତାଙ୍କ ଆଧାର ନମ୍ବର ଲେଖି ରଖୁଛୁ। ଯେଉଁ ପାର୍ସଲ ପଠାଯାଉଛି ତାହାକୁ ଆମ ସମ୍ମୁଖରେ ପ୍ୟାକିଂ କରିବାକୁ କହୁଛୁ। ଯେଉଁ କମ୍ପାନି ପାର୍ସଲ ପଠାଉଛନ୍ତି ସେମାନଙ୍କର ଜିଏସ୍‌ଟିନ୍‌ ନମ୍ବର ରଖୁଛୁ। ହେଲେ ଯେଉଁମାନେ ନିୟମିତ ପାର୍ସଲ ପଠାଉଛନ୍ତି ସେମାନଙ୍କଠାରୁ କେତେକ ସମୟରେ ଆଧାର ନମ୍ବର ରଖାଯାଏନି। ଯେଉଁମାନେ ଆମ କାଉଣ୍ଟରରେ ପାର୍ସଲ ଦେଉଛନ୍ତି ସେମାନଙ୍କ ରେକର୍ଡ ସିସିଟିଭିରେ ରହୁଛି। କେତେକ କୋରିଅର ସଂସ୍ଥା ସିସିଟିଭି ଲଗାଇ ନଥିବାରୁ ଆତତାୟୀ ଏହାର ସୁଯୋଗ ନେଇପାରନ୍ତି। ଏହାବାଦ୍‌ କେଉଁ ସାମଗ୍ରୀ କାହା ପାଖକୁ ପଠାଉଛନ୍ତି ତା’ର ସାର୍ଟିଫିକେଟ୍‌ ଦେଉଛନ୍ତି। ଯେପରି ଭବିଷ୍ୟତରେ ପାଟଣାଗଡ଼ରେ ଘଟିଥିବା ଅଘଟଣ ନଘଟିବ ସେଥିପାଇଁ ଆମେ ବମ୍‌ ସ୍କାନର୍‌ ଲଗାଇବାକୁ ଚିନ୍ତା କରୁଛୁ। ସେହିପରି ପ୍ରଫେସନାଲ୍‌ କୋରିଅର୍‌ର ଜନୈକ ଅଧିକାରୀ କହିଛନ୍ତି ଯେ, ଆମେ ସବୁ ସାମଗ୍ରୀ ଆମ ସମ୍ମୁଖରେ ପ୍ୟାକିଂ କରିଥାଉ। ସାମଗ୍ରୀକୁ ଦେଖିଲା ପରେ କୋରିଅର ପଠାଇବା ପାଇଁ ଗ୍ରହଣ କରିଥାଉ। ଆମ ସ୍ତରରେ ଅଘଟଣକୁ ଏଡ଼ାଇବାକୁ ପଦକ୍ଷେପ ନେଉଛୁ।

ସମ୍ବନ୍ଧିତ ଖବର