ଭୁବନେଶ୍ୱର: ଛକ ଉପରେ ସୁନ୍ଦର ଓ ରଙ୍ଗବେରଙ୍ଗର କୋଠା ତିଆରି ହୋଇଛି। କାନ୍ଥରେ ସୁନ୍ଦର ଚିତ୍ର ସହିତ ବଡ଼ ବଡ଼ ଅକ୍ଷରରେ ଶୌଚାଳୟ ମଧ୍ୟ ଲେଖାଯାଇଛି। ହେଲେ ପାଖକୁ ଗଲେ ସେଥିରେ ତାଲା ଝୁଲୁଛି। ରାଜଧାନୀର ବ୍ୟସ୍ତ ଓ ଜନବହୁଳ ଛକ ରସୁଲଗଡ଼ରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।  ପୁରୀ, ଖୋର୍ଦ୍ଧା, କଟକ ଆଦି ସ୍ଥାନକୁ ଗମନାଗମନ କରିବା ପାଇଁ ଏହା ହେଉଛି କେନ୍ଦ୍ରସ୍ଥଳୀ। ଏଠାରେ ବହୁ ସରକାରୀ ତଥା ବେସରକାରୀ ପ୍ରତିଷ୍ଠାନ, ମଲ, ହାଟ ବଜାର ଆଦି ରହିଛି। ହେଲେ ଏହି ପ୍ରମୁଖ ଛକରେ ଶୌଚାଳୟ ସୁବିଧା ନାହିଁ। ଫଳସ୍ୱରୁପ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବହୁ ଲୋକ ହଇରାଣରେ ପଡ଼ୁଛନ୍ତି। ଛକରେ ଶୌଚାଳୟ ତିଆରି ହେବାର ପାଖାପାଖି ତିନି ମାସରୁ ଅଧିକ ସମୟ ହେଇଥିବା ବେଳେ ଏଯାଏଁ ପାଣି କିମ୍ବା ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଫଳସ୍ୱରୁପ ଏଯାବତ୍‌ ଏହାର ଉଦ୍‌ଘାଟନ ହୋଇପାରୁନାହିଁ। ବିଦ୍ୟୁତ୍‌ ଓ ପାଣି ସଂଯୋଗ ହେଉ ନଥିବାରୁ ପ୍ରାୟ ୧୪ ଲକ୍ଷ ଟଙ୍କାରେ ନିର୍ମିତ ଶୌଚାଳୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ।

Advertisment

ଉଦ୍‌ଘାଟନ ହୋଇ ନଥିବାରୁ ଏହା ଆଗରେ ଜବରଦଖଲ ହୋଇଗଲାଣି। ଶୌଚାଳୟ ଆଗରେ ଗାଡି ପାର୍କିଂ ହେଉଛି। ଉଠାଦୋକାନୀ ପସରା ମେଲାଇ ବସିଗଲେଣି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁର୍ଗାପୂଜା ସମୟରେ ବହୁ ଲୋକ ଶୌଚାଳୟ ନଥିବାରୁ ହଇରାଣରେ ପଡ଼ିଥିଲେ। ନିକଟରେ ସ୍କୁଲ ଥିବାରୁ ବହୁ ଅଭିଭାବକ ଶୌଚାଳୟ ନଥିବାରୁ ପ୍ରତିଦିନ  ହଇରାଣ ହେଉଛନ୍ତି। ମାର୍କେଟ ମଧ୍ୟରେ ଓ ବସ୍‌ଷ୍ଟାଣ୍ଟ୍‌ ନିକଟରେ ନିର୍ମିତ ଏହି ଶୌଚାଳୟ ତୁରନ୍ତ ଖୋଲାଯିବା ଆବଶ୍ୟକ ବୋଲି ଲୋକେ ଦାବି କରିଛନ୍ତି। ରସୁଲଗଡ଼ ଛକରୁ ବମିଖାଲ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ କୌଣସି ଶୌଚାଳୟ ନଥିବାରୁ ଏହି ଶୌଚାଳୟ ଖୋଲିଲେ ଲୋକେ ବିଶେଷ କରି ମହିଳାମାନେ ଉପକୃତ ହୋଇପାରନ୍ତେ ବୋଲି ସେମାନେ କହିଛନ୍ତି। ତେବେ ଏନେଇ କର୍ପୋରେଟର କୁମାରେନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ ଶୌଚାଳୟକୁ ପାଣି ଓ ବିଦ୍ୟୁତ୍‌ ସଂଯୋଗ ପାଇଁ ସେ ବାରମ୍ୱାର ଜଣାଇଛନ୍ତି। ଏପରିକି ଦୁର୍ଗାପୂଜା ମମୟରେ ଖୋଲିବାକୁ ମଧ୍ୟ ସେ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।