ଭୁବନେଶ୍ବର : ରାଜଧାନୀରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ ଆଉ କୌଣସି ଭୟ କରିବାର ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଓୟୁଏଟିସ୍ଥିତ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଓୟୁଏଟି କୁକୁଡ଼ା ଫାର୍ମ ଓ ଏହାର ୧କି.ମି ବ୍ୟାସାର୍ଧ ଅଞ୍ଚଳରେ ସମସ୍ତ କୁକୁଡ଼ା ଓ ବତକକୁ ମାରି ପୋତି ଦିଆଯାଇଛି। ଏହାସହ ଅଣ୍ଡା ଓ କୁକୁଡ଼ା ଖାଦ୍ୟ ମଧ୍ୟ ନଷ୍ଟ କରି ଦିଆଯାଇଛି। ଫାର୍ମ ୧କି.ମି ବ୍ୟବଧାନ ଭିତରେ ବିଶୋଧକ ପ୍ରୟୋଗ କରାଯାଇଛି। ଓୟୁଏଟି କୁକୁଡ଼ା ଫାର୍ମକୁ ସିଲ୍ କରି ଦିଆଯିବା ସହିତ ଖୋର୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ତରଫରୁ ‌ଚଳିତ ମାସ ୪ତାରିଖରେ ‘ଜୀବାଣୁମକ୍ତ’ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହାସହ ଗତମାସ ୨୮ତାରିଖରୁ ଏ ପର୍ଯ୍ୟନ୍ତ ଓୟୁଏଟି କୁକୁଡ଼ା ଫାର୍ମର ୧କି.ମି ବ୍ୟାସାର୍ଦ୍ଧ ଅଞ୍ଚଳରେ କୌଣସି କୁକୁଡ଼ା ଓ କୁକ୍କୁଟଜାତୀୟ ପକ୍ଷୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇନାହିଁ। ତେଣୁ ଲୋକମାନେ ଆଶଙ୍କାଗ୍ରସ୍ତ ନ ହୋଇ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କୌଣସି ସମସ୍ୟା ନାହିଁ ‌ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।