କୋଚିଂ ସେଣ୍ଟର୍‌ରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ୧୫ ଦିନ ମଧ୍ୟରେ ସ୍ଥିତି ସୁଧାରିବାକୁ ନୋଟିସ୍‌

ଭୁବନେଶ୍ବର: ଶୁକ୍ରବାର ଗୁଜୁରାଟର ସୁରଟରେ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ୨୨ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। କୋଚିଂ ସେଣ୍ଟରଗୁଡ଼ିକ ପିଲାଙ୍କ ପଢ଼ିବା ପାଇଁ ନିରାପଦ କି ନୁହେଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜଧାନୀର କୋଚିଂ ସେଣ୍ଟର ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ? ଏଠାରେ ଛାତ୍ରଛାତ୍ରୀମାନେ କେତେ ସୁରକ୍ଷିତ ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

ଆଜି ଅଗ୍ନିଶମ ବିଭାଗର ପକ୍ଷରୁ ଚନ୍ଦ୍ରଶେଖରପୁର, ମଧୁସୂଦନ ନଗର, ସହିଦନଗର, ନୂଆପଲ୍ଲୀ, ଆଚାର୍ଯ୍ୟବିହାର, ନୀଳକଣ୍ଠନଗର, ଫରେଷ୍ଟ ପାର୍କ ଆଦି ବିଭିନ୍ନ ସ୍ଥାନରେ ଥିବା ୧୫ଟି କୋଚିଂ ସେଣ୍ଟର ଉପରେ ଚଢ଼ଉ କରାଯାଇଥିଲା। ବିଭାଗର ୧୪ଟି ଟିମ୍‌ ବିଭିନ୍ନ ସ୍ଥାନରେ ଥିବା କୋଚିଂ ସେଣ୍ଟର୍‌ରେ ଯାଞ୍ଚ କରିଥିଲେ। ଗୋଟିଏ ଟିମ୍‌ରେ ଜଣେ ଫାୟାର ଅଫିସରଙ୍କ ସମେତ ୫ଜଣ ଆଗ୍ନିକ ସାମିଲ ଥିଲେ। ଯାଞ୍ଚ ବେଳେ ଯେଉଁ ତଥ୍ୟ ସମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା। ଜରୁରିକାଳୀନ ପରିସ୍ଥିତିର ସମ୍ମୁଖୀନ ପାଇଁ କିଛି ଅନୁଷ୍ଠାନରେ ଆବଶ୍ୟକୀୟ ଭିତ୍ତିଭୂମି ନଥିବା ଜଣା ପଡ଼ିଥିଲା। ଅନୁଷ୍ଠାନଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅଗ୍ନି ନିର୍ବାପକ ଯନ୍ତ୍ର ନାହିଁ। ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ର ବ୍ୟବହାର କରାଯାଉଛି, ତାହା ଅତି ନିମ୍ନମାନର। ଜରୁରିକାଳୀନ ସିଡ଼ିଗୁଡ଼ିକ ଅଚଳ। କେତେକ ସ୍ଥାନରେ ଜରୁରିକାଳୀନ ଦ୍ବାର ନାହିଁ। ତାହାକୁ ବନ୍ଦକରି ଅନ୍ୟ କାମରେ ବ୍ୟବହାର କରାଯାଉଛି। ବଡ଼ ବଡ଼ ଅନୁଷ୍ଠାନରେ ପର୍ଯ୍ୟାପ୍ତ ପରିମାଣର ପାଣି କିମ୍ବା ବାଲି ରଖାଯାଇ ନାହିଁ। ଜରୁରିକାଳୀନ ଆଲାର୍ମ ନାହିଁ। ଘର, ସିଡି ଓ ଅଗଣାରେ ଦହନଶୀଳ, ପଦାର୍ଥ ଯଥା ଟାୟାର, କାର୍ଟୁନ୍‌, କାଠ, କାଗଜ, କପଡ଼ା ରଖାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ କୋଚିଂ ସେଣ୍ଟରଗୁଡ଼ିକ ଅଗ୍ନି ନିରାପତ୍ତା ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଯଦି ନିର୍ଦିଷ୍ଟ ସମୟ ମଧ୍ୟରେ ଅନୁଷ୍ଠାନ ତାହା ନ କରନ୍ତି। ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାବା ସହ ଦରକାର ପଡ଼ିଲେ କୋଚିଂ ସେଣ୍ଟର୍‌ରେ ତାଲା ଝୁଲିପାରେ ବୋଲି ବିଭାଗ ପକ୍ଷରୁ ସର୍ତକ କରାଇ‌ ଦିଆଯାଇଛି।

କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଦିଆଯାଉନି ତାଲିମ
ଜରୁରିକାଳୀନ ପରିସ୍ଥିତ ପାଇଁ ଯେଉଁ ସବୁ ଅଗ୍ନି ନିରାପତ୍ତା ଯନ୍ତ୍ର ରହିଛି ତାହାର ବ୍ୟବହାର ନା କର୍ମଚାରୀ ନା ଛାତ୍ରଛାତ୍ରୀ କାହାକୁ ଜଣାନାହିଁ। ଅଗ୍ନିକାଣ୍ଡ ସମୟରେ ଛାତ୍ରଛାତ୍ରୀ କିଭଳି ସେଠାରୁ ରକ୍ଷା ପାଇବେ? ନିଆଁ ଓ ଧୂଆଁ ଦାଉରୁ କିଭଳି ନିଜକୁ ରକ୍ଷା କରିପାରିବେ ସେ ସମ୍ବନ୍ଧରେ ସେମାନଙ୍କୁ ସଚେତନ କରାଇବା ସହ ତାଲିମ୍‌ ଦେବାର ନିୟମ ମଧ୍ୟ ରହିଛି। ଏହାଛଡ଼ା ମଝିରେ ମଝିରେ ମକ୍‌ ଡ୍ରିଲ୍‌ ଭଳି କାର୍ଯ୍ୟକ୍ରମ କରିବାକୁ ମଧ୍ୟ କୁହାଯାଇଛି। ହେଲେ ସେଭଳି କୌଣସି ତାଲିମ ଦିଆଯାଉ ନାହିଁ।

ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ
ସୁରଟ ଘଟଣା ପରେ ପରେ ଅଗ୍ନିଶମ ବିଭାଗ ଯେଉଁ ତତ୍ପରତା ଦେଖାଇଛି ତାହା କାହିଁକି ପୂର୍ବରୁ କରାଯାଇ ନଥିଲା? ବର୍ଷ ବର୍ଷ ଧରି କୋଚିଂ ସେଣ୍ଟରଗୁଡ଼ିକ ଏଭଳି ଅବସ୍ଥାରେ ଥିଲେ ସୁଦ୍ଧା ଅଗ୍ନିଶମ ବିଭାଗ ସେଠାକୁ ଯାଇ ଯାଞ୍ଚ କରିବାକୁ ଉଚିତ୍‌ ମଣି ନଥିଲା। କାହା ସ୍ବାର୍ଥରେ ଅଗ୍ନିଶମ ବିଭାଗ ଚୁପ୍‌ ରହିଥିଲା? ସୌଭାଗ୍ୟବଶତଃ ରାଜଧାନୀର କୋଚିଂ ସେଣ୍ଟରରେ ସେଭଳି ପରିସ୍ଥିତି ଉପୁଜି ନାହିଁ। ଯଦି ରାଜଧାନୀରେ ସୁରଟ ଭଳି ପରିସ୍ଥିତି ଉପୁଜି ଥାଆନ୍ତା ଏଥିପାଇଁ କିଏ ଦାୟୀ ହୋଇଥାଆନ୍ତେ? ଯାହାକି ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୁଲିସ କମିସନରଙ୍କୁ ଭେଟିଲା ଅଭିଭାବକ ମହାସଂଘ
ସୁରଟର କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ ଯୋଗୁଁ ୨୨ ଛାତ୍ରଛାତ୍ରୀ ମୃତ୍ୟୁ ଘଟଣାରେ ଅଭିଭାବକ ମହାସଂଘ ଉଦ୍‌ବେଗ ପ୍ରକାଶ କରିବା ସହ ରାଜଧାନୀର କୋଚିଂ ସେଣ୍ଟର ଗୁଡ଼ିକର ଏଭଳି ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଆଜି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ବରେ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ, ସତ୍ୟବ୍ରତ ପରିଜା, ଭୁମୋହନ ପଟ୍ଟନାୟକ, ଅଶୋକ ପାଇକ୍‌ରାୟଙ୍କ ଏକ ପ୍ରତିନିଧି ମଣ୍ଡଳୀ ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କୁ ଭେଟି ଏଭଳି ଉଦ୍‌ବେଗ ପ୍ରକାଶ କରିଛି। ରାଜଧାନୀରେ ଚାଲିଥିବା ବେଆଇନ୍‌ କୋଚିଂ ସେଣ୍ଟର ଉପରେ ସରକାରୀ କଟକଣା ଲାଗୁ କରିବା ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଇନ୍‌କୁ କଡ଼ାକଡ଼ି ଲାଗୁ କରିବାକୁ ମହାସଂଘ ଦାବି କରିଛି।

ସମ୍ବନ୍ଧିତ ଖବର