ଭୁବନେଶ୍ବର : ରାଜଧାନୀର ଗଳିକନ୍ଦିରେ ମାଳମାଳ ଷ୍ଟ୍ରିଟ୍ଫୁଡ୍ ଦୋକାନ। ରାତି ପାହିଲା ବେଳକୁ ନୂଆ ନୂଆ ଦୋକାନ ମେଲି ଯାଉଛି। ଆଳୁଦମ୍, ଦହିବରା, ଚାଟ୍, ଚାଓମିନ୍, ପକୋଡ଼ା, ଗୁପ୍ଚୁପ୍, ମୋମୋ ଭଳି ପାଟି ସୁଆଦିଆ ଖାଦ୍ୟ ପସରା ମେଲୁଛି। ସେମିତି ସହରର ବିଭିନ୍ନ ଗଳିକନ୍ଦିରେ ରହିଛି ଛୋଟବଡ଼ ହୋଟେଲ ଓ ରେସ୍ତୋରାଁ। ଠେଲା ଦୋକାନଠାରୁ ଆରମ୍ଭ କରି ଏସବୁ ରେସ୍ତୋରାଁରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ହୁଏ। ମାତ୍ର ପରିତାପର କଥା ଦୋକାନ ବା ରେସ୍ତୋରାଁରେ କି ପ୍ରକାର ବେସନ, ତେଲ, ମସଲା, ସସ୍ ଆଦି ବ୍ୟବହାର ହେଉଛି, ତାହା ପରଖିବାକୁ କେହି ନାହାନ୍ତି। ସେଠାରେ ସଦ୍ୟ ପ୍ରସ୍ତୁତ ତାଜା ଖାଦ୍ୟ ମିଳୁଛି କି ବାସି ଖାଦ୍ୟ ମିଳୁଛି, ତାହା ଯାଞ୍ଚ କରିବାକୁ କେହି ନାହିଁ। ପାଖାପାଖି ୪ବର୍ଷ ହେଲା ରାଜଧାନୀରେ ଖାଦ୍ୟ ସୁରକ୍ଷା ଅଧିକାରୀ (ଫୁଡ୍ ସେଫ୍ଟି ଅଫିସର୍) ପଦ ଖାଲି ପଡ଼ିଛି। ଖୋର୍ଦ୍ଧା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଭୁବନେଶ୍ବର ମହାନଗର ନିଗମରେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ତେଣୁ ସମଗ୍ର ଜିଲ୍ଲା ସମେତ ଏତେ ବଡ଼ ସହରରେ ଖାଦ୍ୟର ମାନ ଠିକଣା ଭାବେ ଯାଞ୍ଚ ହେଉନାହିଁ ବୋଲି ଅଭିଯୋଗ ହେଉଛି। ଏହି ମଉକାରେ ଭୁବନେଶ୍ବରରେ ଅସାଧୁ ବ୍ୟବସାୟୀମାନେ ଅପମିଶ୍ରିତ ଖାଦ୍ୟ ଦେଇ ଜନସାଧାରଣଙ୍କୁ ଠକୁଛନ୍ତି ବୋଲି ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ, ଖାଦ୍ୟ ସୁରକ୍ଷା ନିରାପତ୍ତା ଆଇନ-୨୦୦୬ ଅନୁଯାୟୀ, ପ୍ରତି ୧ଲକ୍ଷ ଜନସଂଖ୍ୟାରେ ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯିବା କଥା। ସେ ଦୃଷ୍ଟିରୁ ଦେଖିବାକୁ ଗଲେ, ପାଖାପାଖି ୧୦ ଲକ୍ଷ ଲୋକ ବସବାସ କରୁଥିବା ରାଜଧାନୀରେ ନିହାତି ୧୦ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା କଥା। କିନ୍ତୁ ପରିତାପର କଥା ଏବେ ଜଣେ ବି ହେଲେ ଅଧିକାରୀ ନାହାନ୍ତି। ଫଳରେ ଅସାଧୁ ବେପାରୀଙ୍କ ପାଇଁ ମଉକା ଜୁଟିଛି। ଅଧିକାଂଶ ହୋଟେଲ, ରେସ୍ତୋରାଁ, ରାସ୍ତାକଡ଼ ଭେଣ୍ଡିଂଜୋନ୍ରେ ନିମ୍ନମାନର ତଥା ବାସି ଖାଦ୍ୟ ବିକ୍ରି ହେଉଛି। ସେହିପରି ଅବସ୍ଥା ମିଠା ଦୋକାନଗୁଡ଼ିକରେ। କେଉଁ ମିଠା କେତେ ଦିନ ପର୍ଯ୍ୟନ୍ତ ରହିପାରିବ, ସେନେଇ ସୂଚନା ଦେବା ଉଦ୍ଦେଶ୍ୟରେ ମିଠା ଉପରେ ଲେବୁଲ୍ ମରାଯିବାର ନିୟମ ଅଛି। କିନ୍ତୁ ସହରର ପ୍ରାୟ ସବୁ ମିଠା ଦୋକାନୀ ଏହି ନିୟମକୁ ଫୁ’ କରି ଉଡ଼ାଇ ଦେଉଛନ୍ତି। କିଛି ମିଠାର ଅବଧି ମାତ୍ର ୨/୩ ଦିନ ହୋଇଥିବା ବେଳେ ଦୋକାନୀମାନେ ତାହାକୁ ମାସ ମାସ ଫ୍ରିଜର୍ରେ ରଖି ବେଧଡ଼କ ବିକ୍ରି କରୁଛନ୍ତି।
ବଡ଼ ଭୟଙ୍କର କଥା ହେଉଛି ନକଲି ଜିନିଷ ବ୍ୟବହାର। କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇବା ଆଶାରେ ବହୁ ଅସାଧୁ ବେପାରୀ ବଜାରରୁ ନିମ୍ନମାନର ସସ୍, ତେଲ, ଘିଅ ବ୍ୟବହାର କରୁଛନ୍ତି। ସେହିଭଳି ପାଉଁରୁଟି, କ୍ଷୀର, ଦହି ଭଳି ଅପମିଶ୍ରିତ ଅଣବ୍ରାଣ୍ଡ ତଥା ନକଲି ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି। ସେମାନଙ୍କର ଚାହିଦା ପୂରଣ କରିବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଓ ସହର ଉପକଣ୍ଠରେ ବେଆଇନ କାରଖାନା ଗଢ଼ି ଉଠୁଛି। କାଁ ଭାଁ କିଛି କାରଖାନାରେ ଚଢ଼ଉ ହେଉଥିବା ବେଳେ ଖାଦ୍ୟ ସୁରକ୍ଷା ଅଧିକାରୀ ନଥିବାରୁ ଆହୁରି ଅନେକ କାରଖାନା ଅନାୟାସରେ ବେପାର ଚଳାଇଛନ୍ତି। ଖାଲି ସେତିକି ନୁହେଁ, ରାଜଧାନୀରେ ବହୁ ଅଣବ୍ରାଣ୍ଡ ମୃଦ୍ୟୁପାନୀୟ, ନକଲି ସୋଡ଼ା, ପିଇବା ପାଣି ବୋତଲ ବିକ୍ରି ହେଉଛି। କିନ୍ତୁ ଏହି ସବୁ କେଉଁଠି ତିଆରି ତଥା ପ୍ୟାକେଜ୍ ହେଉଛି, କିଏ ତାହାକୁ ପରିଚାଳନା କରୁଛି, ତାହାର ଅବଧି କେତେଦିନ ଆଦିର ସୂଚନା ନାହିଁ। ବର୍ଷବର୍ଷ ଧରି ବେଶ୍ ଆରାମରେ ଏହି ବେପାର ଚାଲି ଆସୁଥିଲେ ହେଁ ଏଥିରେ ରୋକ୍ ଲଗାଇବାକୁ କେହି ନାହିଁ।
ଉଲ୍ଲେଖଯୋଗ୍ୟ, ୨୦୧୯ ସେପ୍ଟେମ୍ବରରେ ଲକ୍ଷ୍ମୀସାଗର ଅଞ୍ଚଳରୁ ନକଲି ଘିଅ ଓ ତେଲ କାରଖାନା ଠାବ ହୋଇଥିଲା। ସେହିଭଳି ୨୦୨୦ ଜାନୁଆରିରେ ସୁନ୍ଦରପଦା ଅଞ୍ଚଳରୁ ନକଲି ଘିଅ କାରଖାନା ଠାବ ହୋଇଥିଲା। ଜାନୁଆରି ୨୦୨୧ରେ ପାହାଳ ଫାଣ୍ଡି ଅର୍ନ୍ତଗତ ରୁଦ୍ରପୁରରୁ ଏକ ନକଲି ସସ୍ କାରଖାନା ଠାବ ହୋଇଥିଲା। ସେଠାରେ ପଚା କଖାରରୁ ସସ୍ ପ୍ରସ୍ତୁତ ହେଉଥିଲା। ସେହିପରି ୨୦୨୧ ଫେବ୍ରୁଆରିରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଭିତରେ ବେଆଇନ ଭାବରେ ଏଭଳି ନକଲି ଥଣ୍ଡା ପାନୀୟ ପ୍ରସ୍ତୁତ କରୁଥିବା କାରଖାନା ଠାବ ହୋଇଥିଲା। ୨୦୨୦ ଅକ୍ଟୋବରରେ ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅଧୀନ ଗ୍ରାମଡ଼ିହ ଗାଁରେ ନକଲି କାରଖାନା ଜବତ ହୋଇଥିଲା। ସେଠାରେ ବିଭିନ୍ନ ନାମୀ କମ୍ପାନି ନାଁରେ ପ୍ୟାକେଟ୍ ପାଣି ପ୍ରସ୍ତୁତ ହେଉଥିଲା।
ଏନେଇ ଖାଦ୍ୟ ସୁରକ୍ଷା ବିଭାଗର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଖାଦ୍ୟ ସୁରକ୍ଷା ଅଧିକାରୀ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୬ ମାସ ଭିତରେ ଏହି ପଦବି ଗୁଡ଼ିକ ପୂରଣ ହୋଇଯିବା ନେଇ ଆଶା କରାଯାଉଛି। ଏଗୁଡ଼ିକ ପୂରଣ ହୋଇଗଲେ ରାଜଧାନୀ ସମେତ ସାରା ରାଜ୍ୟରେ ମଧ୍ୟ ଖାଦ୍ୟ ସୁରକ୍ଷାକୁ ନେଇ କଡ଼ାକଡ଼ି ଯାଞ୍ଚ ହୋଇପାରିବ।