ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ଚତୁର୍ଥ କର୍ମୀ ନିଯୁକ୍ତିରେ ବ୍ୟାପକ ଜାଲିଆତି ଅଭିଯୋଗ ହୋଇଛି। ବିଭାଗ ପରିସରରେ ବଗିଚାର ଚିହ୍ନବର୍ଣ୍ଣ ନାହିଁ ମାତ୍ର ଏଥିପାଇଁ ୩ଜଣ ମାଳି ଗତ ୨ବର୍ଷ ହେବ ନିଯୁକ୍ତ ହୋଇଛନ୍ତି। ଗତ ୨ବର୍ଷ ହେବ ବିଭିନ୍ନ ବିଭାଗରେ ଆଖିବୁଜା ନିଯୁକ୍ତି ଦେଇ ସେମାନଙ୍କ ଅର୍ଥ ହରିଲୁଟ୍ କରାଯାଉଥିବା ଜଣାପଡ଼ିଛି। ବିଭାଗରେ ଯେତିକି ସଂଖ୍ୟକ ସିକ୍ୟୁରିଟି ଗାର୍ଡ ନିଯୁକ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ କାର୍ଯ୍ୟାଳୟରେ କେବେ ଦେଖିବାକୁ ମିଳୁ ନ ଥିବା ବିଭାଗୀୟ କର୍ମଚାରୀଙ୍କଠାରୁ ଜଣାପଡ଼ିଛି। ମହିଳା ଓ ଶିଶୁ ବିକାଶ ବିଭାଗରୁ ଅଲଗା ହୋଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୃଷ୍ଟି କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ପରିସରରେ ଏହାର କାର୍ଯ୍ୟାଳୟ ରହିଛି। ୨ଟି ଠିକା ସଂସ୍ଥା ଜରିଆରେ ବିଭାଗରେ ଝାଡ଼ୁଦାର, ସୁରକ୍ଷା କର୍ମଚାରୀ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଓ ପିଅନଙ୍କୁ ନିଯୁକ୍ତି ଦିଆଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ବିଭାଗରେ ୩ଜଣ ପ୍ରୋଗ୍ରାମ ଆସିଷ୍ଟାଣ୍ଟ, ୪ଜଣ ଝାଡ଼ୁଦାର, ୪ଜଣ ସୁରକ୍ଷା କର୍ମୀ, ୩ଜଣ ମାଳି ଓ ୫ଜଣ ପିଅନଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରୋଗ୍ରାମ ଆସିଷ୍ଟାଣ୍ଟଙ୍କ ଦରମା ମାସିକ ୯ହଜାର ୧୩୩ଟଙ୍କା ରହିଥିବା ବେଳେ ଝାଡ଼ୁଦାରଙ୍କ ୪ହଜାର ୭୫୦, ସୁରକ୍ଷା କର୍ମୀଙ୍କ ୫ହଜାର ୨ଶହ ଟଙ୍କା, ମାଳି ଓ ପିଅନଙ୍କୁ ୪ହଜାର ୭୫୦ଟଙ୍କା ଦିଆଯାଉଛି। ସମୁଦାୟ ୧୯ଜଣ କର୍ମଚାରୀ ୨ଟି ଠିକା ସଂସ୍ଥା ଦ୍ୱାରା ନିୟୋଜିତ ହୋଇଛନ୍ତି।
୨୦୧୬ ମସିହା ଏପ୍ରିଲ ଓ ଜୁଲାଇ ମାସରେ ୨ଜଣ ମାଳିଙ୍କୁ ନିଯୁକ୍ତି ଦିଆଯାଇଥିଲା। ୨୦୧୭ ମସିହା ଜୁଲାଇ ମାସରେ ମଧ୍ୟ ଆଉ ଜଣଙ୍କୁ ନିଯୁକ୍ତି ମିଳିଥିଲା ବିଭାଗରେ। ଆଉଟସୋର୍ସିଂ ସଂସ୍ଥା ଜରିଆରେ ୩ଜଣ ମାଳିଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି। ମାଳିଙ୍କୁ ମାସିକ ୪ହଜାର ୭୫୦ଟଙ୍କା ଦରମା ଦିଆଯାଉଥିବା ବେଳେ ସେମାନଙ୍କୁ ବିଭାଗରେ କେହି ଦେଖି ନାହାନ୍ତି। ବିଭାଗରେ ମଧ୍ୟ କୌଣସି ବଗିଚା ନାହିଁ। ଏଭଳି କ୍ଷେତ୍ରରେ ୩ଜଣ ମାଳିଙ୍କୁ କିଏ ଓ କାହା ନିର୍ଦେଶରେ ନିଯୁକ୍ତି ଦିଆଯାଇଛି ତାହାକୁ ନେଇ ଆଲୋଚନା ହେଉଛି।
ସେହିପରି ସୁରକ୍ଷା କର୍ମୀଙ୍କୁ ନେଇ ମଧ୍ୟ ସମାନ ଅଭିଯୋଗ ରହିଛି। ବିଭାଗରେ ୪ଜଣ ସୁରକ୍ଷା କର୍ମୀ ନିଯୁକ୍ତ ହୋଇଥିବା ବେଳେ କାର୍ଯ୍ୟାଳୟରେ ମାତ୍ର ଜଣେ ସୁରକ୍ଷା କର୍ମୀଙ୍କୁ କର୍ମଚାରୀ ଦେଖିଥିବା କହିଛନ୍ତି। ଏତେ ସଂଖ୍ୟକ ସୁରକ୍ଷା କର୍ମୀ ବିଭାଗର କାର୍ଯ୍ୟାଳୟ ଛଡ଼ା କେଉଁଠି କାର୍ଯ୍ୟ କରୁଛନ୍ତି ଯାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଗତ ୨ବର୍ଷ ଧରି ବିଭାଗରେ ଏଭଳି ଜାଲି ନିଯୁକ୍ତି ଦେଇ ଲକ୍ଷାଧିକ ଟଙ୍କା ଅଧିକାରୀ ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଏଫ୍ଏ ତଥା ଅତିରିକ୍ତ ସଚିବ ଅଜୟ କୁମାର ସ୍ୱାଇଁଙ୍କୁ ଏ ସଂପର୍କରେ ପଚରା ଯାଇଥିଲେ ହେଁ ସେ ଏଥିରେ ବିରକ୍ତି ପ୍ରକାଶ କରିଥିଲେ। ଏଭଳି ନିଯୁକ୍ତି ସଂପର୍କରେ ତାଙ୍କ ନିକଟରେ କୌଣସି ତଥ୍ୟ ନ ଥିବା କହିବା ସହିତ ଛୁଟି ଦିନରେ ଅଯଥା ବିରକ୍ତ ନ କରି ବରଂ ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ଦିଆଯାଇଛି ତାହାକୁ ଲେଖିବାକୁ ଶ୍ରୀ ସ୍ୱାଇଁ କହିଛନ୍ତି।