ୟୁନିଟ୍‌-୪ ମାଛ ମାର୍କେଟ୍‌ରେ ଗୋଷ୍ଠୀ ସଂକ୍ରମଣ ହୋଇନି: ବ୍ୟବସାୟୀ ସଂଘ

ଭୁବନେଶ୍ୱର : ରାଜଧାନୀର ସବୁଠୁ ବଡ଼ ମାଛ ବଜାର ୟୁନିଟ-୪ରେ ଗୋଷ୍ଠୀ ସଂକ୍ରମଣ ହୋଇନି। ତେଣୁ ଲୋକମାନେ ପୂର୍ବପରି ଏଠାକୁ ଆମିଷ ସାମଗ୍ରୀ କିଣିବାକୁ ଆସନ୍ତୁ ବୋଲି ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସମ୍ପାଦକ ଜମ୍ବେଶ୍ବର ମଲ୍ଲିକ କହିଛନ୍ତି ଯେ ଆମେ କୋଭିଡ୍‌-୧୯ ନିୟମକୁ ମାନି ବ୍ୟବସାୟ କରୁଥିଲୁ, ଏବେ ବି କରୁଛୁ। ଯେତେବେଳେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ସେତେବେଳେ ବିଏମ୍‌ସି ପକ୍ଷରୁ ଏଠାରେ ଶିବିର କରି ସମସ୍ତଙ୍କର ନମୁନା ସଂଗ୍ରହ ହୋଇଛି। ବହୁତ କମ୍‌ ଲୋକଙ୍କର ପଜିଟିଭ୍ ବାହାରିଛି। ଏଠାରେ ହୋଇଥିବା ସେରୋ ସର୍ଭେରୁ ଜଣାପଡ଼ିଛି ଯେ ଗୋଷ୍ଠୀ ସଂକ୍ରମଣ ହୋଇନି। ସେହିପରି ଯିଏ ମାସ୍କ ପିନ୍ଧି ନ ଆସିବେ ତାଙ୍କୁ ମାଛ, ମାଂସ ଦିଆଯିବନି ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେଣୁ ଖୁଚୁରା ମାଛ ବ୍ୟବସାୟୀ ଓ ସାଧାରଣ ଲୋକ ନିର୍ଭୟରେ ଏଠାକୁ ଆସିପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଏସ୍‌.କେ ତସଵିର୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର