ସିସିଟିଭି ଫୁଟେଜ୍‌ ଦେବାକୁ ହେବ ନୋଟିସ୍‌

ନୋ ହେଲମେଟ୍‌, ନୋ ପେଟ୍ରୋଲ

ଭୁବନେଶ୍ୱର: ନିୟମ ଲାଗୁ ହେବାର ଦେଢ଼ ବର୍ଷ ପରେ ବି ନୋ ହେଲମେଟ୍‌, ନୋ ପେଟ୍ରୋଲ ନିୟମ କାମରେ ଆସୁ ନାହିଁ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଖପ୍ପା ହୋଇଛନ୍ତି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ। କହିଛନ୍ତି ପେଟ୍ରୋଲ ପମ୍ପରେ ବିନା ହେଲମେଟ୍‌ରେ ପେଟ୍ରୋଲ ପକାଉଥିବା ଗ୍ରାହକମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜଧାନୀରେ ଥିବା ସମସ୍ତ ପେଟ୍ରୋଲ ପମ୍ପକୁ ନୋଟିସ୍‌ ହେବ। ଖୁବ୍‌ଶୀଘ୍ର ସେମାନେ ସିସିଟିଭି ଫୁଟେଜ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ନିକଟରେ ଜମା କରିବେ। ସିସିଟିଭି ଫୁଟେଜକୁ ଆଧାର କରି ବାଇକ୍‌ ନମ୍ବର ସଂଗ୍ରହ କରି ଗ୍ରାହକମାନଙ୍କୁ ନୋଟିସ୍‌ କରାଯିବ। ନୋଟିସ୍‌ ପାଇବା ପରେ ଗ୍ରାହକମାନେ ଟ୍ରାଫିକ୍‌ ଥାନାରେ ପହଞ୍ଚିି ଜରିମାନା ଦେବେ। ଏହା ଛଡ଼ା ଯେଉଁମାନେ ପେଟ୍ରୋଲ ପମ୍ପରେ ଆସି ଗଣ୍ଡଗୋଳ କରୁଛନ୍ତି, ଏ ନେଇ ଥାନାରେ ଅଭିଯୋଗ କରାଗଲେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପାଖାପାଖି ଦେଢ଼ ବର୍ଷ ତଳେ ଟ୍ରାଫିକ ନିୟମକୁ କଡ଼ାକଡ଼ି ଓ ଲୋକଙ୍କ ମଧ୍ୟ ସଚେତନତା ସୃଷ୍ଟି କରିବା ଲାଗି ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଖୋର୍ଧା ଜିଲ୍ଲା ଓ ରାଜଧାନୀରେ ଥିବା ସମସ୍ତ ପେଟ୍ରୋଲ ପମ୍ପରେ ନୋ ହେଲମେଟ ନୋ ପେଟ୍ରୋଲ ନିୟମ ଲାଗୁ କରାଯାଇଥିଲା। ବାଇକ ଚାଳକ ହେଲମେଟ ପିନ୍ଧି ନ ଥିଲେ ପେଟ୍ରୋଲ ପମ୍ପରୁ ତେଲ ଭରି ପାରିବେ ନାହିଁ। ନିୟମ ଲାଗୁ ହେବାର କିଛି ଦିନ ବାଇକ ଚାଳକମାନେ ଭୟରେ ପେଟ୍ରୋଲ ପମ୍ପ ଯିବା ପୂର୍ବରୁ ହେଲମେଟ ଖୋଜିଥିଲେ। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା। ତେବେ ନିୟମ ଲାଗୁ ହେବାର ଠିକ୍‌ ୪ ମାସ ପରେ ନିୟମ ଏକ ପ୍ରକାର ଅକାମୀ ହୋଇ ଗଲା। ଏହି ନିର୍ଦେଶନାମା କେବଳ ପେଟ୍ରୋଲ ପମ୍ପରେ ଲାଗିଥିବା ବ୍ୟାନର୍‌ରେ ରହି ଯାଇଛି। ନିୟମ କାର୍ଯ୍ୟକାରୀ ହେଉଛି କିମ୍ବା ନାହିଁ ତାକୁ ନା ପରିବହନ ବିଭାଗ ନା କମିିସନରେଟ୍‌ ପୁଲିସ ତଦାରଖ କରୁଛି।

ଏ ସମ୍ପର୍କରେ ଜଣେ ପଟ୍ରୋଲ ପମ୍ପ ମାଲିକ କହିଛନ୍ତି ପ୍ରଥମେ ନିୟମକୁ ସମସ୍ତେ ମାନିଲେ। କିନ୍ତୁ ୪/୫ ମାସ ପରେ ବିନା ହେଲେମେଟରେ ଅନେକ ଯୁବକ ଜବରଦସ୍ତ ତେଲ ପକାଇବାକୁ କହିଲେ। ସେମାନଙ୍କୁ ମନା କରିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହିତ ପାଟିତୁଣ୍ଡ ଓ ଗଣ୍ଡଗୋଳ କଲେ। ଏ ନେଇ ଥାନାକୁ ଅଭିଯୋଗ କରିବାକୁ ଗଲେ ପୁଲିସ ମଧ୍ୟ ଆମକୁ ସହଯୋଗ କଲା ନାହିଁ। ଗ୍ରାହକମାନଙ୍କ ସହିତ ଏଭଳି ପାଟିତୁଣ୍ଡ କରିବା ଫଳରେ ଆମର ବ୍ୟବସାୟରେ ମଧ୍ୟ ବ୍ୟାଘାତ ହେଲା। ତେଣୁ ବାଧ୍ୟ ହୋଇ ଆମ୍ଭେମାନେ ନିୟମକୁ ଉଲଂଘନ କରୁଛୁ। ରାଜଧାନୀରେ ଏବେ ୨୮ଟି ପେଟ୍ରୋଲ ପମ୍ପ ରହିଛି। ଯେଉଁଠାରେ ପ୍ରତ୍ୟେକ ଦିନ ବିନା ହେଲମେଟ୍‌ରେ ଶହଶହ ବାଇକ୍‌ ଆରୋହୀ ପେଟ୍ରୋଲ ଭରୁଛନ୍ତି।

ସମ୍ବନ୍ଧିତ ଖବର