ଡବଲ ହେଲମେଟ୍‌ ନିୟମ ଲାଗୁ କେବେ?, ପ୍ରହସନ ପାଲଟିଛି ନୋ ହେଲମେଟ୍‌ ନୋ ପଟ୍ରୋଲ

ଭୁବନେଶ୍ବର : ୨୦୧୭ ଜାନୁଆରି ୯ ତାରିଖ। ରାଜ୍ୟ ସରକାର ନିଷ୍ପତ୍ତି ନଲେ, ବିନା ହେଲମେଟ୍‌ରେ ପ‌େଟ୍ରୋଲ ପମ୍ପରେ ପଟ୍ରୋଲ ମିଳିବ ନାହିଁ। ପ୍ରାଥମିକ ଭାବେ ଖୋର୍ଧା ଜିଲ୍ଲାରେ ଏଭଳି ନିୟମ ପାଳନ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଥିଲା। ପଟ୍ରୋଲ ପମ୍ପଗୁଡ଼ିକରେ ବ୍ୟାନର୍‌ ଓ ପୋଷ୍ଟର୍‌ ମଧ୍ୟ ଲାଗିଥିଲା। ପେଟ୍ରୋଲ ପମ୍ପ କର୍ମଚାରୀ ଓ କମିସନେରଟ ପୁଲିସକୁ ମଧ୍ୟ କଡ଼ା ନିର୍ଦେଶ ଥିଲା, ବିନା ହେଲମେଟ୍‌ରେ ଆସିଲେ ପଟ୍ରୋଲ ନ ଦେବାକୁ। କିଛି ଦିନ ପାଇଁ ଏହି ନିୟମ କେଉଁଠି କେଉଁଠି ପାଳନ ହେଲା, ତା’ ପରେ ଯଥା ପୂର୍ବଂ ତଥା ପରଂ। ଏବେ ଏହି ନିୟମ ପ୍ରହସନରେ ପରିଣତ ହୋଇଛି। କେଉଁଠି ବି ଏହି ନିୟମ ଆଉ ପାଳନ ହେଉନାହିଁ। ବିନା ହେଲମେଟ୍‌ରେ ଗଲେ ବି ବାଇକ୍‌‌ରେ ତେଲ ଭରୁଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ। ଇଏ ଗଲା ଗୋଟିଏ ନିୟମ ବାଇକ୍‌ ଚାଳକଙ୍କୁ ହେଲମେଟ୍‌ ପିନ୍ଧାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ।

ଠିକ ଏହାର ୮ ମାସ ପରେ ଅର୍ଥାତ ୨୪ ଅଗଷ୍ଟ ୨୦୧୭ରେ ରାଜ୍ୟ ସରକାର ବାଇକ ଚାଳକମାନଙ୍କ ପାଇଁ ଆଉ ଏକ ନିୟମ କଲେ। ଦିଲ୍ଲୀ, ମୁମ୍ବାଇ ଭଳି ମଟ୍ରୋର ସହର ଢାଞ୍ଚାରେ ଡବଲ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କଲେ। ଅର୍ଥାତ ବାଇକ ପଛ ପଟେ ଯିଏ ବସିବ ସିଏ ମଧ୍ୟ ହେଲମେଟ୍‌ ପିନ୍ଧିବ। ଏହା ମଧ୍ୟରେ ଦୁଇ ବର୍ଷ ବିତିଗଲାଣି ଏଭଳି ଏକ ନିୟମ ଲାଗୁ ହେବାରେ। କମିସନରେଟ ପୁଲିସ ପକ୍ଷରୁ ନିୟମ ତୁରନ୍ତ ଲାଗୁ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ। କିନ୍ତୁ ଭୁବନେଶ୍ବରରେ ଜଣେ କେହି ବାଇକ ପଛପଟେ ବସୁଥିବା ବ୍ୟକ୍ତିବିଶେଷ ହେଲମେଟ୍‌ ପିନ୍ଧୁଥିବା ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ।

ମଙ୍ଗଳବାରଠାରୁ ରାଜ୍ୟ ସରକାର ଆଉ ଏକ ନୂଆ ନିୟମ ପାଳନ କରିଛନ୍ତି। ଭୁବନେଶ୍ବର ଦେଇ ଯାଇଥିବା ଜାତୀୟ ରାଜପଥର ଓଭରବ୍ରିଜ ଉପରେ ବାଇକ ଚାଳକମାନେ ବିନା ହେଲମେଟରେ ଯାଇପାରିବେ ନାହିଁ। ଏଥିପାଇଁ ଆଜି ପରିବହନ ବିଭାଗ ଓ କମିସନରେଟ ପୁଲିସ ପକ୍ଷରୁ ବରମୁଣ୍ଡାରେ ଯାଞ୍ଚ ଆରମ୍ଭ କରାଯାଇଥିଲା। ଗୋଟିଏ ଦିନରେ ୩୦ଜଣ ବାଇକ ଚାଳକ ବିନା ହେଲମେଟ୍‌ରେ ଧରା ପଡ଼ିଥିଲେ। ସେମାନଙ୍କ ନିକଟରୁ ୧୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ରାଜଧାନୀରେ ବଢ଼ି ଚାଲିଥିବା ଦୁର୍ଘଟଣା ଓ ନଷ୍ଟ ହେଉଥିବା ଧନ ଜୀବନକୁ ସୁରକ୍ଷା ଦେବାକୁ ମାନ୍ୟବର ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବା ପରେ ରାଜ୍ୟ ସରକାର ଏଭଳି ଗୋଟିଏ ଗୋଟିଏ ପରେ ନିୟମ ପାଳନ କରି ଚାଲିଛନ୍ତି। କିନ୍ତୁ ଶତପ୍ରତିଶତ ଭାବେ ବାଇକ ଚାଳକଙ୍କ ମୁଣ୍ଡରେ ହେଲମେଟ୍‌ ପିନ୍ଧାଇ ପାରିନାହାନ୍ତି ଉଭୟ କମିସନରେଟ୍‌ ପୁଲିସ ଓ ପରିବହନ ବିଭାଗ। ଜଣକ ପରେ ଜଣେ ଜିଲ୍ଲାପାଳ, ପୁଲିସ କମିସନର୍‌ ଓ ଆର୍‌ଟିଓ ବଦଳି ଚାଲିଛନ୍ତି। ମୁଖିଆ ବଦଳି ଗଲେ ନିୟମ ମଧ୍ୟ ବଦଳି ଯାଉଛି। ପୁଣି ନୂଆ ନିୟମ ଲାଗୁ ହେଉଛି। କମିସନରେଟ ପୁଲିସ ପ୍ରତିଷ୍ଠା ହେବାକୁ ୧୨ବର୍ଷ ହୋଇ ଗଲାଣି। କିନ୍ତୁ ବାଇକ୍‌ ଚାଳକମାନେ ଏଯାଏ ସଚେତନ ହେଲେ ନାହିଁ। କିନ୍ତୁ ଏପଟେ ଦିନକୁ ଦିନ ରାଜଧାନୀରେ ଜରିମାନା ପରିମାଣ ବଢ଼ି ବଢ଼ି ଚାଲିଛି। ଗତ ୧୦ ବର୍ଷ ମଧ୍ୟରେ କମିସନରେଟ ପୁଲିସ କେବଳ ବାଇକ ଚାଳକମାନଙ୍କଠାରୁ ପାଖାପାଖି ୨୦ କୋଟି ଟଙ୍କା ଜରିମାନା ଆଦାୟ କରି ସାରିଲାଣି। ରାଜଧାନୀରେ କେବଳ ବାଇକ ଚାଳକମାନେ ଶତ ପ୍ରତିଶତ ଭାବେ ହେଲମେଟ ପିନ୍ଧିବେ ତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି।

ତେବେ ଏ ସମ୍ପର୍କରେ ଆରଟିଓ-୨ ସଂଜୟ କୁମାର ବେହେରା କୁହନ୍ତି, ରାଜଧାନୀରେ ଘଟୁଥିବା ଅଧିକାଂଶ ଦୁର୍ଘଟଣା ଖଣ୍ଡଗିରିଠାରୁ ଆରମ୍ଭ କରି ପାହାଳ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥର ଓଭରବ୍ରିଜ ଉପରେ ଘଟୁଛି। ସମସ୍ତ ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ତେଣୁ ଆଜିଠାରୁ ଏଭଳି ଏକ ନିୟମ ଲାଗୁ କରାଯାଇଛି।

ଅନ୍ୟପକ୍ଷରେ କେବଳ ଓଭରବ୍ରିଜ ଉପର କାହିଁକି ରାଜଧାନୀର ଯେ କୌଣସି ସ୍ଥାନରେ କେହି ବି ବିନା ହେଲମଟେରେ ବାଇକ ଚଳାଇଲେ ଜରିମାନା ଆଦାୟ କରାଯାଉଛି। ତେବେ ଡବଲ ହେଲମେଟ୍‌ ନିୟମ ଲାଗୁ କରିବା ସମ୍ପର୍କରେ ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି, ଏନେଇ ପ୍ରଥମେ ସଚେତନତା କରାଯିବା ପରେ ନିୟମ ଲାଗୁ କରାଯିବ। ତେବେ ହେଲମେଟ ବ୍ୟତୀତ ଯେକୌଣସି ପ୍ରକାରର ଟ୍ରାଫିକ ନିୟମର ଅବଜ୍ଞା କଲେ, ବାଇକ୍‌ ଚାଳକମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି ବୋଲି କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର