ଭୁବନେଶ୍ୱରରେ ବିନା ହେଲ୍‌ମେଟ୍‌ରେ ମିଳୁଛି ପେଟ୍ରୋଲ

ଭୁବନେଶ୍ୱର : କିଛି କ୍ଷେତ୍ରରେ ବି‌ରୋଧ ମଧ୍ୟରେ ବି ସଂଶୋଧିତ ମୋଟର ଯାନ ଆଇନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି। ଗତକାଲି ପେଟ୍ରୋଲ ଟାଙ୍କି ମାଲିକ ସଂଘ ମଧ୍ୟ ଏହାକୁ ସମର୍ଥନ କରି ବିନା ହେଲ୍‌ମେଟ୍‌ରେ ପେଟ୍ରୋଲ ନ ଦେବା ପାଇଁ କଡ଼ାକଡ଼ି କରିଥିବା ଘୋଷଣା କରିଥିଲା। ହେଲେ ଆଜି ବିଭିନ୍ନ ଟାଙ୍କିରେ ବିନା ହେଲ୍‌ମେଟ୍‌ରେ ପେଟ୍ରୋଲ ଦିଆଯାଉଥିବା ଦେଖାଯାଇଛି।

ସାଢ଼େ ୬ ଲକ୍ଷ ଜରିମାନା
ଆଜି ଦ୍ବିତୀୟ ଦିନରେ ଆର୍‌ଟିଓ ଓ ପୁଲିସ ଅଧିକାରୀମାନେ ରାଜଧାନୀର ବିଭିନ୍ନ ଛକ‌ରେ ଡେରା ପକାଇ ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିଛନ୍ତି। ଭୁବନେଶ୍ବରରେ ଥିବା ଦୁଇଟି ଆରଟିଓ ୫ଲକ୍ଷରୁ ଊର୍ଧ୍ବ ଜରିମାନା କରିଥିବା ବେଳେ କମିସନରେଟ୍‌ ପୁଲିସ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ଆର୍‌ଟିଓ-୧ ପକ୍ଷରୁ ୭୩ଜଣ ଉଲ୍ଲଘଂକାରୀଙ୍କଠାରୁ ‌‌ମୋଟ୍‌ ୩ଲକ୍ଷ ୪୯ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ସେଥିମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ ନଥିବା ୫, ଦ୍ରୁତ ଗତିରେ ଗାଡ଼ି ଚଲାଇ ୧୧, ରଙ୍ଗ ରୁଟ୍‌ରେ ଗାଡ଼ି ଚଲାଇ ୩୫, ପ୍ରଦୂଷଣ ସାର୍ଟିଫିକେଟ୍‌ ନଥିବା ୩, ବିନା ପରମିଟ୍‌ରେ ୩, ବିନା ଫିଟ୍‌ନେସ୍‌ରେ ୪, ବାଇକ୍‌ରେ ୩ଜଣ ବସାଇ ୨ ଓ ମଦ ପିଇ ଗାଡ଼ି ଚଳାଇ ଜଣେ ଧରାପଡ଼ିଥିବା ଜଣାଯାଇଛି। ସେହିପରି ଆରଟିଓ-୨ ୪୫ ଚାଲାଣ କାଟିଥିବା‌ ବେଳେ ୨ ଲକ୍ଷ ୧ ହଜାର ୫ ଶହ ଟଙ୍କା ଆଦାୟ କରିଛି। ତେବେ କମିସନ‌ରେଟ୍‌ ପୁଲିସ ପକ୍ଷରୁ ସଂପୂର୍ଣ୍ଣ ତଥ୍ୟ ମିଳିନଥିବାରୁ ମୋଟ୍‌ ଜରିମାନା ରାଶି ଅଧିକ ହୋଇପାରେ।

ହିଟଲର ଶାସନ ଚାଲିଛି କି!: ସଂଶୋଧିତ ମୋଟର ଯାନ ଆଇନ ବଳରେ ପୁଲିସ ଗାଡ଼ି ଯାଞ୍ଚ କରିବା ସହ ଆଇନ ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁଛି। ଯଦି କିଏ କେଉଁ ଜରୁରୀ କାମରେ ବାହାରିଛି ଓ ପରିସ୍ଥିତିରେ ପଡ଼ି ରଙ୍ଗ୍‌ରୁଟ୍‌ରେ ଟିକେ ପଳେଇଲା ଏବଂ ସବୁ କାଗଜପତ୍ର ଥିଲେ ବି ଅଧିକାରୀମାନେ ତା ଉପରେ ଫାଇନ୍‌ ଲଦି ଦେଉଛନ୍ତି। ଗାଡ଼ି ବି ଜବତ କରି ନେଉଛନ୍ତି। ଇଏ କଣ ହିଟଲର ଶାସନ ଚାଲିଛି? ଏ ସିଷ୍ଟମ ବନ୍ଦ କର। ନ ହେଲେ ରାଜ୍ୟବ୍ୟାପୀ ଆରଟିଓ ଅଫିସ ଓ କମିସନରେଟ ଅଫିସ ଘେରାଓ କରାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ବେକାରୀ ବଢ଼ିଛି, ନିଯୁକ୍ତି ନାହିଁ। ଆରଟିଓ ଅଫିସରେ କର୍ମଚାରୀ ନାହାନ୍ତି, ‌ଲୋକ ଧାଡ଼ିବାନ୍ଧି ବସିଛନ୍ତି କିନ୍ତୁ କାଗଜପତ୍ର ଟାଇମ୍‌ରେ ମିଳୁନି। ପାର୍କିଂ ଜାଗା ନାହିଁ, ରାସ୍ତା କଡ଼ରେ କିଏ ଗାଡ଼ି ରଖି ଦେଲେ ତାକୁ ଟେକି ନେଇଯାଉଛ। ଏ କି ପ୍ରକାର ନୀତି। ଭୁଲ ଥିଲେ ବୁଝାଇ ଶୁଝାଇ କାମ କରନ୍ତୁ ବୋଲି କହିଛନ୍ତି ଶ୍ରୀ ରାଉତରାୟ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କମିସନରେଟ୍‌ ପୁଲିସ ଉପରେ ବର୍ଷିଥିଲେ ବି ଲୋକଙ୍କୁ ନିୟମ ମାନିବା ପାଇଁ ଆହ୍ବାନ ଦେଇଛନ୍ତି।

ଚଳିବନି ଗୁଣ୍ଡାଗିରି: ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ଆଳରେ ଗୁଣ୍ଡାଗିରି କରୁଛି କମିସନରେଟ୍‌ ପୁଲିସ। ଆବଶ୍ୟକ ମୁତାବକ ପାର୍କିଂ ସ୍ଥଳ ବ୍ୟବସ୍ଥା ନ କରି ରାସ୍ତାଘାଟରୁ କ୍ରେନ୍‌ ଲଗାଇ ଗାଡ଼ି ଉଠାଇନେବା ବରଦାସ୍ତ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଛନ୍ତି କଳିଙ୍ଗ ସେନା ସାଧାରଣ ସମ୍ପାଦକ ସ୍ବାତୀଶ ରଞ୍ଜନ ସାହୁ। ଆଜି ଏ ନେଇ ସେ ପୁଲିସ କମିସନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଥମେ ଗାଡ଼ି କେଉଁଠି ରହିବ, ତାହା ଚିହ୍ନଟ କରିବା ପରେ କଟକଣା କରାଯାଉ ବୋଲି ସେ ଦାବି କରିଛନ୍ତି। ଗାଡ଼ି ଓ ରାସ୍ତାରେ ଚାଲିବା ପାଇଁ ଗାଡ଼ି ମାଲିକ ଟିକସ ଦେଉଥିବା ବେଳେ ବିକଳ୍ପ ବ୍ୟବସ୍ଥା ନ କରି କମିସନରେଟ୍‌ ପୁଲିସର ଏହି ଜରିମାନା ଆଦାୟ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ଉଲ୍ଲଂଘନକାରୀଙ୍କ ଭିଡିଓ ଭାଇରାଲ: ମୋଟର ଯାନ ଆଇନ ଉଲ୍ଲଂଘନ କରି ଧରାପଡ଼ିଥିବା ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଛି। ଧରା ପଡ଼ି ଫାଇନ୍‌ ଦେଉଥିବା ବେ‌ଳେ ଗଣମାଧ୍ୟମ ପ୍ରତିନିଧି ପ୍ରତିକ୍ରିୟା ନେବାକୁ ଘେରିବାରୁ ‘ମୁଁ ଧରାପଡ଼ିଲି ଫାଇନ୍‌ ଦେବି, ତୁମର କ’ଣ ଯାଉଛି’ ବୋଲି ଯୁବତୀଜଣକ ଗଣମାଧ୍ୟମ ପ୍ରତିନିଧିଙ୍କୁ ପାଲଟା ପ୍ରଶ୍ନ କରୁ୍‌ଥିବା ଦେଖାଯାଇଥିଲା। ଏହି ପୋଷ୍ଟରେ ଶତ ପ୍ରତିଶତ କମେଣ୍ଟ ଯୁବତୀଙ୍କ ସପକ୍ଷରେ ଆସିଛି। ଜବରଦସ୍ତି କାହାଠାରୁ ପ୍ରତିକ୍ରିୟା ନେବା ଠିକ୍‌ ନୁହେଁ ବୋଲି ଅନେକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର