ନିରାଶ୍ରିତଙ୍କୁ ଛାତ, ଆରମ୍ଭ ହେଲା ‘ନୋ ହୋମ୍‌ଲେସ୍‌ ଅଭିଯାନ’

ଭୁବନେଶ୍ବର: କେହି ବାସହୀନ ରହିବେନି। ଶୀତ କାକରରେ ପ୍ଲାଟ୍‌ଫର୍ମ ଚଟାଣରେ ଥରିଥରି ଶୋଇବେନି। ମୁଣ୍ଡ ଉପରେ ଛାତ, ପେଟକୁ ଭାତ। ସବୁକିଛି ଯୋଗାଇ ଦିଆଯିବ। ଏପରି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଆରମ୍ଭ ହୋଇଛି ‘ନୋ ହୋମ୍‌ଲେସ୍‌’ ଅଭିଯାନ। ବିଏମ୍‌ସି ସହଯୋଗରେ ଓଡ଼ିଶା ପତିତା ଉଦ୍ଧାର ସମିତି ପକ୍ଷରୁ ରେଳ ପ୍ଲାଟ୍‌ଫର୍ମରୁ ନିରାଶ୍ରିତଙ୍କୁ ଉଦ୍ଧାର କରି ବାସହୀନଙ୍କ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି। ଜିଆର୍‌ପିର ମିଳିତ ପ୍ରଚେଷ୍ଟାରେ ପ୍ରଥମ ରାତିରେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ବେଳେ ସେମାନେ ଆସିବାକୁ ରାଜି ହେଉ ନଥିଲେ ହେଁ ଆଶ୍ରୟସ୍ଥଳୀର ପରିବେଶ ଦେଖି ରହିବାକୁ ରାଜି ହୋଇଛନ୍ତି। ତେବେ କେବଳ ତାଙ୍କୁ ରହିବାକୁ କି ଖାଇବାକୁ ଦିଆଯିବନି, ବରଂ କାଉନ୍‌ସେଲିଂ କରି ପରିଚୟପତ୍ର ଦିଆଯିବା ସହ କର୍ମସଂସ୍ଥାନ ଯୋଗାଇ ଦେବାକୁ ପ୍ରୟାସ କରାଯିବ।

ପ୍ଲାଟ୍‌ଫର୍ମ ବହୁ ଲୋକଙ୍କ ଆଶ୍ରୟ ସ୍ଥଳୀ ପାଲଟିଥିବା ବେଳେ ସୁରକ୍ଷିତ ରହିବା ପାଇଁ ଆଶ୍ରୟସ୍ଥଳୀର ଏହି ପଦକ୍ଷେପକୁ ରେଲ୍‌ୱେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ସମର୍ଥନ କରିବା ସହ ଏହି ଅଭିଯାନ ପାଇଁ ସହମତି ପ୍ରକାଶ କରିଥିଲେ। ପୁଲିସ୍‌ ସହାୟତାରେ ନିରାଶ୍ରିତମାନଙ୍କୁ ଠାବ କରାଯିବା ପରେ ସେମାନଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇଥିଲା। ଜିଆର୍‌ପି ଆଇଆଇସି ଭରତ ଚନ୍ଦ୍ର ସାହୁ ଏହି ଅଭିଯାନରେ ସାମିଲ୍ ହେବା ସହ ସହଯୋଗ କରିଥିଲେ। ଉଦ୍ଧାର ହୋଇଥିବା ନିରାଶ୍ରିତ ବ୍ୟକ୍ତିବିଶେଷଙ୍କର ପରିବାର ଥିଲେ ହେଁ ଏଠାରେ ସ୍ବଳ୍ପ ରୋଜଗାର ଯୋଗୁଁ ଘରଭଡ଼ା ନ‌େନଇ ପ୍ଲାଟ୍‌ଫର୍ମରେ ଆଶ୍ରୟ ନେଇଥିବା କହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭିକ୍ଷାବୃତ୍ତି କରୁଥିବା ବେଳେ କିଛି ବ୍ୟକ୍ତିଙ୍କର ଘର ଥିଲେ ମଧ୍ୟ ପିଲାମାନଙ୍କର ନିର୍ଯାତନା ସହିନପାରି ପ୍ଲାଟ୍‌ଫର୍ମରେ ରହୁଥିବା କହିଛନ୍ତି। ପ୍ରତି ସପ୍ତାହରେ ଏହି ଅଭିଯାନ କରାଯିବ ସହ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ସମିତିର ସମ୍ପାଦିକା ଅଭାରାଣୀ ଚୌଧୁରୀ କହିଛନ୍ତି। ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିବା ସୁମତି ବେହେରା କହିଛନ୍ତି, ବାତ୍ୟା ବେଳେ ସ୍ବାମୀ ଆରପାରିକୁ ଚାଲିଗଲେ। ‌୩ ଛୁଆଙ୍କୁ ଆହା ପଦେ କହିବାକୁ ବି‌ କେହି ଆସିଲେନି। ମୋ’ ପେଟ ଓ ଅଣ୍ଟା ରୋଗ ଯୋଗୁଁ କୌଣସି କାମ କରିପାରୁ ନଥିଲି। ତଥାପି ପେଟ ଚିନ୍ତାରେ ରୋଜଗାର ଆଶାରେ ଭୁବନେଶ୍ବର ଚାଲି ଆସିଥିଲି। ଭିକ ମାଗି ଯାହା ସଂଚୟ କରେ ତାକୁ ନେଇ ୭ରୁ ୧୫ଦିନରେ ଯାଇ ଘରେ ଦେଇ ଆସେ। ମୋର ଗୋଟେ ପୁଅ +୨ ବାଣିଜ୍ୟରେ ପଢ଼ୁଛି। ଆଉ ଗୋଟେ ପୁଅ କଲେଜ୍‌ ସାରି ଚାକିରି ପାଇଁ ପ୍ରସ୍ତୁତ ହେଉଛି। ଆଜକୁ ୧୮ ବର୍ଷ ହେଲା ଏହି ପ୍ଲାଟ୍‌ଫର୍ମ ହିଁ ଥିଲା ମୋ ପାଇଁ ରାତ୍ରି ଆଶ୍ରୟସ୍ଥଳ। କାଲି ଯେତେବେଳେ ମତେ ପ୍ଲାଟ୍‌ଫର୍ମରୁ ନେଇ ଆସିଲେ, ମନା କରୁଥି‌ଲି। ଏଠି ରହିବାକୁ ସିନା ଭଲ ଲାଗୁଛି, ହେଲେ ମୋ ପିଲାମାନଙ୍କ ପାଇଁ ମତେ ବାହାରେ ଯାଇ କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ନିରାଶ୍ରିତ ଚାହୁଁଛନ୍ତି ରୋଜଗାର
ବାର୍ଧକ୍ୟରେ ନିଜର ଅତୀତର କଷ୍ଟକୁ ନେଇ ଝୁରି ହେବା ଅପେକ୍ଷା କର୍ମସଂସ୍ଥାନ ଚାହୁଁଛନ୍ତି ନିରାଶ୍ରିତ। ସାମର୍ଥ୍ୟ ଅନୁଯାୟୀ କାମ ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି। ଦୁଶ୍ଚିନ୍ତାରୁ ମୁକ୍ତି ସହ ରୋଜଗାର କରି ସଂଚୟ କରିବା ପାଇଁ ଏବେ ବି ସେମାନଙ୍କ ମନରେ ଇଚ୍ଛା ରହିଛି ବୋଲି କାଉନ୍‌ସେଲିଂ କରୁଥିବା ମାତୃମୟୀ ପ୍ରିୟଦର୍ଶିନୀ କହିଛନ୍ତି। କାହା ଦୟାର ପାତ୍ର ହୋଇ ସବୁଦିନ ବଞ୍ଚିବା ଅପେକ୍ଷା କିଛି ରୋଜଗାର କରିପାରିଲେ, କିଛିଦିନ ଖୁସିରେ ବଞ୍ଚିହେବ ବୋଲି ବୃଦ୍ଧା ମନୋରମା ଦାସ କହିଛନ୍ତି। ଏହାକୁ ସାକାର କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ନିରାଶ୍ରିତମାନଙ୍କୁ ବିଏମ୍‌ସି ଆବଶ୍ୟକ କରୁଥିବା ଝାଡ଼ୁ (ଖଡ଼ିକା ମୁଠା) ତିଆରି ପାଇଁ ସୁଯୋଗ ଦେବାକୁ ଚେଷ୍ଟା କରାଯିବ ବୋଲି ସିଟି ମ୍ୟାନେଜ୍‌ମେଣ୍ଟ୍‌ ୟୁନିଟ୍‌ର ପ୍ରବନ୍ଧକ ଦେବାଶିଷ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର