ଭୁବନେଶ୍ବର: ଭୁବନେଶ୍ବରରେ ଛତୁ ଫୁଟିଲା ଭଳି ଘରୋଇ ସ୍କୁଲ ଖୋଲୁଛି। ଇଂରାଜୀ ମାଧ୍ୟମଠାରୁ ଆରମ୍ଭ କରି ଶିଶୁ ମନ୍ଦିର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରି ବିଦ୍ୟାଳୟ ସଂଖ୍ୟା ବଢ଼ିଚାଲିଛି। ପ୍ରତିବର୍ଷ ପାଖାପାଖି ୧୦ଟି ସ୍କୁଲ ଖୋଲିବାକୁ ଅନୁମତି ଲୋଡ଼ୁଛନ୍ତି। ମାତ୍ର କେଉଁ ବିଦ୍ୟାଳୟର ଆବଶ୍ୟକୀୟ ଭିତ୍ତିଭୂମି ନାହିଁ ତ ଆଉ କାହାର ସୁରକ୍ଷାରେ ଢିଲା। ସ୍କୁଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା କଥା ନ କହିବା ଭଲ। କେତେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଯାତାୟତ କରୁଥିବା ସିଡିଗୁଡ଼ିକ ନିୟମ ଅନୁଯାୟୀ ନିର୍ମାଣ ହୋଇନି। କେଉଁଠି ବିନା ଖୋଲା ସ୍ଥାନରେ ସ୍କୁଲ ଖୋଲୁଛି ତ କେଉଁଠି ୧୦ଫୁଟର କରିଡର ଜାଗାରେ ୩ରୁ ୪ଫୁଟ କରିଡର ରହିଛି। ଏପରିକି ୩ଫୁଟିଆ ସିଡ଼ି ପାହାଚରେ ଛାତ୍ରଛାତ୍ରୀ ଯାତାୟତ କରୁଛନ୍ତି। ଆବାସିକ ଘରେ ସ୍କୁଲ ଖୋଲି କେତେକ ଶିକ୍ଷା ସଂସ୍ଥା ବ୍ୟବସାୟ କରୁଛନ୍ତି।
କିଛି ବିଦ୍ୟାଳୟର ଏନ୍ଓସି ବି ନାହିଁ
ମିଳିତ ଯାଞ୍ଚ କରିବ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ
ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯାଞ୍ଚ ସମୟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିପାଇଁ ରାଜଧାନୀର ୪୩ଟି ବିଦ୍ୟାଳୟକୁ ସିଓଆର(ସାର୍ଟିଫିକେଟ୍ ଅଫ୍ ରେକୋଗନେସନ୍) ଓ ଏନଓସି(ନୋ ଅବଜେକ୍ସନ ସାର୍ଟିଫିକେଟ୍) ଦିଆଯାଇ ନ ଥିବା ଜଣାପଡ଼ିଛି। ତେଣୁ ସ୍କୁଲଗୁଡ଼ିକର ଭିତ୍ତିଭୂମି ଯାଞ୍ଚ କରିବାକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାର(ଡିଇଓ)ଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ସହ ମିଶି ସମ୍ପୃକ୍ତ ସ୍କୁଲଗୁଡ଼ିକୁ ପରିଦର୍ଶନ କରିବାକୁ ଡିଇଓଙ୍କ ପକ୍ଷରୁ ଖୋର୍ଧା ଜିଲ୍ଲା ଡେପୁଟି କଲେକ୍ଟରଙ୍କୁ ଅନୁରୋଧ କରାଯାଇଛି। ସ୍କୁଲ ଖୋଲିବା, ସିଓଆର ଓ ଏନ୍ଓସି ପାଇ ନ ଥିବା ୪୩ଟି ବିଦ୍ୟାଳୟ ତାଲିକା ଖୋର୍ଦ୍ଧା ଡିଇଓଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି। ଯେଉଁଥିରେ ଗୋଟିଏ ସରକାରୀ ବିଦ୍ୟାଳୟ ସମେତ ବହୁ ସଂଖ୍ୟକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରହିଛି।
ତାଲିକାରେ ଥିବା ୪୩ ସ୍କୁଲ ମଧ୍ୟରେ ଚାଣକ୍ୟ ପବ୍ଲିକ ସ୍କୁଲ, ଚନ୍ଦ୍ରଶେଖର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ପ୍ରଜ୍ଞାଭାରତୀ ଶିଶୁ ବିଦ୍ୟାମନ୍ଦିର, ବରମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଗୋଠପାଟଣା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଆଦିବାସୀ ଗାଁ ପ୍ରାଥମିକ ବିଦ୍ୟାଳୟ, ଝାରପଡ଼ାସ୍ଥିତ ଭାରତୀ ବିଦ୍ୟାମନ୍ଦିର, ଭୁବନେଶ୍ବର ମଡେଲ ପବ୍ଲିକ ସ୍କୁଲ, ଖଣ୍ଡଗିରିବାରିସ୍ଥିତ ଡିସିବି ସରସ୍ବତୀ ବିଦ୍ୟାମନ୍ଦିର, ଜାଗମରାର ଦିବ୍ୟଜ୍ୟୋତି ପବ୍ଲିକ ସ୍କୁଲ, ଚକେଇସିଆଣିସ୍ଥିତ ଜ୍ଞାନଦୀପ ବିଦ୍ୟାପୀଠ, କଳିଙ୍ଗ ଇଣ୍ଟରନ୍ୟାସନାଲ ସ୍କୁଲ, ଡେଲ୍ଟା ଅଞ୍ଚଳର ମହର୍ଷି ବିଦ୍ୟାମନ୍ଦିର, ପାଣ୍ଡରାର ନାରାୟଣ ସ୍କୁଲ, ସାଇ ବୀଣାପାଣି ଜ୍ଞାନମନ୍ଦିର, ଲକ୍ଷ୍ମୀସାଗରସ୍ଥିତ ସରସ୍ବତୀ ବିଦ୍ୟା ଭବନ, ସରସ୍ବତୀ ଜ୍ଞାନପୀଠ, ଡିଷ୍ଟ୍ରିକ୍ଟ ସେଣ୍ଟରସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲ, ସାମନ୍ତରାପୁରସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲ, ଶ୍ୟାମପୁରସ୍ଥିତ ସେଣ୍ଟ ଜାଭିଅର ହାଇସ୍କୁଲ, ଚନ୍ଦ୍ରଶେଖରପୁରସ୍ଥିତ ସୁରେନ୍ଦ୍ର ସାଏ ବିଦ୍ୟାମନ୍ଦିର, କେଦାର ଲେନ୍ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ବରମୁଣ୍ଡାସ୍ଥିତ ବିବେକାନନ୍ଦ ସ୍କୁଲ, ବିବେକାନନ୍ଦ ଶିକ୍ଷା କେନ୍ଦ୍ର(ଇଏମ୍) ରହିଛି।
ସେହିପରି ଜଗନ୍ନାଥନଗରସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଲକ୍ଷ୍ମୀସାଗରସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ବ୍ରୋକେଲ୍ ୱାଇଏନ୍ ସ୍କୁଲ, ଚିନ୍ତାମଣିଶ୍ବରସ୍ଥିତ ଓମ୍ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଦୟାସାଗର ବିଦ୍ୟା ମନ୍ଦିର, ଲୁମ୍ବିନି ପବ୍ଲିକ ସ୍କୁଲ, ନୀଳଚକ୍ରନଗରସ୍ଥିତ ଓମ୍ ମା’ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପେଟାଲ୍ସ ପବ୍ଲିକ ସ୍କୁଲ, ଲକ୍ଷ୍ମୀସାଗରସ୍ଥିତ ସାଇ ସରସ୍ବତୀ ବିଦ୍ୟାମନ୍ଦିର, ଝାରପଡ଼ାସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ସେଣ୍ଟ ଭିନ୍ସେଣ୍ଟ ପୂର୍ଣ୍ଣାଙ୍ଗ ଆବାସିକ ବିଦ୍ୟାଳୟ, ସନ୍ରାଇଜ୍ ପବ୍ଲିକ ସ୍କୁଲ ଓ ସହିଦନଗରସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର। ୩ଟି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଦୁଇଟି ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଓ ଗୋଟିଏ ସେଣ୍ଟ ଜାଭିଅର ହାଇସ୍କୁଲ ତାଲିକାରେ ରହିଥିଲେ ମଧ୍ୟ ତାହା କେଉଁଠିକାର ଉଲ୍ଲେଖ କରାଯାଇ ନାହିଁ।
ସୂଚନା ଅନୁଯାୟୀ ୨୦୨୨-୨୩ ଶିକ୍ଷାବର୍ଷଠାରୁ ରାଜ୍ୟରେ ସିଓଆର ଓ ଏନ୍ଓସିକୁ କଡ଼ାକଡ଼ି ଲାଗୁ କରାଯାଇଛି। ଏବେ ସ୍କୁଲଗୁଡ଼ିକୁ ୫ବର୍ଷ ଲାଗି ସିଓଆର ପ୍ରଦାନ କରାଯାଉଛି। ଯଦି କୌଣସି ବିଦ୍ୟାଳୟର ଆବଶ୍ୟକୀୟ ଭିତ୍ତିଭୂମି ନ ଥିବ ତେବେ ତାହାକୁ ବାତିଲ୍ କରାଯାଇ ସର୍ତ୍ତମୂଳକ ଅନୁମତି ଦିଆଯାଉଛି।