ଏପ୍ରିଲ୍‌ ମାସ କିରାସିନି ମିଳିନି, ଅଣରାସନ୍‌କାର୍ଡଧାରୀଙ୍କୁ ମିଳିବ ‌କେବେ?

ଭୁବନେଶ୍ବର: ମେ’ ମାସ ପ୍ରଥମ ସପ୍ତାହ ବିତିଗଲାଣି। କିନ୍ତୁ ରାସନ୍‌କାର୍ଡ ହିତାଧିକାରୀମାନଙ୍କୁ ଏପ୍ରିଲ ମାସର କୋଟାରେ କିରାସିନି ମିଳିନାହିଁ। ପଞ୍ଚାୟତଗୁଡ଼ିକ କିରାସିନି ଉଠାଇ ନଥିବାରୁ ବଣ୍ଟନ ବିଳମ୍ବିତ ହୋଇଥିବା ଅଭିଯୋଗ ହେଉଛି। ସମ୍ଭାବ୍ୟ ବାତ୍ୟାକୁ ଭୟ କରି ଲୋକେ ତୁରନ୍ତ କିରାସିନି ମିଳୁ ବୋଲି ବ୍ୟାକୁଳ ହୋଇପଡ଼ିଛନ୍ତି। ସେହିଭଳି ଅଣ ରାସନ୍‌କାର୍ଡଧାରୀମାନଙ୍କୁ କିରାସିନି ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ ମଧ୍ୟ ତାହା କେବେ ମିଳିବ, କିଛି ସ୍ପଷ୍ଟ ହୋଇନାହିଁ। ଫଳରେ ସବୁବେଳେ ଖୋଲା ବଜାରୁ ଉଚ୍ଚା ଦରରେ କିଣୁଥିବା ଲୋକେ ସରକାରୀ ଦରରେ କିରାସିନି କିଣିବେ ବୋଲି ଚାହିଁ ବସିଛନ୍ତି।

ସୂଚନାନୁସାରେ, ମହାମାରୀ ‌କୋଭିଡ୍‌-୧୯ ଭଳି ଜାତୀୟ ମହାବିପତ୍ତି ସମୟରେ ଗରିବ ଲୋକଙ୍କୁ କମ୍ ଦରରେ କିରାସିନି ‌ଯୋଗାଇ ଦେବାକୁ ସରକାର ସ୍ଥିର କରିଛନ୍ତି। ଫଳରେ ଏପ୍ରିଲ୍‌ ମାସ କୋଟାରେ ରାସନ୍‌କାର୍ଡଧାରୀମାନେ ଲିଟର ପିଛା ପ୍ରାୟ ୧୦/୧୫ ଟଙ୍କା କମ୍‌ ଦରରେ କିରାସିନି ପାଇବେ। ପୂର୍ବରୁ ପାଖାପାଖି ୪୦ ଟଙ୍କା ପଡ଼ୁଥିବା କିରାସିନି ଲିଟର ଏପ୍ରିଲ୍‌ ମାସରେ ୨୫ରୁ ୩୦ଟଙ୍କା ମଧ୍ୟ‌ରେ ପଡ଼ିବ। ତେଣୁ ଲୋକେ ଏପ୍ରିଲ୍ ମାସ କୋଟା ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ମେ’ ମାସର ପ୍ରଥମ ସପ୍ତାହ ବିତି ସାରିଥିଲେ ସୁଦ୍ଧା ଏହି କୋଟା ଲୋକଙ୍କ ପାଖରେ ପହଞ୍ଚିନାହିଁ। କିନ୍ତୁ ରାଜଧାନୀ ଉପକଣ୍ଠ ଭୁବନେଶ୍ବର ଓ ଜଟଣୀ ବ୍ଲକର ବିଭିନ୍ନ ପଞ୍ଚାୟତ ପକ୍ଷରୁ ମିଳିଥିବା ସୂଚନାନୁସାରେ, କିଛି ପଞ୍ଚାୟତ ଦୁଇ ଦିନ ପୂର୍ବେ ଡିପୋରୁ କିରାସିନି ଉଠାଇଛନ୍ତି। ମାତ୍ର ଆଉ କିଛି ପଞ୍ଚାୟତ ସମୟ ଅଭାବ ଦର୍ଶାଇ ଉଠାଇ ପାରିନାହାନ୍ତି। କେତେକ ସରପଞ୍ଚଙ୍କ କହିବା କଥା, ତାଲାବନ୍ଦ ଲାଗୁ ହେବା ପରେ ହିତାଧିକାରୀମାନଙ୍କୁ ଚାଉଳ, ଡାଲି, ଗହମ ଭଳି ରାସନ୍‌ ସମେତ କିରାସିନି ବଣ୍ଟନ କରାଯାଇଛି। ଲୋକଙ୍କୁ ନିକଟରେ ମାର୍ଚ୍ଚ ମାସ କୋଟା କିରାସିନି ବଣ୍ଟନ କରାଯାଇଛି।

ତେଣୁ ଏବେ ଘରେ ଘରେ ହିତାଧିକାରୀମାନଙ୍କ ପାଖରେ ଯ‌ଥେଷ୍ଟ ପରିମାଣର କିରାସିନି ମହଜୁଦ୍ ରହିଛି। କିନ୍ତୁ ସମ୍ଭାବ୍ୟ ବାତ୍ୟାକୁ ଭୟ କରି ଲୋକେ ଏଭଳି ଅଭିଯୋଗ କରୁଛନ୍ତି। ତେବେ ଚଳିତ ସପ୍ତାହ ଭିତରେ ସମସ୍ତଙ୍କୁ ଏପ୍ରିଲ୍ ମାସ କୋଟା କିରାସିନି ମିଳିଯିବ ବୋଲି ବ୍ଲକ ଯୋଗାଣ ଅଧିକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀଙ୍କ କହିବା କଥା, ରାସନ୍‌କାର୍ଡ ନଥିବା ଲୋକଙ୍କ ପାଇଁ କିରାସିନି ବଣ୍ଟନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି, ମାତ୍ର ସେହି କୋଟା ମିଳିନାହିଁ। ଉକ୍ତ କୋଟା‌ରେ କିରାସିନି ଖୁବ୍‌ ଶୀଘ୍ର ମିଳିବ ବୋଲି ସୂଚନା ରହିଛି ଓ ମିଳିବା ମାତ୍ରେ ଲୋକଙ୍କୁ ବଣ୍ଟନ କରାଯିବ।

ସମ୍ବନ୍ଧିତ ଖବର