ଘର ପାଇଁ ଜମି ନାହିଁ, ପର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର

ମେଣ୍ଢାଶାଳ: ସରକାରୀ ଜମିକୁ ଲୋକେ ମାଡ଼ି ବସିଛନ୍ତି। ଫଳରେ ଅଙ୍ଗନବାଡ଼ି ଘର ପାଇଁ ଜାଗା ମିଳୁନି। କୁନି ପିଲାମାନେ ପର ବାରଣ୍ଡାରେ ପାଠ ପଢ଼ୁଛନ୍ତି। ଏଭଳି ଘଟଣା ଜଟଣୀ ତହସିଲ ଅନ୍ତର୍ଗତ ଛତାବର ଗ୍ରାମ ପଞ୍ଚାୟତର ଅରିସଲ ଗ୍ରାମରେ ଦେଖିବାକୁ ମିଳିଛି। ଛତାବର ଗ୍ରାମରେ ତିନୋଟି ମୌଜା ଦୁର୍ଗାପୁର, ହରେକୃଷ୍ଣପୁର ଓ ଅରିସଲ ରହିଛି। ଦୁଇଟି ମୌଜାରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ଥିବା ବେଳେ ଅରିସଲ ମୌଜାରେ ନାହିଁ। ଆଜିକୁ ସାତ ବର୍ଷ ହେଲା ପିଲାମାନେ ଅନ୍ୟ ବାରଣ୍ଡାରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ଗୃହ ନିର୍ମାଣ ପାଇଁ ଟଙ୍କା ଜଟଣୀ ବ୍ଲକରେ ପଡ଼ି ରହିଛି। ହେଲେ ଗାଁଲୋକେ ଆଜି ପର୍ଯ୍ୟନ୍ତ ଦୁଇଗୁଣ୍ଠ ଜମି ଦେଇ ନ ପାରିବାରୁ ଘର ତିଆରି ହୋଇପାରିନାହିଁ।

ଛତାବର ପଞ୍ଚାୟତ ସରପଞ୍ଚ ମନସ୍ୱିନୀ ମିଶ୍ର ଡେଙ୍ଗ କୁହନ୍ତି, ଗ୍ରାମରେ ଥିବା ସରକାରୀ ଜମିକୁ ଇଡ୍‌କୋ ଅଧିଗ୍ରହଣ କରିସାରିବା ପରେ ୩୦ ଏକର ଗ୍ରାମର ବ୍ୟବହାର ପାଇଁ ଛାଡ଼ି ଦେଇଛି। ଏହି ସରକାରୀ ଜମିକୁ ଲୋକମାନେ ବାଡ଼ ଦେଇ ନିଜ ଦଖଲରେ ରଖିଛନ୍ତି। ଫଳରେ ଅଙ୍ଗନବାଡ଼ି ଗୃହ ପାଇଁ ଜମି ମିଳୁନାହିଁ। ଏନେଇ ଅରିସଲ ଗାଁର କିଛି ଲୋକ ଖୋର୍ଦ୍ଧା ଜିଲ୍ଲାପାଳ, ଜଟଣୀ ତହସିଲଦାର ଓ ସିଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ଅଙ୍ଗନବାଡ଼ି ଘର ପାଇଁ ଜମି ଚିହ୍ନଟ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ଭୁବନେଶ୍ୱର ତହସିଲ ମେଣ୍ଢାଶାଳ ପଞ୍ଚାୟତରେ ୬ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବା ବେଳେ ସେଥିରୁ ୩ଟି କେନ୍ଦ୍ରର ଘର ନାହିଁ। ଘର ପାଇଁ ଟଙ୍କା ଆସିଛି କିନ୍ତୁ ଜାଗା ନାହିଁ। ଅନ୍ୟ ଘରେ ଓ ଭାଗବତ ଘରରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ଏ ସମ୍ପର୍କରେ ସିଡିପିଓଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା।

ସମ୍ବନ୍ଧିତ ଖବର