ଧଉଳି: ବାତ୍ୟା ଫନିକୁ ମାସେରୁ ଊର୍ଧ୍ବ ସମୟ ବିତିଯାଇଥିଲେ ହେଁ ଧଉଳି ଶାନ୍ତିସ୍ତୂପ ପରିସର ଅନ୍ଧାରରେ ରହିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରବେଶ ପଥ ହାତୀପାର୍କ ମୁଖ୍ୟ ରାସ୍ତାରୁ ଶାନ୍ତିସ୍ତୂପ ଉପର, ପଞ୍ଚାୟତ ପାର୍ଶ୍ବ, ଶାନ୍ତିପାର୍କ, ବହିରଙ୍ଗେଶ୍ବର ମନ୍ଦିର ପାର୍ଶ୍ବ ଆଦି ସ୍ଥାନରେ ଶତାଧିକ ଷ୍ଟ୍ରିଟ ଲାଇଟ ଭାଙ୍ଗି ପଡ଼ିଥିଲା। ହେଲେ ଉକ୍ତ ସ୍ଥାନରେ ଏଯାଏଁ ନୂଆ ବିଦ୍ୟୁତ୍ ଖୁଣ୍ଟ ପୋତାଯାଇ ନାହିଁ କି ବଲ୍ବ ଲାଗି ନାହିଁ। ସଞ୍ଜ ହେଲେ ଶାନ୍ତସ୍ତୂପ ଅନ୍ଧାରରେ ରହୁଛି। ଫଳରେ ଏଠାରେ ଅସାମାଜିକ ଯୁବକଙ୍କ ଆସର ଜମୁଛି। ଏହାଛଡ଼ା ଏଠାରେ ଲୁଟେରା ଗ୍ୟାଙ୍ଗ ମଧ୍ୟ ସକ୍ରିୟ ହୋଇଉଠିଛନ୍ତି। ଖାଲି ସେତିକି ନୁହେଁ, ଭାଙ୍ଗି ପଡ଼ିଥିବା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ୍ ବୃକ୍ଷରାଜି ଲୁଟ୍ ହେବାରେ ଲାଗିଛି। ଷ୍ଟ୍ରିଟ୍ ଲାଇଟ ଖୁଣ୍ଟ ଓ ଲୁହା ଆଙ୍ଗେଲ ଓ ଲାଇଟ୍ ଷ୍ଟାଣ୍ଡ ବି ଚୋରି ହୋଇଗଲାଣି। ଡିଡିସି ପରିଚାଳନା ଦାୟିତ୍ବରେ ଥିବା କର୍ମକର୍ତ୍ତା ଏହା ଜାଣି ସୁଦ୍ଧା ନିରବ ରହୁଥିବା ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଶାନ୍ତସ୍ତୂପ ଆସୁଥିବା ପର୍ଯ୍ୟଟକମାନେ ସଂଧ୍ୟାରେ ବୁଲାବୁଲି କରିବାକୁ ନିରାପଦ ମଣୁନାହାନ୍ତି। ବିଦ୍ୟୁତ୍ ବିଭାଗ କାର୍ଯ୍ୟରେ ଅବହେଳା କରୁଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଉତ୍ତରା ସେକ୍ସନ୍ ପକ୍ଷରୁ ଶାନ୍ତିସ୍ତୂପକୁ ବିଦ୍ୟୁତ୍ ସରବରାହ ସ୍ବାଭାବିକ ହୋଇଥିଲେ ମଧ୍ୟ ଏଯାଏଁ ପର୍ଯ୍ୟଟନ ବିଦ୍ୟୁତ୍ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏଠାରେ ଉଦ୍ଘାଟିତ ହୋଇଥିବା ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋ ବ୍ୟବସ୍ଥା ଭାଙ୍ଗି ଛିନ୍ଛତର ହୋଇଯାଇଥିବାରୁ ରାତି ହେଲେ ଶାନ୍ତିସ୍ତୂପ ଉପର ମଧ୍ୟ ଅସୁରକ୍ଷିତ ହୋଇପଡ଼ୁଛି। ଅନ୍ୟପକ୍ଷରେ ଧଉଳି ଶାନ୍ତିସ୍ତୂପରେ ସାମଗ୍ରିକ ଭାବେ ୨ କୋଟି ୬୦ଲକ୍ଷ ଟଙ୍କାର ସମ୍ପତ୍ତି କ୍ଷତି ଘଟିଥିବା ଆକଳନ ହୋଇଛି। କିନ୍ତୁ ଟଙ୍କା ମଞ୍ଜୁର ହୋଇନଥିବାରୁ କାର୍ଯ୍ୟ ଆରମ୍ଭ ହୋଇପାରିନଥିବା ଭୁବନେଶ୍ବର ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp