ଓଟି, ଆଇସିୟୁ, ନର୍ସିଂ ହୋମ୍ ଓ ବହିର୍ବିଭାଗ ଅନ୍ଧାର

ଭୁବନେଶ୍ବର: ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲରେ ଆଜି ସକାଳେ ୩ଘଣ୍ଟା ପାଇଁ ଲାଇନ୍ କଟି ଯିବା ଯୋଗୁଁ ରୋଗୀଙ୍କଠାରୁ ଆରମ୍ଭ କରି କର୍ତୃପକ୍ଷ ନାକେଦମ୍ ହୋଇଛନ୍ତି। ଅ‌େସ୍ତ୍ରାପଚାର ଗୃହ ବା ଓଟିରେ ଅ‌େସ୍ତ୍ରାପଚାର ହୋଇପାରି ନ ଥିଲା କି ଅତ୍ୟାଧୁନିକ ଯନ୍ତ୍ରପାତି ଚାଲି ନ ଥିଲା। ଅଧିକାଂଶ ବହିର୍ବିଭାଗ ବା ଓପିଡି ଅନ୍ଧାର ହୋଇଯାଇଥିଲା। ଏପରିକି ‌ପାୱାର ବ୍ୟାକ୍‌ଅପ ପାଇଁ ଥିବା ଜେନେରେଟର ମଧ୍ୟ ଚାଲି ନ ଥିଲା। ଯଦିଓ ଭାଙ୍ଗି ପଡ଼ିଥିବା ଗଛକୁ କାଟି ଦିଆଯାଇଛି ତଥାପି ହସ୍ପିଟାଲରେ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣଭାବେ ବିଦ୍ୟୁତ୍ ସରବରାହ ହୋଇପାରି ନାହିଁ। କ୍ୟାପିଟାଲ ହସ୍ପିଟାଲକୁ ଏକ ମଡେଲ ହସ୍ପିଟାଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସଚିବଙ୍କ ପର୍ଯ୍ୟନ୍ତ ଘନ ଘନ ସମୀକ୍ଷା କରୁଛନ୍ତି। ନୂଆ ନୂଆ ବିଭାଗ ଖୋଲିବା ପାଇଁ ନିଷ୍ପତ୍ତି ହେଉଛି। ମାତ୍ର ହସ୍ପିଟାଲରେ ସଂପୂର୍ଣ୍ଣଭାବେ କିଭଳି ପାୱାର ବ୍ୟାକଅପ୍ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ଗତ ୨/୩ ଦିନ ହେବ ପାଣିପାଗ ବିଭାଗ ବାତ୍ୟା ନେଇ ସୂଚନା ଦେଇଛି ଓ ରାଜ୍ୟ ସରକାର ଏହାକୁ ଗୁରୁତ୍ବର ‌ସହ ନେଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଏଭଳି ଅବ୍ୟବସ୍ଥା ବାତ୍ୟା ପ୍ରସ୍ତୁତିକୁ ପଦାରେ ପକାଇ ଦେଇଛି। ହସ୍ପିଟାଲରେ ଥିବା ବିଦ୍ୟୁତ୍ କର୍ମଚାରୀ ବାତ୍ୟା ପୂର୍ବରୁ କିଭଳି ପ୍ରସ୍ତୁତ ରହିଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଟ୍ରାନ୍‌ସଫର୍ମର ନିକଟରେ ଥିବା ଏକ ଗଛ ଉପୁଡ଼ି ବିଦ୍ୟୁତ୍ ତାର ଉପରେ ପଡ଼ିଥିଲା। ତାର ଛିଣ୍ଡି ‌ଯିବା ଯୋଗୁଁ ହସ୍ପିଟାଲରେ ଲାଇନ୍ କଟି ଯାଇଥିଲା। ପାୱାର ବ୍ୟାକଅପ ପାଇଁ ଥିବା ଜେନେରେଟର୍‌ ମଧ୍ୟ ଚାଲି ନ ଥିଲା। ଯାହାଫଳର ହସ୍ପିଟାଲର ଅଧିକାଂଶ ବହିର୍ବିଭାଗ ଅନ୍ଧାର ହୋଇଯାଇଥିଲା। ପୂର୍ବରୁ ଯେଉଁ ବ୍ୟକ୍ତି ଅ‌‌େସ୍ତ୍ରାପଚାର ରହିଥିଲା ତାହା ହୋଇପାରି ନ ଥିଲା। ଏକ୍ସ-ରେ ଓ ହୃଦରୋଗ ବିଭାଗରେ ଇସିଜି ମେସିନ୍ ଚାଲି ନ ଥିଲା। ନର୍ସିଂ ହୋମ୍‌ ଅନ୍ଧାର ହୋଇଯିବା ଯୋଗୁଁ ସେଠାରେ ଥିବା ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ଭୁବନେଶ୍ବର ଅଗ୍ନିଶମ ବିଭାଗର ଏକ ସ୍ବତନ୍ତ୍ର ତାଲିମପ୍ରାପ୍ତ ଦଳ ହସ୍ପିଟାଲରେ ବିଦ୍ୟୁତ୍ ସରବରାହକୁ ସୁଧାର ଆଣିବା ପାଇଁ ଉଦ୍ୟମ କରିଥିଲେ। ଦିନ ପ୍ରାୟ ୧ଟା ବେଳକୁ ଅଗ୍ନିଶମ ବିଭାଗ ଅବରୋଧ ହଟାଇବାରେ ସକ୍ଷମ ହୋଇଥିଲା। ତେବେ ବର୍ଷା ଯୋଗୁଁ ବିଦ୍ୟୁତ୍ ସଂଯୋଗରେ ସମସ୍ୟା ଉପୁଜିଥିଲା। ବାହାରୁ ଜେନେରେଟର୍‌ ଆଣାଯାଇ ହସ୍ପିଟାଲରେ ବିଦ୍ୟୁତ୍ ସଂଯୋଗ କର‌ାଯାଇଥିବା ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସ କହିଛନ୍ତି, ଗଛ ପଡ଼ିଯିବା କାରଣରୁ ବିଦ୍ୟୁତ୍ ତାର ସହିତ ଜେନେରେଟର ଲାଇନ୍ ମଧ୍ୟ କଟି ଯାଇଥିଲା। ଯାହାଫଳରେ ହସ୍ପିଟାଲରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିଲା। ଏଥିପାଇଁ ବିକଳ୍ପ ଜେନେରେଟରର ବ୍ୟବସ୍ଥା କରାଯାଇଛି। ପାଥୋଲୋଜିକୁ ନୂତନ ବିଦ୍ୟୁତ୍ ଲାଇନ ସଂଯୋଗ କରାଯାଇଛି। ବାର୍ଷା ଯୋଗୁଁ ବିଦ୍ୟୁତ୍ ତାର ଟାଣିବା କଷ୍ଟକର ହୋଇ ପଡ଼ିଛି। କାଜୁଆଲ୍‌ଟିରେ ଏକ ଜେନେରେଟର ଲଗାଯାଛି। ଆଇସିୟୁକୁ ସଂଯୋଗ ହୋଇଥିବା ଜେନେଟେର ଲୋଡ୍ ନେଇ ନ ଥିବାରୁ ଆହୁରି ଅଧିକ ଜେନେରେଟର୍‌ ପାଇଁ କୁହାଯାଇଛି। ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଏବେ ଅବସ୍ଥାରେ ସୁଧାର ଆସିଛି ବୋଲି ଡା.ଦାସ କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲ କର୍ମଚାରୀଙ୍କ ଛୁଟି ବାତିଲ୍
ଭୁବନେଶ୍ବର: ବାତ୍ୟାକୁ ନେଇ ଆଜି କ୍ୟାପିଟାଲ ହସ୍ପିଟାଲରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ ଡାକ୍ତର, ନର୍ସିଂ ଷ୍ଟାଫଙ୍କଠାରୁ ଆରମ୍ଭ କରି ମାଟ୍ରନ୍ ଓ ଅନ୍ୟ କର୍ମଚାରୀଙ୍କ ଆଜିଠାରୁ ସମସ୍ତ ପ୍ରକାର ଛୁଟି ବାତିଲ କରାଯାଇଛି। ହସ୍ପିଟାଲରେ ଯଥେଷ୍ଟ ସଂଖ୍ୟକ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ହସ୍ପିଟାଲର ନିର୍ଦେଶକଙ୍କ ପକ୍ଷରୁ ଆଜି ସମସ୍ତ କର୍ମଚାରୀଙ୍କୁ ନିର୍ଦେଶନାମା ଜାରି କରାଯାଇଛି। ଏଥିରେ ବାତ୍ୟା ସମୟରେ ନିୟମିତ ବିଦ୍ୟୁତ ସରବରାହ ବଜାୟ ରଖିବା ପାଇଁ ଜେନେରେଟର ଓ ଇନ୍‌ଭର୍ଟର ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି। ଯଥେଷ୍ଟ ପରିମାଣର ଡିଜେଲ ଓ ଜରୁରି ଲାଇଟ୍‌ର ବ୍ୟବସ୍ଥା କରିବା, ନିରବଚ୍ଛିନ୍ନଭାବେ ପାଣି ଯୋଗାଇବା ପାଇଁ ଜନସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ପ୍ରସ୍ତୁତ ରହିବାକୁ ନି‌ର୍ଦେଶ ଦିଆଯାଇଛି। ସେହିପରି ହସ୍ପିଟାଲରେ ଖାଦ୍ୟ ଯୋଗାଉଥିବା ସଂସ୍ଥା ଯଥେଷ୍ଟ ପରିମାଣର ଖାଦ୍ୟ ମହଜୁଦ ରଖିବା ସହିତ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟମାନେ ବାତ୍ୟା ସମୟରେ କୌଣସି ପ୍ରକାର ଅଘଟଣ ନ ହୁଏ ତାହା ଉପରେ ନଜର ରଖିବାକୁ କୁହାଯାଇଛି। ଏପରିକି ରାଜଧାନୀରେ ଥିବା ସମସ୍ତ ୟୁପିଏଚ୍‌ସି ଓ ୟୁସିଏଚ୍‌ସିରେ କାର୍ଯ୍ୟରତ ଡାକ୍ତର ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର