ଚନ୍ଦ୍ରଶେଖରପୁର: ଏଣିକି ରାଜଧାନୀରେ ବାସ କରୁଥିବା ବରିଷ୍ଠ ନାଗରିକଙ୍କୁ ଅବସର ବିନୋଦନର ପର୍ଯ୍ୟାପ୍ତ ସୁଯୋଗ ଯୋଗାଇ ଦିଆଯିବ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସ୍ଏସ୍ଇପିଡି) ବିଭାଗ ଓ ଏକ ବେସରକାରୀ ସଂସ୍ଥା ପକ୍ଷରୁ ମିଳିତ ଭାବରେ ପ୍ରୋଜେକ୍ଟ ଆନନ୍ଦର କାର୍ଯ୍ୟକାରୀ କରାଯିବ। ସ୍ମାର୍ଟ େଓ୍ଵଲ୍ନେସ୍ ସେଣ୍ଟର୍ ସ୍ଥାପନ ସହିତ ବରିଷ୍ଠ ନାଗରିକଙ୍କ ଚିତ୍ତ ବିନୋଦନ ନିମନ୍ତେ ସମସ୍ତ ବନ୍ଦୋବସ୍ତ କରାଯିବାର ଯୋଜନା ରହିଛି। ମାତ୍ର ପରିତାପର ବିଷୟ ହେଲା ପୂର୍ବରୁ ମଧ୍ୟ ବରିଷ୍ଠ ନାଗରିକଙ୍କୁ ଚିତ୍ତବିନୋଦନର ଅବସର ଯୋଗାଇଦେବା ଲକ୍ଷ୍ୟରେ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ରର ସ୍ଥାପନ କରାଯାଇଛି। ୨୦୧୬ ମସିହା ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଏମ୍ସି ପକ୍ଷରୁ ବିଭିନ୍ନ ଓ୍ଵାର୍ଡରେ କୋଟି କୋଟି ଟଙ୍କା ବ୍ୟୟରେ ଚିତ୍ତ ବିନୋଦନ କେନ୍ଦ୍ର ସ୍ଥାପନ କରାଯାଇଥିଲା। କିନ୍ତୁ ଆଜିର ଦିନରେ ସେହି କେନ୍ଦ୍ରଗୁଡ଼ିକର ଅସ୍ତିତ୍ୱ ନାହିଁ।
୨୦୧୬ ଅଗଷ୍ଟ ୨୯ ତାରିଖରେ ସ୍ୱାୟତ୍ତ ଶାସନ ଅବସରରେ ଓ୍ଵାର୍ଡ ନଂ-୩ ଅନ୍ତର୍ଗତ ଶ୍ରୀବିହାରରେ ଏହିପରି ଏକ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ଉଦ୍ଘାଟିତ ହୋଇଥିଲା। ୨୦ଲକ୍ଷ ଟଙ୍କାରୁ ଊର୍ଧ୍ୱ ବ୍ୟୟରେ ନିର୍ମିତ ଏହି କୋଠାର ଶୁଭ ୨୦୧୪ ମସିହାରେ ଦିଆଯାଇଥିଲା। କିନ୍ତୁ ଉଦ୍ଘାଟନ ପରେ ସତେ ଯେମିତି ବିଏମ୍ସି ଏହାକୁ ପାସୋରି ଦେଇଥିଲା। ବିଜୁଳି ସଂଯୋଗ କିମ୍ବା ପାଣି ସଂଯୋଗ କିଛି ମଧ୍ୟ ହୋଇନଥିଲା। ସେହିପରି ଅଧାଗଢ଼ା ପାଚେରି ଓ ଗାଈଗୋରୁଙ୍କ ଚରାଭୂଇଁ ପାଲଟିଥିଲା ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର। ଏ ନେଇ ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପରେ ତତ୍ପର ହୋଇପଡ଼ିଥିଲା ପ୍ରଶାସନ। ଆହୁରି ଅଧିକ ଅର୍ଥ ବରାଦ କରାଯାଇ ଏହି କେନ୍ଦ୍ରକୁ ଏକ ସରସ ସୁନ୍ଦର ଚିତ୍ତ ବିନୋଦନ କେନ୍ଦ୍ରରେ ପରିଣତ କରାଯିବାକୁ ଖୋଦ୍ ମେୟର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଏମ୍ସି ଏବଂ ମେୟର ବର୍ତ୍ତମାନ ଏହି ପ୍ରତିଶ୍ରୁତିକୁ ଭୁଲି ଯାଇଛନ୍ତି। ଭୂତକୋଠି ପାଲଟିଛି ଏହି କୋଠା। ସରକାରୀ ତହବିଲ୍ରୁ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିଲା। ଗଣମାଧ୍ୟମ ଚାପରେ ବିଭାଗୀୟ ଯନ୍ତ୍ରୀ ଅତ୍ୟନ୍ତ ତରବରିଆ ଭାବରେ ଶ୍ରୀବିହାର େଓ୍ଵଲ୍ଫେୟାର ଆସୋସିଏସନ୍କୁ ଏହି ଭୂତକୋଠିକୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ବରିଷ୍ଠ ନାଗରିକଙ୍କ କଥା ଛାଡ଼ନ୍ତୁ କୌଣସି ସାଧାରଣ ଜୀବ ମଧ୍ୟ ଏହି କେନ୍ଦ୍ରରେ ବସି ପାରିବ ନାହିଁ। କୋଠା ଭିତରେ ନା ଅଛି ଖଣ୍ଡେ ଚେୟାର୍ ନା ବିଜୁଳି ପାଣି ସଂଯୋଗ। କେବଳ ନିଜ ଉପରୁ ଦୋଷ ଛଡ଼ାଇବାକୁ ବିଏମ୍ସି ଏପରି କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବରିଷ୍ଠ ନାଗରିକ ବୃନ୍ଦ। ପୁଣି ଆନନ୍ଦ ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ଅବସର ବିନୋଦନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା କେବଳ ସରକାରୀ ପ୍ରହସନ ବୋଲି ଅଭିଯୋଗ ହୋଇଛି।