ଭୁବନେଶ୍ବର: ଜଗନ୍ନାଥ ଓ ଓଡ଼ିଆ ଭାଷା, ଓଡ଼ିଆ ଜାତିର ପରିଚୟ। ଜଗନ୍ନାଥ ସଂସ୍କୃତି କେତେ ପୁରୁଣା, ଏବେ ମଧ୍ୟ ତା’ର ଆକଳନ ଚାଲିଛି। ନିଜ ଜାତିର ପରିଚୟ ବିଷୟରେ ଆମେ ଯେତେ ଜାଣିବା, ତାହା ଆମକୁ ଆହୁରି ଅସ୍ମିତାରେ ଭରିବ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଆଜି ଏହା କହିଛନ୍ତି। ହୋଟେଲ ଦି ନ୍ୟୁ ମ୍ୟାରିୟନ୍ରେ ଆୟୋଜିତ ପ୍ରଭୂ ପବ୍ଲିକେସନ୍ସର ଉଦ୍ଘାଟନ ଓ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପୁସ୍ତକ ‘ଶ୍ରୀଜଗନ୍ନାଥ ସ୍ବାମୀ’ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଆହୁରି କହିଲେ, ପୃଥିବୀର ଅଗ୍ନିକୋଣରେ ଭାରତ ଅବସ୍ଥାନ କରୁଥିବା ବେଳେ ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀମନ୍ଦିର ଓ ମନ୍ଦିରର ଅଗ୍ନିକୋଣରେ ଠାକୁରଙ୍କ ରୋଷଘର। ଏଭଳି ଅନେକ କଥା ପଣ୍ଡିତ ମିଶ୍ର ନିଜ ପୁସ୍ତକରେ ଲେଖିଛନ୍ତି, ଯାହାକୁ ପ୍ରତିଟି ଜଗନ୍ନାଥପ୍ରେମୀ ଓ ଓଡ଼ିଆ ଜାଣିବା ଆବଶ୍ୟକ। ତେବେ ଜଗନ୍ନାଥଙ୍କ ବିଷୟରେ ଯେତେ ପୁସ୍ତକ ଲେଖାଗଲେ ବି ତାହା କମ୍ ହେବ। ତାଙ୍କ ବିଷୟରେ ଆହୁରି ଅନେକ କିଛି ଲେଖିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଗବେଷକ ଓ ଲେଖକ ଅସିତ ମହାନ୍ତି କହିଲେ, ପ୍ରଭୂ ପବ୍ଲିକେସନ୍ସର ନାମ ଏହାର ପ୍ରତିଷ୍ଠାତା ପ୍ରଶାନ୍ତ ଭୂ୍ୟାଁଙ୍କ ନାମର ପ୍ରଥମ ଅକ୍ଷରରୁ କରାଯାଇଛି। ପ୍ରଭୂର ବୃହତ୍ତର ଅର୍ଥ ମଧ୍ୟ ରହିଛି। ‘ପ୍ର’ର ଅର୍ଥ ଉତ୍କର୍ଷ, ଗତି ଓ ସର୍ବତ୍ବଭାବ ଏବଂ ‘ଭୂ’ର ଅର୍ଥ ପୃଥିବୀ, ଆଧାର, ସ୍ଥାନ, ଯଜ୍ଞାଗ୍ନି। ତେଣୁ ପ୍ରଭୂ ପବ୍ଲିକେସନ୍ସର ନାମରେ ପ୍ରତିଷ୍ଠାତାଙ୍କ ନାମ ରହିଥିବାରୁ ପ୍ରତିଷ୍ଠାତା ଏହାର ଉତ୍ତରୋତ୍ତର ଉନ୍ନତି କରିବାକୁ ସର୍ବଦା ଚେଷ୍ଟିତ ହେବେ। କାର୍ଯ୍ୟକ୍ରମର ଉଦ୍ଘାଟକ ତଥା ଲେଖକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର କହିଲେ, ମୁଁ ‘ଶ୍ରୀଜଗନ୍ନାଥ ସ୍ବାମୀ’ ଲେଖି ନାହିଁ। ନିଜେ ଜଗନ୍ନାଥ ମୋ ଦ୍ବାରା ଏ ପୁସ୍ତକ ଲେଖାଇଛନ୍ତି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ଅନେକ ମିଛ ଓ କପଳୋକଳ୍ପିତ କଥା ଜନମାନସରେ ପ୍ରଚଳିତ ଅଛି।
କିନ୍ତୁ ବାସ୍ତବ ତଥା ସତ୍ୟ କଥାକୁ ତଥ୍ୟ ସହ ସମଗ୍ର ଓଡ଼ିଆଙ୍କୁ ଜଣାଇବା ହେଉଛି ଏହି ପୁସ୍ତକ ରଚନାର ଲକ୍ଷ୍ୟ। ପ୍ରଭୂ ପବ୍ଳିକେସନ୍ସର କାନାଡା ମୁଖ୍ୟାଧିକାରୀ ପ୍ରଶାନ୍ତ ଭୂୟାଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ପ୍ରକାଶନର ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ସ୍ପଷ୍ଟ କରିଥିଲେ। ସଂସ୍ଥାର ଭାରତ ମୁଖ୍ୟାଧିକାରୀ ସରୋଜ ବଳ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନର ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟାଧିକାରୀ ଧୀରେନ୍ଦ୍ର କର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ କଥାକାର ଓ ବଂଶୀବାଦକ ପ୍ରକାଶ ମହାପାତ୍ର ବଂଶୀବାଦନ କରିଥିଲେ। ଉତ୍ସବରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ସାହିତ୍ୟିକ, ପ୍ରକାଶକ, ସମ୍ପାଦକ, ଚଳଚ୍ଚିତ୍ର ବ୍ୟକ୍ତିତ୍ବ, ପାଠକ, ପାଠିକା ଉପସ୍ଥିତ ଥିଲେ।