ହୋଲ୍‌ଡିଂ ଟିକସ ଆଦାୟ କରୁଛି ବିଏମ୍‌ସି : ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ମଲ୍ଲିକ କଂପ୍ଲେକ୍ସ

୧୭ ବର୍ଷ ହେଲା ରାସ୍ତା ଓ ନାଳ ପାଇଁ ଦହଗଞ୍ଜ

ଖଣ୍ଡଗିରି : ହୋଲ୍ଡିଂ ଟିକସ ଦେଉଛନ୍ତି ବର୍ଷକୁ ୩ ହଜାରରୁ ୮ ହଜାର ଟଙ୍କା। କିନ୍ତୁ ରାସ୍ତା, ନାଳନର୍ଦ୍ଦମା ଭଳି ସର୍ବନିମ୍ନ ସୁବିଧା ପାଇଁ ଦହଗଞ୍ଜ ହେଉଛନ୍ତି ଜାଗମରା ସ୍ଥିତ ମଲ୍ଲିକ କଂପ୍ଲେକ୍ସର ୪୫୦୦ରୁ ଊର୍ଧ୍ବ ଅଧିବାସୀ। ଏ ସଂକ୍ରାନ୍ତରେ ସେମାନେ ଲଗାତାର ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଏମ୍‌ସିର ଦୃଷ୍ଟି ଆକର୍ଷଣ କରିବା ପରେ ନାଳ ବ୍ୟବସ୍ଥା ପାଇଁ ୫ କୋଟି ଟଙ୍କା ଅନୁମୋଦିତ ହୋଇଛି। କିନ୍ତୁ ରାସ୍ତା ସମସ୍ୟା ସେହିଭଳି ରହିଛି।

ମଲ୍ଲିକ କଂପ୍ଲେକ୍ସ ୱେଲ୍‌ଫେୟାର୍‌ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି, ବିଡିଏର ଗ୍ରିନ୍‌ ଜୋନ୍‌ ଅନ୍ତର୍ଭୁକ୍ତ ଥିଲା ଜାଗମରାର ଏହି ଅଞ୍ଚଳ। ୨୦୦୯ ମସିହାରେ ୟେଲୋ ଜୋନ୍‌ ପରିବର୍ତ୍ତିତ ହେବା ପରେ ଏଠାରେ ନୂଆ ଜନବସତି ଗଢ଼ି ଉଠିଥିଲା। ପ୍ରଥମେ ରବୀନ୍ଦ୍ର ମଲ୍ଲିକ ନାମକ ଜଣେ ବ୍ୟକ୍ତି ୧୫ରୁ ୨୦ ଜଣଙ୍କୁ ଜମି ବିକ୍ରି କରି ବସତି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଜାଗମରା ଓ ବରମୁଣ୍ଡାର ଜମି ମାଲିକମାନେ ଜମି ବିକ୍ରି କରିବାରୁ ଲୋକେ କୋଠା ନିର୍ମାଣ କଲେ। ଫଳରେ ଗଢିଉଠିଲା ମଲ୍ଲିକ କଂପ୍ଲେକ୍ସ। ସରକାରୀ ନିୟମ ଅନୁଯାୟୀ, ନକ୍‌ସା ଅନୁମୋଦନ ଏବଂ ଏସଂକ୍ରାନ୍ତରେ ଆବଶ୍ୟକ ଦେୟ ଦାଖଲ ପରେ ବଡ଼ବଡ଼ କୋଠା ତିଆରି ହେଲା। ଏଠାରୁ ଏମ୍‌ସ, ଏୟାରପୋର୍ଟ, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ ଆଦିର ଦୂରତା କମ୍ ଥିବାରୁ ଏବଂ ବଜାର ମଧ୍ୟ ନିକଟରେ ଥିବାରୁ ଜମିର ଚାହିଦା ମଧ୍ୟ କାହିଁରେ କେତେ ଥିଲା। କିନ୍ତୁ ସ୍ଥିତି ଏଭଳି ହୋଇଛି ଯେ ସେହି ସ୍ଥାନକୁ ଯିବା ପାଇଁ ରାସ୍ତା ନାହିଁ। ମାଟି, କାଦୁଅ ରାସ୍ତା ଯୋଗୁଁ ଭିତରକୁ ଆମ୍ବୁଲାନ୍ସଟିଏ ମଧ୍ୟ ଆସି ପାରେ ନାହିଁ। ଏଥିଯୋଗୁଁ ବିଭିନ୍ନ ସମୟରେ ଜଟିଳ ସ୍ଥିତି ସୃଷ୍ଟି ହୁଏ। ରାସ୍ତାରେ ପାଣି ଜମି ରହୁଥିବାରୁ ଗାଡ଼ି ଚଳାଚଳ ସାଙ୍ଗକୁ ବେଳେବେଳେ ଚାଲିକି ଯିବା ସମ୍ଭବ ହୁଏ ନାହିଁ। କଲୋନିକୁ ଅତିଥି ଆମନ୍ତ୍ରଣକୁ ସହଜ ମନେ କରାଯାଏ ନାହିଁ ବୋଲି କହନ୍ତି ସ୍ଥାନୀୟ ଅଧିବାସୀ ଦୀପକ ଜେନା। ରାସ୍ତା ନିର୍ମାଣ ପାଇଁ ବିଏମ୍‌ସିକୁ କର୍ତ୍ତୃପକ୍ଷ ଗୁରୁତ୍ବ ଦିଅନ୍ତି ନାହିଁ। ୧୭ ବର୍ଷ ହେଲା ଏଠାରେ ଜଳ ନିଷ୍କାସନ ଲାଗି ନାଳ ମଧ୍ୟ ନାହିଁ। ଏହାକୁ ନେଇ ଲଗାତାର ଚାପ ପରେ ୫ କୋଟି ଟଙ୍କା ମଞ୍ଜୁର ସହିତ ନଭେମ୍ବର ମାସ ୮ ତାରିଖରେ ନାଳ ନିର୍ମାଣ ପାଇଁ ଶୁଭ ଦିଆଯାଇଛି। ଏଥିରେ ଲେନ୍‌ -୭ରୁ ମେନଡ୍ରେନ, ଲେନ -୨ରୁ ଲେନ- ୮, ଡ୍ରେନ -୧ ଏବଂ ୩ରୁ ଡ୍ରେନ-୮ ନିର୍ମାଣ କରାଯାଉଛି। ବର୍ତ୍ତମାନ ଏହି ନିର୍ମାଣ ପ୍ରକ୍ରିୟା ସମାପ୍ତ ହେବାକୁ ଅପେକ୍ଷା କରାଯାଇଛି। ସ୍ବେରେଜ ସିଷ୍ଟମ ପାଇଁ ଅଟକଳ ପ୍ରସ୍ତୁତ ହୋଇଥିଲେ ମଧ୍ୟ ବଜେଟ ପ୍ରସ୍ତୁତ ହୋଇ ନାହିଁ।

ଅନ୍ୟପକ୍ଷରେ ଏହି କଂପ୍ଲେକ୍ସରେ ୨ ମାସରେ ୪ଟି ଘରର କବାଟ ଭାଙ୍ଗି ଚୋରି ହୋଇଛି। ଏଥିଯୋଗୁଁ ଏଠାରେ ନିୟମିତ ପେଟ୍ରୋଲିଂ ପାଇଁ ଦାବି କଲୋନି ବାସିନ୍ଦା ଦାବି କରୁଛନ୍ତି। କିଛି ଦିନ ହେଲା ମଲ୍ଲିକ କଂପ୍ଲେକ୍ସରେ ୬୦ରୁ ୭୦ଟି ବୁଲା କୁକୁର ଉତ୍ପାତ କରୁଛନ୍ତି। ୨ ଦିନ ମଧ୍ୟରେ ୪ ଜଣଙ୍କୁ କୁକୁର କାମୁଡ଼ିଛି। ବୁଲା କୁକୁର ନିୟନ୍ତ୍ରଣ ପାଇଁ ବିଏମ୍‌ସି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର