ସ୍ବାୟତ୍ତ ଶାସନ ଦିବସକୁ କରୋନା ମାଡ଼, ନୂଆ ପ୍ରକଳ୍ପ ପାଇଁ ଅର୍ଥ ନାହିଁ

ଏମ୍‌ସିସି ପ୍ଲାଣ୍ଟ, ଏମ୍‌ଆର୍‌ଏଫ୍ କେନ୍ଦ୍ର ଉଦ୍‌ଘାଟନରେ ସୀମିତ ରହିବ

ଭୁବନେଶ୍ବର: ଅଗଷ୍ଟ ୩୧ରେ ବିଏମ୍‌ସି ସ୍ବାୟତ୍ତ ଶାସନ ଦିବସ ପାଳନ କରିବ। ହେଲେ ଏଥର ଜାକଜମକରେ ମାଳମାଳ ପ୍ରକଳ୍ପ ଉଦ୍‌ଘାଟନ ହେବନି କି ଶିଳାନ୍ୟାସ ହେବନି। ଏପରିକି ଇଞ୍ଜିନିୟରିଂ ବିଭାଗକୁ କେଉଁଠି କେଉଁ ପ୍ରକଳ୍ପ ହେବ, କେଉଁ ପ୍ରକଳ୍ପ ଶେଷ ହୋଇଛି ତା’ର ତାଲିକା ବି ମଗାଯାଉନି। ଇଞ୍ଜିନିୟରିଂ ବିଭାଗକୁ ଟାର୍ଗେଟ୍‌ ବି କିଛି ଦିଆଯାଇନି। ପୂର୍ବତନ କର୍ପୋରେଟର କି ବିଧାୟକମାନେ ବି ସେମାନଙ୍କ ଅଞ୍ଚଳରେ କ’ଣ ପ୍ରକଳ୍ପ ହେବ ସେନେଇ ବିଏମ୍‌ସି ଅଧିକାରୀଙ୍କୁ ଅନୁରୋଧ କରୁନାହାନ୍ତି। ତେଣୁ ଏବେ ଯେତିକି ପ୍ରକଳ୍ପ ଶେଷ ହୋଇଛି ତାହାକୁ ଉଦ୍‌ଘାଟନ କରାଯିବ। କିଛି ନୂଆ ପ୍ରକଳ୍ପର ଶିଳାନ୍ୟାସ ହେବନି ବୋଲି ଆପାତତଃ ନିଷ୍ପତ୍ତି ହୋଇଛି। କରୋନା ମାଡ଼ରେ ସ୍ବାୟତ୍ତ ଶାସନ ଦିବସ ଏଥର ଫିକା ପଡ଼ିଯିବ।

ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ତିନି ଦିନ ବ୍ୟାପୀ ରାଜଧାନୀର ବିଭିନ୍ନ ସ୍ଥାନରେ ଉଦ୍‌ଘାଟନ ଓ ଶିଳାନ୍ୟାସର ପର୍ବ କରୁଥିବା ବିଏମ୍‌ସି ଏଥର କିଛି ମିନିଟରେ କାର୍ଯ୍ୟକ୍ରମ ସାରିବାକୁ ଯୋଜନା କରିଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଏଥର ୧୧ଟି କମ୍ପୋଷ୍ଟ ପ୍ଲାଣ୍ଟ, ୧୦ଟି ଏମ୍‌ଆରଏଫ୍‌ (ମ୍ୟାଟେରିଆଲ୍‌ ରିକଭରି ଫ୍ୟାସିଲିଟି) କେନ୍ଦ୍ର ଉଦ୍‌ଘାଟନ ହେବାର ଅଛି। ଏହି ସବୁ ପ୍ରକଳ୍ପ କାମ ଶେଷ ହୋଇଛି। ତେଣୁ ଏହାକୁ ଉଦ୍‌ଘାଟନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପୌରାଞ୍ଚଳରେ ହୋଇଥିବା ପରିମଳ ବ୍ୟବସ୍ଥା ସମ୍ବନ୍ଧୀୟ ପ୍ରକଳ୍ପ, କମ୍ପୋଷ୍ଟ ପ୍ଲାଣ୍ଟ ଆଦିକୁ ଅନଲାଇନରେ ଉଦ୍‌ଘାଟନ କରିବାର ଯୋଜନା ଅଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମସ୍ତ ପ୍ରକଳ୍ପର ତାଲିକା ପଠାଯାଇଛି। ନଗର ଉନ୍ନୟନ ବିଭାଗ ଏନେଇ ପ୍ରସ୍ତୁତି କରୁଛି। ଯଦି ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଉଦ୍‌ଘାଟନ ନକରିବେ ତେବେ ବିଏମ୍‌ସି କମିସନର କିମ୍ବା ଭୁବନେଶ୍ବରର ତିନି ବିଧାୟକଙ୍କ ଦ୍ବାରା କମ୍ପୋଷ୍ଟ ପ୍ଲାଣ୍ଟ ଓ ଏମ୍‌ଆରଏଫ୍‌ କେନ୍ଦ୍ରଗୁଡ଼ିକୁ ଉଦ୍‌ଘାଟନ କରାଯିବ। ଏବେ ସାମାଜିକ କାର୍ଯ୍ୟକ୍ରମ କରିବା ଉପରେ ରୋକ୍‌ ଲାଗିଥିବାରୁ ଏବଂ ସାମାଜିକ ଦୂରତା ରଖିବା ନିତାନ୍ତ ଆବଶ୍ୟକ ଥିବାରୁ ବିଏମ୍‌ସି ଚାହୁଁନି ଯେ, କୌଣସି ପ୍ରକଳ୍ପ ଉଦ୍‌ଘାଟନ ସମୟରେ ଅଧିକ ଗହଳି ହେଉ। ତେଣୁ ସମସ୍ତ କାର୍ଯ୍ୟକ୍ରମ ଭର୍ଚୁଆଲ ଉପାୟରେ କିମ୍ବା କମ୍‌ ଲୋକଙ୍କୁ ନେଇ କରିବା ନେଇ ଆଲୋଚନା ଚାଲିଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ସୈନିକସ୍କୁଲ ନିକଟସ୍ଥ ଟିଟିଏସ୍‌ରେ ଗୋଟିଏ, ପ୍ରଶାନ୍ତି ବିହାରରେ ଗୋଟିଏ, ନିକୋ ପାର୍କରେ ତିନିଟି, ୟୁନିଟ-୮ରେ ଦୁଇଟି, ଲକ୍ଷ୍ମୀସାଗରରେ ଦୁଇଟି, ବଡ଼ଗଡ଼ରେ ଗୋଟିଏ କମ୍ପୋଷ୍ଟ ପ୍ଲାଣ୍ଟର ଉଦ୍‌ଘାଟନ କରାଯିବ। ୧୦ଟି କମ୍ପୋଷ୍ଟ ପ୍ଲାଣ୍ଟ ୫ଟିପିଡିର ହୋଇଥିବାବେଳେ ଗୋଟିଏ ୩ଟିପିଡିର। କେଉଁ ୱାର୍ଡରେ କେତେ ଆବର୍ଜନା ବାହାରୁଛି ତାହାକୁ ନଜରରେ ରଖି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଛି। ରାଜଧାନୀରେ ମୋଟ୍‌ ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ହେବାକୁ ଥିବାବେଳେ ୨୬ଟିର କାମ ଆରମ୍ଭ ହୋଇଥିଲା। ଏଥିରୁ ୧୧ଟିର କାମ ଶେଷ ହୋଇଛି। ଏହି କମ୍ପୋଷ୍ଟ ପ୍ଲାଣ୍ଟରେ ଆବର୍ଜନାରୁ ଖତ ବାହାରିବ। ଏହାକୁ ଲୋକଙ୍କୁ ବିକ୍ରି କରାଯିବ। ସେହିପରି ୧୦ଟି ଏମ୍‌ଏଆରଏଫ୍‌ କେନ୍ଦ୍ରରେ ଆବର୍ଜନା ପୃଥକୀକରଣ କରିବା ସହ ଏଠାରୁ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରି ବିଶୋଧନ କରାଯିବ। ଏହାକୁ ବିଭିନ୍ନ ରାସ୍ତା କାମରେ ବ୍ୟବହାର କରାଯିବ। ଏହାସହ ବିଭିନ୍ନ କମ୍ପାନିକୁ ବିକ୍ରି କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସ୍ବଚ୍ଛ ଭାରତ ଅଭିନଯାନରେ ବିଏମ୍‌ସିକୁ ଆସନ୍ତାବର୍ଷ ଭଲ ରୢାଙ୍କ ମିଳିବ। ଅପରପକ୍ଷେ କରୋନା ଯୋଗୁଁ ବିଏମ୍‌ସିର ରାଜସ୍ବ ଆଦାୟ ପ୍ରଭାବିତ ହୋଇଛି। ରାଜ୍ୟ ସରକାର ବି ନୂଆ ପ୍ରକଳ୍ପ ଆରମ୍ଭ ଉପରେ ରୋକ୍‌ ଲଗାଇଛନ୍ତି। କୌଣସି ପ୍ରକଳ୍ପ ପାଇଁ ଅର୍ଥ ମିଳିବାର ନଥିବାରୁ ବିଏମ୍‌ସି ନୂଆ ପ୍ରକଳ୍ପ କରିବାକୁ ଆଗ୍ରହ ଦେଖାଇନି। ଏପଟେ ନିଜ ସଞ୍ଚିତ ପୁଞ୍ଜିରୁ ବିଏମ୍‌ସି ଅଧିକ ଖର୍ଚ୍ଚ କରିବାକୁ ଚାହୁଁନି। ତେଣୁ ନୂଆ କିଛି ପ୍ରକଳ୍ପ ହେବାର ନାହିଁ। ଚଳିତ ବଜେଟରେ ଯେଉଁ ଯେଉଁ ପ୍ରକଳ୍ପ ହେବ ବୋଲି ଅର୍ଥ ବରାଦ ହୋଇଥିଲା ସେହି ସେହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅର୍ଥ ଦେଇନାହାନ୍ତି। ତେଣୁ ଯେଉଁଗୁଡ଼ିକ ଅତ୍ୟାବଶ୍ୟକ, ଯେଉଁଠି ରାସ୍ତା, ଡ୍ରେନ୍‌ ମରାମତି ଆବଶ୍ୟକ ଅଛି, ଯେଉଁଠି ବକେୟା ବିଲ୍‌ ଦେବାର ଅଛି ସେଗୁଡ଼ିକ ପାଇଁ ଅର୍ଥ ଖର୍ଚ୍ଚ ହେବ। ବିଏମ୍‌ସି ନୂଆ ପ୍ରକଳ୍ପ କରିବନି ବୋଲି ନିଷ୍ପତ୍ତି ହୋଇଛି। ପ୍ରତିବର୍ଷ କିଛି ନା କିଛି ପ୍ରକଳ୍ପର ଶିଳାନ୍ୟାସ ହେଉଥିବାରୁ ତିନି ଦିନବ୍ୟାପୀ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ହେଉଥିବାରୁ ବିଏମ୍‌ସିର କିଛି ଅଧିକାରୀ ପୂର୍ବରୁ ଯୋଜନା ହୋଇଥିବା କିଛି ଡ୍ରେନ୍‌ର ଶିଳାନ୍ୟାସ, ପାର୍କର ଶିଳାନ୍ୟାସ କରିବାକୁ ଚାହୁଁଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି। ଯଦି କିଛି ଅର୍ଥ ମଞ୍ଜୁର ହେଲା ତେବେ କିଛି ପ୍ରକଳ୍ପର ଶିଳାନ୍ୟାସ ହେବାର ସମ୍ଭାବନା ଅଛି। ହେଲେ ବର୍ତ୍ତମାନ ପରିସ୍ଥିତିରେ ଏହି ସମ୍ଭାବନା କମ୍‌ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର