ଅପରେସନ୍‌ ପାଇଁ ଟଙ୍କା ନାହିଁ, ପୁଅ ପଡ଼ିଛି ଗୁହାରିଆ

ଭୁବନେଶ୍ୱର: ସଂସାର କରିବା ଦି’ ବର୍ଷ ହେଇନି। ହେଲେ ଅଲକ୍ଷଣା ରୋଗଟା ମୋ ପୁଅର ଜୀବନକୁ ଛାରଖାର କରିଦେଲା। ପୁଅର ବ୍ରେନ୍‌ ଟ୍ୟୁମର ହେଇଛି ଜାଣିବା ପରେ ଜମି ବିକି ଅପରେସନ୍‌ କଲି। ଶେଷରେ ଡାକ୍ତରବାବୁ ବି ମତେ ଠକିଦେଲେ। ଜମିବାଡ଼ି ବିକି ୨ ଲକ୍ଷ ଖର୍ଚ କଲି। କିନ୍ତୁ  ପୁଣି ରୋଗ ବାହାରିଛି। ଡାକ୍ତର କହୁଛନ୍ତି ଆହୁରି ଦେଢ଼ ଲକ୍ଷ ଦରକାର। ମୁଁ କିନ୍ତୁ ପାରୁନି। ବିଧାୟକଙ୍କ ପାଖକୁ ଦୌଡ଼ିଦୌଡ଼ି ସେଠୁ ବି ନିରାଶ ହେଲି। ହାତରେ ଅପରେସନ୍‌ ପାଇଁ ଟଙ୍କା ନଥିବାରୁ ସବୁ ଭଗବାନଙ୍କ ଉପରେ ଛାଡ଼ି ଦେଇଛି। ରୋଗ ଭଲ ପାଇଁ ପୁଅ ବାଧ୍ୟ ହୋଇ ଗାଁ ପାଖ ବାୟାବାବା ଠାକୁରଙ୍କ ପାଖେ ଗୁହାରିଆ ପଡ଼ିଛି। ଭେଣ୍ଡା ପୁଅକୁ ଭଲ କରିବାର ସବୁ ଆଶା ତୁଟିବା ପରେ ଲୁହ ଛଳଛଳ ଆଖିରେ ଏପରି କରୁଣ ଅଭିବ୍ୟକ୍ତି ରଖିଛନ୍ତି ଗୋପାଳ ଚନ୍ଦ୍ର ମହାନ୍ତି।

ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଗୋଲାପୁର ଗ୍ରାମର ଗୋପାଳ ଜଣେ ମତ୍ସ୍ୟଜୀବୀ ଭାବେ ଚିଲିକାରେ ମାଛ ମାରି ପରିବାର ଚଳାଉଥିଲେ।  ୨ ବର୍ଷ ତଳେ ତାଙ୍କ ପୁଅ ମୁକେଶ ମହାନ୍ତି (୨୫)ଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ଆରମ୍ଭ ହୋଇଥିଲା। ଏନେଇ ସେ ପୁରୀ ମେଡିକାଲ୍‌, କ୍ୟାପିଟାଲ ହସ୍ପିଟାଲ୍‌ ସବୁଠି ପରାମର୍ଶ କଲେ। ପ୍ରାଥମିକ ସ୍ତରରେ ରୋଗ ଜଣା ପଡ଼ିନଥିଲେ ହେଁ ପରେ ରିପୋର୍ଟ୍‌ରୁ ବ୍ରେନ୍‌ ଟ୍ୟୁମର ବୋଲି ବାହାରିଥିଲା। ପୁଅର ଏଭଳି ରୋଗ କଥା ଶୁଣି ଗୋପାଳ ନିଜ ଭାଇ ଭାଗ ଜମି ଖଣ୍ଡକ ବିକି ଦେଲେ। ଏକ ଘରୋଇ ହସ୍ପିଟାଲ୍‌ରେ ଡାକ୍ତରଙ୍କ ପରାମର୍ଶ ମୁତାବକ ଅପରେସନ୍‌ କରାଇଲେ। ମାତ୍ର ୬ ମାସ ଯାଇଛି କି ନାହିଁ ଅବସ୍ଥା ଏବେ ପୁଣି ସେଇଆ। ଡାକ୍ତରଙ୍କୁ ଦେଖାଇବାରୁ ଆହୁରି ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କା ଖର୍ଚ ହେବ ବୋଲି କହିବା ପରେ ଗୋପାଳ ଏକଦମ ଭାଙ୍ଗି ପଡ଼ିଛନ୍ତି। ପୁଅକୁ ଭଲ କରିବା ପାଇଁ ସେ ବିଧାୟକ ସଂଜୟ ଦାସବର୍ମାଙ୍କୁ ସାକ୍ଷାତ କରିଥିଲେ। ଶ୍ରୀ ଦାସବର୍ମା ତାଙ୍କ ପୁଅକୁ ଦେଖି ୫ହଜାର ଟଙ୍କାର ସହାୟତା ଦେବାକୁ ଚାହିଁଥିଲେ। ମାତ୍ର ଗୋପାଳ ଟଙ୍କା ଗ୍ରହଣ ନକରି ପୁଅକୁ ଭଲ କରି ଦେବା ପାଇଁ ଗୁହାରି କରିଥିଲେ। ତେଣୁ ସେ ପୁଅର ରିପୋର୍ଟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରାଇ ସହଯୋଗ ଯୋଗାଇ ଦେବେ ବୋଲି ଗୋପାଳଙ୍କୁ କହିଥିଲେ। ମାତ୍ର ତାହା ବି ଏଯାଏ ହୋଇପାରିଲାନି। ଓଏସ୍‌ଟିଏଫ୍‌୍‌ ଯେମିତି ଗୋପାଳଙ୍କ ଭଳି ଜଣେ ଦିନ ମଜୁରିଆଙ୍କ ପୁଅ ପାଇଁ ପ୍ରହସନ ହୋଇଗଲା।

ଏବେ ପୁଅର ଅବସ୍ଥା ଧୀରେଧୀରେ ବିଗିଡ଼ିବାରେ ଲାଗିଛି।  ଦୁଇ ବର୍ଷ ତଳେ ବାହା ହୋଇଥିବା ମୁକେଶଙ୍କ ପତ୍ନୀ ଦିନୁମଣିଙ୍କ ପେଟରେ ତାଙ୍କର ପିଲା ବଢ଼ୁଛି। ଏଭଳି ସମୟରେ ବାପାଙ୍କୁ ବେଉସାରେ ସହଯୋଗ କରୁଥିବା ମୁକେଶଙ୍କୁ କିଛି ବୁଦ୍ଧିବାଟ ଦିଶୁନି। ଗରିବଙ୍କ ସ୍ୱାସ୍ଥ୍ୟ ପାଇଁ ମାଳମାଳ ଯୋଜନା ହେଉଥିବା ବେଳେ ମୁକେଶକୁ ଗାଁ ପାଖ ବାୟାବାବା ହିଁ ଏକମାତ୍ର ସାହା ହେବେ ବୋଲି ସେ ଧରିନେଇଛନ୍ତି। ତେଣୁ ଟଙ୍କା ଯୋଗାଡ଼ କରିବାକୁ ଯାଇ ନିରାଶ ହେବା ପରେ ସେଇଠି ଗୁହାରିଆ ପଡ଼ିବା ହିଁ ସାର ହୋଇଛି। ମଣିଷର ଯେତେବେଳେ ସବୁ ଆଶା ତୁଟିଯାଏ ସେ ବା ଆଉ କ’ଣ କରିପାରନ୍ତା।   ଏଭଳି ଦୁର୍ଦିନରେ ତାଙ୍କୁ ସହଯୋଗ କରିବା ପାଇଁ  ବାପା ଗୋପାଳ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି। ମୁକେଶଙ୍କୁ ଆପଣଙ୍କର କିଞ୍ଚିତ ସାହାଯ୍ୟ ଦୁଇଦୁଇଟା ସଂସାରକୁ ଉଚ୍ଛନ୍ନ ହେବା ଆଗରୁ ବଞ୍ଚେଇ ଦେଇପାରିବ। ବଦାନ୍ୟ ବ୍ୟକ୍ତିମାନେ ମୋବାଇଲ୍‌ ନଂ ୮୯୦୮୬୫୧୫୨୭ରେ ଯୋଗାଯୋଗ କରିବାକୁ ଗୋପାଳ ନିବେଦନ କରିଥିବାବେଳେ  ଜଗା-ବଳିଆଙ୍କ ପାଇଁ ୨ କୋଟି ଦାନ କରି ପାରୁଥିବା ଦରଦୀ ମୁଖ୍ୟମନ୍ତ୍ରୀ ଜଣେ ଦିନ ମଜୁରିଆକୁ  ଅଣଦେଖା କରିବେନି ବୋଲି ଭରସା କରି ରହିଛନ୍ତି ଗୋପାଳଙ୍କ ପରିବାର।

ସମ୍ବନ୍ଧିତ ଖବର