କରୋନା କାବୁରେ ଆସିନି ୟୁନିଟ୍‌-୮

ୱାର୍ଡ ୪୭ରେ ମାତ୍ର ୧୪ ଆକ୍ରାନ୍ତ, ୱାର୍ଡ ୨୬‌‌ରେ ୨୩ଜଣ

ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଛୁଇଁବାକୁ ଯାଉଛି। ଗଳିକନ୍ଦିରେ କରୋନା ଆକ୍ରାନ୍ତ ଛାଇଗଲେଣି। ଲୋକ ଘରୁ ବାହାରିଲେ କେଉଁ ଅଞ୍ଚଳକୁ ଯିବେ, କେଉଁଆଡ଼େ ଯିବେନି ତାହା ଭାବୁଛନ୍ତି। ଭୁବନେଶ୍ବର ଗତ କିଛି ମାସ ହେଲା ରେଡ୍‌-ଜୋନ୍‌ରେ ଥିଲେ ହେଁ ଏଠାରେ ଏମିତି ବି କିଛି ଅଞ୍ଚଳ ଅଛି ଯେଉଁଠି କରୋନା କାଁଭାଁ ଲୋକଙ୍କୁ ହୋଇଛି। ରାଜଧାନୀରେ ବି ଏମିତି ଅଞ୍ଚଳ ଅଛି ବୋଲି ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ୟୁନିଟ-୮ ଅଞ୍ଚଳରେ ସବୁଠୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଏମ୍‌ସିର ୱାର୍ଡ-୪୭ରେ ସବୁଠୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଅଗଷ୍ଟ ୩୦ ସୁଦ୍ଧା ମାତ୍ର ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୭ଜଣ ସୁସ୍ଥ ହୋଇଥିବାବେଳେ ୭ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଅଧିକାଂଶ ୱାର୍ଡରେ ୧୦୦ରୁ ଅଧିକ ଆକ୍ରାନ୍ତ ଏପରିକି କେତେକ ୱାର୍ଡରେ ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ମାତ୍ର ୧୪ଜଣ ଆକ୍ରାନ୍ତ ଚିହ୍ନଟ ହେବା ଆଶ୍ଚର୍ଯ୍ୟକର।

ଗୋପବନ୍ଧୁ ନଗର, ରାଜଭବନ କଲୋନି, ଇ-ଟାଇପ୍ କ୍ବାର୍ଟର୍ସ, ୨ଆର୍ଏ ଏବଂ ୨ଆରବି କ୍ବାର୍ଟର୍ସ, ଏଫ୍‌ ଟାଇପ୍ କ୍ବାର୍ଟର୍ସ, ମାଇକ୍ରୋୱେଭ୍ କଲୋନି, ଓସିସି କଲୋନି, ସିବିଆଇ କଲୋନି, ଜୟଦୁର୍ଗା କଲୋନି, ପିପିଏଲ କଲୋନି, ଏକ୍ସପ୍ରେସ କଲୋନି, ଓଏମ୍‌ସି କଲୋନି, ଡିପିଆଇ କଲୋନି, ୨ଆର୍ଏ କ୍ବାର୍ଟର୍ସ ଆଦି ଅଞ୍ଚଳକୁ ନେଇ ୱାର୍ଡ ୪୭ଗଠନ ହୋଇଛି। ଏଠାରେ ୧୧୬୩୮ ଜଣ ଲୋକ ବାସ କରୁଛନ୍ତି। ଏତେ ଲୋକ ରହୁଥିଲେ ବି ଏଠାରେ କରୋନା ମାଡ଼ିନି। ଯେଉଁ ୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେଥିରୁ ଅଧିକାଂଶ ସିବିଆଇ କଲୋନିର ବୋଲି ଜଣାପଡ଼ିଛି। କେବଳ ୱାର୍ଡ ୪୭ ନୁହେଁ, ୱାର୍ଡ-୨୬ରେ ବି କରୋନା ଦୌରାତ୍ମ୍ୟ ନାହିଁ। ନୀଳଚକ୍ରନଗର, ତାରିଣୀ ନାଗର (କିଛି ଅଂଶ), ଶରଣାପଲ୍ଲୀ, ଦାସରଥୀ ଆପାର୍ଟମେଣ୍ଟ, ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ ଆଦି ଅଞ୍ଚଳରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍‌। ଏଠାରେ ମାତ୍ର ୨୩ଜଣଙ୍କୁ କରୋନା ହୋଇଛି। ସାଲିଆସାହିରେ କରୋନା ଅଣାୟତ୍ତ ହୋଇଥିଲେ ବି ଏହି ଅଞ୍ଚଳରେ କରୋନା ପୂରା ନିୟନ୍ତ୍ରଣରେ ଅଛି। ଏଠାରେ ୧୨୧୬୭ଜଣ ଲୋକ ରହୁଥିବା ବେଳେ କରୋନା ଏଠାରେ ନିୟନ୍ତ୍ରଣରେ ଅଛି। ୱାର୍ଡ-୧ରେ ମାତ୍ର ୫୧ଜଣଙ୍କୁ କରୋନା ହୋଇଛି। ପ୍ରଶାନ୍ତିବିହାର, ପ୍ରଶାନ୍ତିବହାର ହାଉସିଂବୋର୍ଡ ଅଞ୍ଚଳ, ଚିରଖୋଲ ଟୋଲି ବସ୍ତି, ଇନଫୋସିଟି ଥାନା ଅଞ୍ଚଳ, କିଟ୍‌ ହଷ୍ଟେଲ, ୱେଷ୍ଟର୍ଣ୍ଣ ଆପାର୍ଟମେଣ୍ଟ, ସିଲିକନ୍‌ କଲେଜ ଓ ଫ୍ୟୁଚର ଭୁବନେଶ୍ବର ସ୍କୁଲ ଅଞ୍ଚଳ ଆଦିରେ ୧୨୩୭୮ଜଣ ଲୋକ ରହୁଥିବାବେଳେ ମାତ୍ର ୫୧ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୮ଜଣ ସୁସ୍ଥ ହୋଇଯାଇଥିବାବେଳେ ଏବେ ୧୩ଜଣ ଆକ୍ରାନ୍ତ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ରାଜଧାନୀର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ ପାଲଟିଛି ନୂଆପଲ୍ଲୀ ଓ ଆଇଆରସି ଭିଲେଜ ଅଞ୍ଚଳକୁ ନେଇ ଗଠିତ ୱାର୍ଡ ୨୭। ଏଠାରେ ୧୨୦୩୯ଜଣ ବାସ କରୁଥିବା ବେଳେ ଅଗଷ୍ଟ ୩୦ ସୁଦ୍ଧା ୬୩୨ଜଣ କରୋନା ଆକ୍ରାନ୍ତ ହୋଇସାରିଲେଣି। ଏଥିରୁ ୨୪୭ଜଣ ଏବେ ଆକ୍ରାନ୍ତ ଥିବା ବେଳେ ୩୮୫ଜଣ ସୁସ୍ଥ ହୋଇସାରିଲେଣି।

ସମ୍ବନ୍ଧିତ ଖବର