କଟକ: ଏସ୍‌ସିବିରେ ଆଉ ହେବନି ଲିଭର ପ୍ରତିରୋପଣ। ଏସ୍‌ସିବି କର୍ତ୍ତୃପକ୍ଷ ବାରମ୍ବାର ଚିଠି ଲେଖିବା ପରେ ବି ହାଇଦ୍ରାବାଦ୍‌ସ୍ଥିତ ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି)ରୁ ଉତ୍ତର ଆସୁନି। ଫଳରେ ଏସ୍‌ସିବି ପକ୍ଷରୁ ଏବେ ଏ ସଂକ୍ରାନ୍ତରେ ଡିଏମ୍‌ଇଟିଙ୍କୁ ଚିଠି ଲେଖାଯାଇଛି। ପୂର୍ବ ସରକାର ଅମଳରେ ‌ଏସ୍‌ସିବିରେ ଲିଭର ପ୍ରତିରୋପଣ ପାଇଁ ଏଆଇଜି ସହ ଚୁକ୍ତି ହୋଇଥିଲା। ‌‌କିନ୍ତୁ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। 

Advertisment

ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦୧୨ରେ ଆରମ୍ଭ ହୋଇଥିଲା ଲିଭର ପ୍ରତିରୋପଣ ଯୋଜନା।  ଉପକରଣ କିଣାରେ ୩କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା। ୨୦୨୪ରେ ଦୁଇଟି ଲିଭର ପ୍ରତିରୋପଣ ହେଲା। ହେଲେ ତା’ ପରଠୁ ସବୁ ବନ୍ଦ। ଲିଭର ପ୍ରତିରୋପଣ ପାଇଁ ପଞ୍ଜୀକରଣ କରିଥିବା ୧୨ରୁ ଅଧିକ ରୋଗୀ ଆଖିବୁଜିଲେଣି। ୨ବର୍ଷ ହେଲା ଏସ୍‌ସିବି‌ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ଏବେ ବିଶେଷଜ୍ଞ ବି ନାହାନ୍ତି। କୋଟିଏ ଟଙ୍କା ବ୍ୟୟରେ ପ୍ରସ୍ତୁତ ମଡ୍ୟୁଲାର୍‌ ଓଟିରେ ବି ତାଲା ପଡ଼ିଛି। ଲିଭର ପ୍ରତିରୋପଣ ପାଇଁ ପୂର୍ବରୁ ତାଲିମ ନେଇଥିବା ୪ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ଏସ୍‌ସିବି ଅଣାଯାଇଥିଲା। ସେଥିରୁ ଜଣେ ଡାକ୍ତରଙ୍କୁ ଫୁଲବାଣୀକୁ ବଦଳି କରାଯାଇଥିବା ବେଳେ ଅନ୍ୟ ୩ଜଣ ଡାକ୍ତର ହାତବାନ୍ଧି ବସିଛନ୍ତି। ଏଥିପାଇଁ ନିଯୁକ୍ତ ନର୍ସ ତଥା ପାରାମେଡିକାଲ କର୍ମଚାରୀଙ୍କ ପାଇଁ ବି କାମ ନଥିବା କୁହାଯାଉଛି।

ଏପଟେ ଏମ୍‌କେସିଜି ବ୍ରହ୍ମପୁରରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ରହିଥିବାବେଳେ ଏସ୍‌ସିବି ଭଳି ରାଜ୍ୟର ସବୁଠାରୁ ବଡ଼ ରେଫରାଲ୍‌ ହସ୍ପିଟାଲରେ ଗୋଟିଏ ବିଭାଗକୁ ବିଶେଷଜ୍ଞ ଶୂନ୍ୟ କରି ଅନ୍ୟ ବିଭାଗରୁ ଡାକ୍ତରଙ୍କୁ ଆଣି ଡେପୁଟେସନ୍‌ରେ କାମ ଚଳାଇବା ନେଇ ଅଭିଯୋଗ ହୋଇ ଆସୁଛି। ଲିଭର ପ୍ରତିରୋପଣ ବନ୍ଦ ଯୋଗୁଁ ଏହି ୟୁନିଟ୍‌ ପାଇଁ ଥିବା ୪ଟି ଆଇସିୟୁ, ମଡ୍ୟୁଲାର ଓଟି ଓ ବିଭିନ୍ନ ଉପକରଣ ଟ୍ରମା କାଜୁଆଲିଟିର ଚତୁର୍ଥ ମହଲ‌ାରେ ପଡ଼ି ରହିଛି।  ଏସ୍‌ସିବି‌ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ଜଣେ କନିଷ୍ଠ ଡାକ୍ତର ଓ ଅନ୍ୟ ବିଭାଗର ଡାକ୍ତରଙ୍କ ଭରସାରେ ଚାଲିଛି।