ଭୁବନେଶ୍ବର: କିଛିଲୋକ ଦୁନିଆକୁ ଆସନ୍ତି ଖୁବ୍ କମ୍‌ ସମୟ ପାଇଁ, କିନ୍ତୁ ହଜିଯିବା ଆଗରୁ ସେଇ ସୀମିତ ସମୟ ଭିତରେ ‘ଉଲ୍‌କା’ ଭଳି କ୍ଷଣକ ପାଇଁ ହେଲେ ବି ଆଖପାଖକୁ ଆଲୋକିତ କରିଯାଆନ୍ତି। ଏବେ ଯେଉଁ ଧରଣର ଓଡ଼ିଆ ଫିଲ୍ମ ତିଆରି ହେଉଛି, ପ୍ରାୟ ୪୩ ବର୍ଷ ତଳେ ଏମିତି ଏକ ଥିମ୍‌କୁ ନେଇ ‘ଉଲ୍‌କା’ ଶୀର୍ଷକରେ ଓଡ଼ିଆ ଫିଲ୍ମଟିଏ ଆସିଥିବ ବୋଲି ବିଶ୍ବାସ ହେଉଛି ଆପଣଙ୍କର? ବଡ଼କଥା ହେଉଛି, ୧୯୮୧ରେ ରିଲିଜ୍‌ ହୋଇଥିବା ‘ଉଲ୍‌କା’ ତଥାକଥିତ କଳାତ୍ମକ ଫିଲ୍ମ ନଥିଲା, ବଡ଼ ବଜେଟ୍‌ରେ ତା’କୁ ବିଧିବଦ୍ଧ ଭାବେ ବ୍ୟାବସାୟିକ ଫିଲ୍ମ ଭାବେ ତିଆରି କରା ଯାଇଥିଲା। ଓଡ଼ିଆ ସିନେମାର ଆଦ୍ୟଭାଗର ଅନେକ ଫିଲ୍ମ ଭଳି ‘ଉଲ୍‌କା’ର ପ୍ରିଣ୍ଟ୍ ମଧ୍ୟ ହଜି ଯାଇଥିଲା। ବହୁ ଖୋଜାଖୋଜି ପରେ ଯାହା ମିଳିଲା, ତାହାର ସ୍ଥିତି ଅତି ଖରାପ ଥିଲା। ତେବେ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ସିନେମାର ରିଷ୍ଟୋରେସନ୍‌ କରାଯାଇ ଆସନ୍ତା‌କାଲି, ଅର୍ଥାତ୍‌ ଜୁଲାଇ ୧୯ ତାରିଖରେ ଜୟଦେବଭବନରେ ଏହାର ସ୍କ୍ରିନିଂ କରାଯାଉଛି।

Advertisment

ଫୋରମ୍‌ର ମୁଖ୍ୟ ସୂର୍ଯ୍ୟ ଦେଓ କହିଛନ୍ତି, ‘ଉଲ୍‌କା’ର ପ୍ରିଣ୍ଟ୍‌ ହଜି ଯାଇଛି ବା ନଷ୍ଟ ହୋଇ ଯାଇଛିବୋଲି ପ୍ରଥମେ ଧରି ନିଆଯାଇଥିଲା। ତେବେ ବହୁତ ଖୋଜାଖୋଜି ପରେ ବ୍ରହ୍ମପୁରର ଉତ୍କଳ ସିନେମାରେ ଏହାର ଏକ ପ୍ରିଣ୍ଟ୍‌କୁ ଠାବ କରାଯାଇଥିଲା। ପ୍ରଥମେ ସେ ପ୍ରିଣ୍ଟ୍‌କୁ ରି‌ଷ୍ଟୋର୍‌ କରିବାକୁ ‌ଚେଷ୍ଟା କରାଯାଇଥିଲା। କିନ୍ତୁ ଯେତିକି କରା ଯାଇପାରିଲା, ତାହା ପ୍ରଦର୍ଶନଯୋଗ୍ୟ ହେଲାନି। ଆହୁରି ଖୋଜାଖୋଜି ପରେ ସିନେମାର ଏକ ୟୁମେଟିକ୍‌ କ୍ୟାସେଟ୍‌ ମିଳିଲା। ତା’କୁ ଅତି ଯତ୍ନର ସହିତ ସଫାସଫି କରିବାପରେ ଫିଲ୍ମଟିକୁ ରିଷ୍ଟୋର୍‌ କରାଯାଇଛି ଏବଂ ତାହା ହିଁ ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଦର୍ଶିତ ହେବ। ‘ଉଲ୍‌କା’ ପଛରେ ଏକାଧିକ ଚମକପ୍ରଦ କଥା ଅଛି, ଯାହା ସବୁ ଓଡ଼ିଆ ଜାଣିବା ଉଚିତ।

ବାଗ୍ମୀ ବିଶ୍ବନାଥ କରଙ୍କ ପରାମର୍ଶକ୍ରମେ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଓ ପ୍ରଚାର ପାଇଁ କଟକର ରାମଚନ୍ଦ୍ର କର ପ୍ରତିଷ୍ଠା କରିଥିଲେ ‘ଓଡ଼ିଶା ବୁକ୍‌ ଏମ୍ପୋରିୟମ୍‌’। ରାମଚନ୍ଦ୍ର କରଙ୍କ ଅନ୍ତେ ଏହି ସଂସ୍ଥାର ଦାୟିତ୍ବ ନେଇଥିଲେ ତାଙ୍କ ପୁଅ ଦେବବ୍ରତ କର। ଦେବବ୍ରତ ଥିଲେ କଳାନୁରାଗୀ। ତାଙ୍କର ଜଣେ ଭଣଜା ଥିଲେ- ସୂର୍ଯ୍ୟ ମିଶ୍ର। ସୂର୍ଯ୍ୟ ମିଶ୍ର ଆମେରିକାରେ ଏକ ବଡ଼ ଚାକରି କରୁଥିଲେ। କିନ୍ତୁ କିଛିବର୍ଷ ପରେ ଚାକିରି ଛାଡ଼ି ଓଡ଼ିଶା ଫେରି ଆସି‌ଲେ। ଓଡ଼ିଆ ଫିଲ୍ମ ତିଆରି କରିବା ତାଙ୍କର ସ୍ବପ୍ନ ଥିଲା। ତେଣୁ ସେ ମାମୁଙ୍କୁ ଏକ ପ୍ରଯୋଜନା ସଂସ୍ଥା ଆରମ୍ଭ କରିବାଲାଗି ପ୍ରସ୍ତାବ ଦେଇଥିଲେ। ଭଣଜାଙ୍କ ଆଗ୍ରହ ଓ ନିଜ କଳାନୁରାଗ କାରଣରୁ ଦେବବ୍ରତ କର ନିଜ ପତ୍ନୀଙ୍କ ନାଁରେ ଆରମ୍ଭ କରିଥିଲେ ‘ରାଜଲକ୍ଷ୍ମୀ ପ୍ରଡକ୍ସନ୍‌ସ’। ‘ଉଲ୍‌କା’ ଥିଲା ଏହି ସଂସ୍ଥାର ପ୍ରଥମ ଅବଦାନ। ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସୂର୍ଯ୍ୟ ମିଶ୍ର ଓ ରାଜୁ ମିଶ୍ର। ଏକ ଆମେରିକୀୟ ଟେଲିଭିଜନ୍‌ ସିରିଜ୍‌ ‘ୱେଲ୍‌କମ୍‌ ବ୍ୟାକ୍‌ କଟର୍‌’ର ଛାୟାରେ ଏହାର କାହାଣୀ ଲେଖିଥିଲେ ନିଜେ ସୂର୍ଯ୍ୟ ମିଶ୍ର। ସଂଳାପ ପ୍ରସ୍ତୁତ କରିଥିଲେ ବ୍ୟୋମକେଶ ତ୍ରିପାଠୀ। ଏ ଫିଲ୍ମରେ ଅଭିନୟ କରିଥିବା ମହାଶ୍ବେତା, ଗ୍ଲୋରିଆ ମହାନ୍ତି, ବ୍ୟୋମକେଶ ତ୍ରିପାଠୀ ଓ ରାଧା ପଣ୍ଡାଙ୍କ ବ୍ୟତୀତ ଅନ୍ୟସବୁ କଳାକାର ଥିଲେ ନବାଗତ, ଯେମିତିକି ବିନୋଦ ମିଶ୍ର, ରାଜୁ ଷଡ଼ଙ୍ଗୀ, ହରିତସ୍ୟ ଆଚାର୍ଯ୍ୟ ଓ ବିବେକ ଶତପଥୀ ପ୍ରମୁଖ।

ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ଏଥିରେ ଦୁଇଜଣ ପ୍ରଫେସର ଅଭିନୟ କରିଥିଲେ- ବିଶିଷ୍ଟ ପ୍ରବଚକ ପ୍ରଫେସର ରଜତ କର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଇଂରାଜୀ ପ୍ରଫେସର ହରିହର ଦାଶ। ଏଥିଲା ଉଭୟଙ୍କର ପ୍ରଥମ ଓ ଶେଷ ସିନେ-ଅଭିନୟ। ପରବର୍ତୀ ଜୀବନରେ ବିଶିଷ୍ଟ ସାଂବାଦିକ ଭାବେ ପରିଚିତ ହୋଇଥିବା ସମ୍ପଦ ମହାପାତ୍ର ଥିଲେ ଏହାର କଳାନିର୍ଦ୍ଦେଶକ, ପୁଣି ଅନ୍ୟତମ ସହନିର୍ଦ୍ଦେଶକ ଥିଲେ ଶଙ୍କର ବସୁମଲ୍ଲିକ। ‘ଉଲ୍‌କା’ରେ ସଙ୍ଗୀତକୁ ବହୁ ଗୁରୁତ୍ବ ଦିଆଯାଇଥିଲା। ଏହାର ସବୁ ଗୀତ ମୁମ୍ବାଇର ମେହବୁବ୍‌ ଷ୍ଟୁଡିଓରେ ରେକର୍ଡିଂ ହୋଇଥିଲା। ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବ ନେଇଥିଲେ ରାଜୁ ମିଶ୍ର ଓ ବିଭୁ ମହାନ୍ତି। ଭୂପିନ୍ଦର ସିଂହ, ଶିବ କୁମାର ଶର୍ମା ଓ ହରିପ୍ରସାଦ ଚୌରାସିଆଙ୍କୁ ନେଇ ବଲିଉଡ୍ ସଙ୍ଗୀତକାର ଆର୍‌ଡି ବର୍ମନ୍‌ଙ୍କର ପୂରା ଟିମ୍‌ ‘ଉଲ୍‌କା’ ସହିତ ସଂପୃକ୍ତ ଥିଲେ। ସଂପୃକ୍ତ ଥିଲେ ମଧ୍ୟ ପରବର୍ତୀ ସମୟରେ ‘ଦିଲ୍‌ ତୋ ପାଗଲ୍ ହୈ’ ଓ ‘ଗଦ୍ଦର୍‌’ ଭଳି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଉତ୍ତମ ସିଂହ। ହଁ, ବଲିଉଡ୍‌ କ୍ଲାସିକ୍‌ ବ୍ଲକ୍‌ବଷ୍ଟର୍‌ ‘ସୋଲେ’ରେ ‘ଜୟ’ ଅମିତାଭ ବଚ୍ଚନଙ୍କ ପାଇଁ ମାଉଥ୍‌ଅର୍ଗାନ୍‌ ବଜାଇଥିବା ଭାନୁ ‘ଉଲ୍‌କା’ରେ ମଧ୍ୟ ମାଉଥ୍‌ଅର୍ଗାନ୍‌ ବଜାଇଥିଲେ।